ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତୀକ୍ଷାର ଅନ୍ତ ଘଟିଛି। ବହୁ ପ୍ରତୀକ୍ଷିତ ବଲାଙ୍ଗିର ମେଡିକାଲ କଲେଜ ଉଦଘାଟିତ ହୋଇଛି। ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଏବଂ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ।

ବଲାଙ୍ଗିର ମେଡିକାଲ କଲେଜକୁ ରାଜ୍ୟ ସରକାର ସନ୍ଥକବି ଭୀମଭୋଇଙ୍କ ନାଁରେ ନାମିତ କରିଛନ୍ତି।

ବଲାଙ୍ଗିରରେ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ନିର୍ମାଣ କରିବାକୁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିଲା। ୧୯୯୯ ମସିହାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ଏନେଇ ଏକ ପ୍ରସ୍ତାବ ପାସ୍ ହୋଇଥିଲା। ୨୦୦୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସେତେବେଳେ ସରକାର ବିଭିନ୍ନ ଘରୋଇ କମ୍ପାନି ସହ ଏମ୍‌ଓୟୁ ସ୍ୱାକ୍ଷର କରିଥିଲେ। ପରବର୍ତ୍ତୀ ସମୟରେ ଏହାକୁ ବାତିଲ କରାଯାଇଥିଲା।

୨୦୧୩ରେ କେନ୍ଦ୍ର ସରକାର ଘୋଷଣା କରିଥିଲେ ଓଡ଼ିଶାରେ ୪ଟି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ନିର୍ମାଣ କରାଯିବ। ଫଳରେ ପୁଣିଥରେ ବଲାଙ୍ଗିର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପାଇଁ ଆଉ ଥରେ ଶିଳାନ୍ୟାସ କରାଯାଇଥିଲା।

ବଲାଙ୍ଗିର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଚଳିତ ବର୍ଷ ୧୦୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି।

Comment