ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୂତି ଚାନ୍ଦଙ୍କ ସଫଳତାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହ ପୁଣି ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି

ଓଡ଼ିଆ ଝିଅ ଦୂତି ଚାନ୍ଦ ଗୋଟିଏ ପରେ ଗୋଟିଏ ରେକର୍ଡ ହାସଲ କରିଚାଲିଛନ୍ତି। ଇଣ୍ଡୋନେସିଆରେ ଚାଲିଥିବା ୧୮ତମ ଏସିଆନ ଗେମ୍ସରେ ଦୁଇଟି ରୌପ୍ୟ ପଦକ ଜିତି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଧାବିକା ଦୂତି ଚାନ୍ଦ।

ଦୂତି ଚାନ୍ଦଙ୍କ ସଫଳତାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହ ଦୂତିଙ୍କୁ ଆଉ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଦିଆଯିବ ବୋଲି ଘୋଷଣା କରିଛନ୍ତି।

ଏସିଆନ ଗେମ୍ସର ୧୦୦ ମିଟର ଦୌଡରେ ରବିବାରଦିନ ରୌପ୍ୟ ଜିତିଥିବା ଦୂତି ବୁଧବାରଦିନ ୨୦୦ ମିଟର ବି ରୌପ୍ୟ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି।

୧୦୦ ମିଟର ଦୌଡ଼ରେ ରୌପ୍ୟ ଜିତିବା ପରେ ଦୂତିଙ୍କୁ ମୁଖ୍ୟମନ୍ତ୍ରୀ ଦେଢ଼ କୋଟି ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଥିଲେ। ଦୂତି ଏହି ପୁରସ୍କାର ରାଶିରେ ସନ୍ତୁଷ୍ଟ ନଥିଲେ। ସେ କହିଥିଲେ ଅନ୍ୟ ରାଜ୍ୟ ତୁଳନାରେ କମ୍ ପୁରସ୍କାର ରାଶି ଦିଆଯାଇଛି। ଭୁବନେଶ୍ଵରରେ ପ୍ଲଟ୍ ଦିଆଗଲେ ମୁଁ ଖୁସି ହେବି ବୋଲି ଦୂତି କହିଥିଲେ।

ଦୂତି ପ୍ରଥମ ରୌପ୍ୟ ଜିତିବା ପରେ ଓଡ଼ିଶା ଦୌଡ଼କୁଦ ସଂଘ ପକ୍ଷରୁ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।  ଓଡ଼ିଶା ଅଲିମ୍ପିକ୍‌ ସଂଘ ପକ୍ଷରୁ ମଧ୍ୟ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି।

ସଫଳତା ପରେ ଦୂତି ଚାନ୍ଦଙ୍କ ନିକଟକୁ ଅଭିନନ୍ଦନ ଓ ପୁରସ୍କାରର ସୁଅ ଛୁଟିଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୂତିଙ୍କ ସଫଳତା ରାଜ୍ୟ ଓ ଦେଶ ପାଇଁ ଗୌରବର ବିଷୟ ବୋଲି କହିଛନ୍ତି। ଅନ୍ୟମାନଙ୍କ ପାଇଁ ଏହା ପ୍ରେରଣାର ଉତ୍ସ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟୁଇଟ ଯୋଗେ ଦୂତି ଚାନ୍ଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Comment