ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନୁଷ୍କା ଶର୍ମାଙ୍କ ପ୍ରେରଣାରେ ମୁଁ ମୋ ପ୍ରଦର୍ଶନରେ ଉନ୍ନତି ଆଣିପାରିଛି ବୋଲି କହିଛନ୍ତି ବିରାଟ କୋହଲି।

ଇଂଲଣ୍ଡ ବିପକ୍ଷରେ ନଟିଂହାମର ଟ୍ରେଣ୍ଟ ବ୍ରିଜ୍‌ ଷ୍ଟାଡିୟମରେ ଭାରତର ଐତିହାସିକ ବିଜୟ ହାସଲ କରିଥିଲା। ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି।

ପ୍ରଥମ ଇନିଂସରେ ୯୭ ରନ୍‌ ଓ ୨ୟ ଇନିଂସରେ ୧୦୩ ରନ୍‌ କରି ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ଜିତିଥିଲେ କୋହଲି। ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦୁଇଟି ଟେଷ୍ଟରେ ପରାଜୟ ଭୋଗିଥିବା ଭାରତୀୟ ଦଳ ତୃତୀୟ ଟେଷ୍ଟ୍ ଜିତିବା ନିହାତି ଆବଶ୍ୟକ ଥିଲା।

ତୃତୀୟ ଟେଷ୍ଟରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ୩୨ ବର୍ଷ ମଧ୍ୟରେ ଶ୍ରେଷ୍ଠ ବିଜୟ ହାସଲ କରିଥିଲା। କୋହଲିଙ୍କ ‘ବିରାଟ’ ପ୍ରଦର୍ଶନ ବଳରେ ଭାରତ ଏହି ବିଜୟ ହାସଲ କରିଥିଲା। ବିରାଟଙ୍କୁ ଚିୟର୍ କରିବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ଥିଲେ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା।

ବିରାଟଙ୍କ ପ୍ରତି ସଟ୍‌ ତାଙ୍କୁ ଚିୟର କରୁଥିଲେ ଅନୁଷ୍କା। ମ୍ୟାଚ୍ ପରେ କୋହଲି କହିଥିଲେ, “ଅନୁଷ୍କାଙ୍କ ପ୍ରେରଣା ଯୋଗୁଁ ମୁଁ ମୋ ପ୍ରଦର୍ଶନରେ ଉନ୍ନତି ଆଣିପାରିଛି। ମୁଁ ମୋ ଇଂନିଶ ଅନୁଷ୍କାଙ୍କୁ ସମର୍ପିତ କରୁଛି”।

୫ ମ୍ୟାଚ ଶୃଙ୍ଖଳାର ୩ୟ ଟେଷ୍ଟରେ ଭାରତ ବିଜୟୀ ହେବା ସହିତ ସୌରଭ ଗାଙ୍ଗୁଲିଙ୍କ ପରେ ବିରାଟ କୋହଲି ଦ୍ୱିତୀୟ ସଫଳତମ ଭାରତୀୟ ଟେଷ୍ଟ ଅଧିନାୟକ ହୋଇପାରିଛନ୍ତି। ଚଳିତ ଶୃଙ୍ଖଳା ୨୦୧୪ ଶୃଙ୍ଖଳା ଠାରୁ ଭିନ୍ନ। ସେହି ସମୟରେ କୋହଲି ୧୦ଟି ଇନିଂସରେ ୧୩୪ ରନ୍‌ ସଂଗ୍ରହ କରିଥିଲେ। ମାତ୍ର ଚଳିତ ବର୍ଷ ୬ଟି ଇନିଂସରେ ୪୪୦ ରନ୍‌ ସଂଗ୍ରହ କରିସାରିଛନ୍ତି। ଏଥିରେ ଗୋଟିଏ ଶତକ ଓ ୨ଟି ଅର୍ଦ୍ଧଶତକ ସାମିଲ ଅଛି।

Comment