ଓଡ଼ିଶାଲାଇଭ ବ୍ୟୁରୋ

ବିରାଟ କୋହଲି ପ୍ରଥମ ଟେଷ୍ଟ ଅଧିନାୟକ ଭାବେ ଦଳ ବିଜୟ ଲାଗି ୭ମ ଥର ୨୦୦ କିମ୍ବା ତାଠାରୁ ଊର୍ଦ୍ଧ୍ୱ ରନ୍‌ ସଂଗ୍ରହ କରିଛନ୍ତି। ଏହି କ୍ଷେତ୍ରରେ ସେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଡନ ବ୍ରାଡମ୍ୟାନ ଓ ରିକି ପଣ୍ଟିଂଙ୍କୁ ଅତିକ୍ରମ କରିଛନ୍ତି।

ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଭାରତ ବିଜୟୀ ହେବାପରେ ଅଧିନାୟକ ବିରାଟ କୋହଲି ଆଉ ଏକ କୃତିତ୍ୱର ଅଧିକାରୀ ହୋଇପାରିଛନ୍ତି।

ଟେଷ୍ଟ ଅଧିନାୟକ ଭାବେ ନିଜ ଦଳ ଜିତିଥିବା ମ୍ୟାଚରେ ୨୦୦ କିମ୍ବା ତଦୁର୍ଦ୍ଧ୍ବ ରନ ସ୍କୋର କରିଥିବା ପ୍ରସଙ୍ଗରେ କୋହଲିଙ୍କୁ ଏହି ମାନ୍ୟତା ମିଳିଛି। କୋହଲି ମୋଟ ୭ ଥର ଏହି ସ୍ଥିତିରେ ପହଞ୍ଚିଛନ୍ତି।

ପୂର୍ବରୁ ଅଷ୍ଟ୍ରେଲିଆର ସାର୍‍ ଡନ ବ୍ରାଡମ୍ୟାନ ଓ ରିକି ପଣ୍ଟିଂ ପ୍ରତ୍ୟେକ ୬ ଥର ଲେଖାଏଁ ଏହି କୃତିତ୍ୱ ହାସଲ କରିଥିଲେ। ଅନ୍ୟ ଭାରତୀୟ ଟେଷ୍ଟ ଅଧିନାୟକଙ୍କ ମଧ୍ୟରେ ମହେନ୍ଦ୍ର ସିଂହ ଧୋନି ୨୦୧୩ ଚେନ୍ନଇ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୨୪ ରନ ସ୍କୋର କରିଥିବାବେଳେ ଭାରତ ଏହି ଟେଷ୍ଟ ଜିତିଥିଲା।

ଟ୍ରେଣ୍ଟ୍‌ବି୍ରଜ୍‌ ଟେଷ୍ଟ୍‍ରେ ଶ୍ରେଷ୍ଠ ଖେଳାଳି ବିବେଚିତ ବିରାଟ କୋହଲି ପୁଣି ଆଇସିସି ବ୍ୟାଟିଂ ମାନ୍ୟତା ତାଲିକା ଶୀର୍ଷକୁ ଫେରିଛନ୍ତି।

ନିଜ ଖେଳ ଜୀବନରେ ମଧ୍ୟ ସର୍ବାଧିକ ୮୩୭ ପଏଣ୍ଟ ଅର୍ଜନ କରି ସର୍ବକାଳୀନ ଶୀର୍ଷ-୧୦ ଭିତରେ ପ୍ରବେଶ କରିବା ଦ୍ୱାରରେ ପହଞ୍ଚିଛନ୍ତି। ମାତ୍ର ଗୋଟିଏ ପଏଣ୍ଟ୍‌ ଫରକ ପାଇଁ ସେ ଏବେ ଏକାଦଶ ସ୍ଥାନରେ ଅଛନ୍ତି।

ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ସ୍ୱର୍ଗତ ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌ ୧୯୪୮ ମସିହା ଫେବ୍ରୁଆରିରେ ପାଇଥିବା ୯୬୧ ପଏଣ୍ଟ୍‌ ଏବେ ବି ଶୀର୍ଷରେ ରହିଛି।

ତାଙ୍କ ପଛକୁ ପଛ ରହିଛନ୍ତି ଷ୍ଟିଭେନ୍‌ ସ୍ମିଥ୍‌ (୯୪୭), ଲେନ୍‌ ହଟନ୍‌ (୯୪୫), ଜ୍ୟାକ୍‌ ହବ୍‌ସ ଓ ରିକି ପଣ୍ଟିଂ (ଉଭୟ ୯୪୨), ପିଟର୍‌ ମେ (୯୪୧) ଏବଂ ଗ୍ୟାରି ସୋବର୍ସ, କ୍ଲାଇଡ ଓ୍ଵାଲ୍‌କଟ୍‌, ଭିଭିଆନ୍‌ ରିଚାର୍ଡସ, କୁମାର ସାଙ୍ଗାକାରା (ସମସ୍ତେ ୯୩୮)।

ସଦ୍ୟ ପ୍ରକାଶିତ ମାନ୍ୟତାରେ ହାର୍ଦିକ ପାଣ୍ଡ୍ୟା ଏବଂ ଯଶ୍‌ପ୍ରୀତ ବୁମରା ମଧ୍ୟ ଢେର ଉପରକୁ ଉଠିଛନ୍ତି। ଉଭୟ ଟ୍ରେଣ୍ଟ୍‌ବ୍ରିଜ୍‌ରେ ୫ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ବୋଲିଂ ତାଲିକାରେ ପାଣ୍ଡ୍ୟା ୨୩ ସ୍ଥାନ ଉଠି ୫୧ରେ ପହଞ୍ଚିଛନ୍ତି। ଅର୍ଧଶତକ ହାସଲ କରିଥିବାରୁ ପାଣ୍ଡ୍ୟା ମଧ୍ୟ ବ୍ୟାଟିଂ ତାଲିକାରେ ସମାନ ୫୧ତମ ସ୍ଥାନରେ ରହିଛନ୍ତି।

Comment