ବ୍ରହ୍ମପୁରରୁ ଦୀପକ କୁମାର ପଣ୍ଡା

ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଆଜି ପାଳିତ ହୋଇଯାଇଛି ସ୍ୱାୟତ୍ତ ଶାସନ ଦିବସ। ୧୫୦ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଥିବା ନିଗମ ଆଜି ଧୁମ୍ ଧାମରେ ପାଳନ କରିଛି ଏହି ଦିବସକୁ। ଏଥିପାଇଁ ସକାଳେ ଟାଉନହଲ୍ ପରିସରରେ ଏକ ସଭାର ଆୟୋଜନ ହୋଇଥିଲା। ଉତ୍ସବର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ ଅଭିନେତା ଜରିନ ଖାନ୍।

ଟାଉନହଲରେ ଅନୁଷ୍ଠିତ ସଭାରେ ପଲିଥିନ୍ ବର୍ଜନ ସହ ସହରକୁ ସୁନ୍ଦର ଓ ନିର୍ମଳ ରଖିବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ  ସେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବିଜୁ ଯୁବ ବାହିନୀ ସଦସ୍ୟଙ୍କ ସହ ଭାବବିନିମୟ କରିଥିଲେ।

ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା ଉତ୍ସବ। ମେୟର କେ ମାଧବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ସାଂସଦ ସିଦ୍ଧାନ୍ତ ମହାପାତ୍ର, ସିନେ ତାରକା ଜରିନ ଖାନ୍, କମିଶନରଙ୍କ ସମେତ କର୍ପୋରେଟରମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ  ମଧ୍ୟ ଅନୁଷ୍ଠିତ ହୋଇଥିଲା। ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସହରର ବିକାଶ ସହ ସହରକୁ ସବୁଜ ସୁନ୍ଦର କରିବା ପାଇଁ ଅତିଥିମାନେ ଆହ୍ୱାନ ଜଣାଇଥିଲେ।

ସନ୍ଧ୍ୟାରେ ବଲିଉଡ ସିଙ୍ଗର ବିନୋଦ ରାଠୋରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Comment