ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯୌନାଚାର ମଣିଷର ବ୍ୟକ୍ତିଗତ ଅଧିକାର। ଏହି ସ୍ୱାଧୀନତାକୁ ଆଇନ ଅସିଦ୍ଧ କରିପାରିବ ନାହିଁ। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ସମଲିଙ୍ଗୀଙ୍କ ଜୀବନରେ ଭରିଛି ଇନ୍ଦ୍ରଧନୁର ସାତ ରଙ୍ଗ। ଓଡ଼ିଶାରେ ଆଜି ତା’ର ପ୍ରତିଫଳନ ଦେଖିବାକୁ ମିଳିଛି।

ଆଜି ନଥିଲା ହୋଲି। କିନ୍ତୁ ଅଦିନରେ ରଙ୍ଗ ଖେଳିଛନ୍ତି ସମଲିଙ୍ଗୀ। ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ ବୋଲି ସୁପ୍ରିମକୋର୍ଟ ଐତିହାସିକ ରାୟ ଦେବା ପରେ ଭୁବନେଶ୍ୱରରେ ଏମିତି ଢଙ୍ଗରେ ଖୁସି ମନାଇଛନ୍ତି ସମଲିଙ୍ଗୀ।

ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଘରୁ ବାହାରି ଆସିଥିଲେ ସମଲିଙ୍ଗୀ। ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଥିଲେ ସେମାନେ। ଖୁସି ମନାଇବା ପାଇଁ ସେମାନେ ଭୁବନେଶ୍ୱର ପଳାସପଲ୍ଲିସ୍ଥିତ ରାଜରାସ୍ତା ଏବଂ ଲୋୟର ପିଏମ୍‌ଜି ପାଖକୁ ଚାଲି ଆସିଥିଲେ।

ପରସ୍ପର ପରସ୍ପରକୁ ରଙ୍ଗ ବୋଳି ଶୁଭେଛା ଜଣାଇଥିଲେ। କେକ୍‌ କାଟିବା ସହ ପରସ୍ପରକୁ ଚୁମ୍ବନ ଦେଇ ସେଲିବ୍ରେସନ କରିଥିଲେ। ଅବିର ରଙ୍ଗରେ ସାରା ପରିବେଶକୁ ରଙ୍ଗିନ କରିଥିଲେ।

ସମଲିଙ୍ଗୀମାନେ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରି କିପରି ସେଲିବ୍ରେସନ କରୁଥିଲେ ଏବଂ ଖୁସିରେ ଝୁମୁଥିଲେ ତାହା ଏହି ରିପୋର୍ଟ ସହ ଯୋଡ଼ା ଯାଇଥିବା ଭିଡିଓକୁ ଦେଖିଲେ ଜାଣିପାରିବେ।

‘ସଖା’ ଲକ୍ଷ୍ୟଭେଦୀ ପ୍ରକଳ୍ପର କର୍ମକର୍ତ୍ତା ଏବଂ ଅଲ୍ ଓଡ଼ିଶା ଟିଜି ୱେଲଫେୟାର ଟ୍ରଷ୍ଟର କର୍ମକର୍ତ୍ତା ଏହି ଖୁସିରେ ସାମିଲ୍ ହୋଇଥିଲେ।

“ସୁପ୍ରିମକୋର୍ଟ ଆଜି ଐତିହାସିକ ରାୟ ଦେଇଛନ୍ତି। ଯେଉଁମାନେ କଥା କଥାକେ କିନ୍ନରମାନଙ୍କୁ ଆଙ୍ଗୁଠି ଦେଖାଉଥିଲେ ସେମାନଙ୍କୁ ଉଚିତ ଜବାବ ମିଳିଛି। ଆଜି ମାନକିବତା ଏବଂ ନୈତିକତାର ବିଜୟ ହୋଇଛି”, କହିଛନ୍ତି ମୀରା ପରିଡ଼ା।

ମୀରା ଆହୁରି କହିଛନ୍ତି ଯେ ପୂର୍ବରୁ ସମସ୍ତେ କିନ୍ନରମାନଙ୍କୁ ନେଇ ନାନା କଥା କହୁଥିଲେ। ଟାହି ଟାପରା କରୁଥିଲେ। ଏମିତିକି ନିଜ ପରିବାର ଏବଂ ବନ୍ଧୁବାନ୍ଧବ ମଧ୍ୟ ସମାଲୋଚନା କରିବାକୁ ପଛାଉ ନଥିଲେ। ନିଜ ଭାଇ ସହ ଗାଡ଼ିରେ ଯିବା ବେଳେ ବି ଲୋକେ ଆଙ୍ଗୁଠି ଦେଖାଉଥିଲେ। ହେଲେ ଆଜି ସେସବୁ ଯୁଗର ଅବସାନ ଘଟାଇଛନ୍ତି ସୁପ୍ରିମକୋର୍ଟ। ଆଜି ସମଲିଙ୍ଗୀମାନଙ୍କୁ ନ୍ୟାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ।

ଉତ୍ତର ଭାରତ ଆଖଡ଼ାର ମହାମଣ୍ଡଳେଶ୍ୱରୀ ମୀରା ପରିଡ଼ା, ମାଧୁରୀ କିନ୍ନର, ସାଧନା ମିଶ୍ର, ମେନକା କିନ୍ନର, ନିଲମ କିନ୍ନର ପ୍ରମୁଖ ସାମିଲ ହୋଇଥିଲେ।

“ସମଲିଙ୍ଗୀଙ୍କୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇଥିବାରୁ ସୁପ୍ରିମକୋର୍ଟଙ୍କୁ ବହୁତ ଧନ୍ୟବାଦ। ଆମ ଅଧିକାରକୁ ଆଜି ସମ୍ମାନ ମିଳିଛି। ଜାତି, ବର୍ଣ୍ଣ, ଧର୍ମ, ନର୍ବିଶେଷରେ ପ୍ରତ୍ୟେକ ମଣିଷ ସମାନ। ୧୯ ବର୍ଷ ଧରି ଯେଉଁ ଲଢ଼େଇ ଚାଲିଥିଲା ସେଥିରେ ସଫଳତା ମିଳିଛି। ପ୍ରତ୍ୟେକ ମଣିଷ ସମ୍ମାନର ସହ ବଞ୍ଚିବା ଦରକାର”, କହିଛନ୍ତି ସାଧନା ମିଶ୍ର।

ସମଲିଙ୍ଗୀଙ୍କୁ ମିଳିଲା ବଞ୍ଚିବାର ସ୍ୱାଧୀନତା

‘ସମଲିଙ୍ଗୀଙ୍କର ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି’ – ସୁପ୍ରିମକୋର୍ଟ ସମଲିଙ୍ଗୀ ସମ୍ପର୍କ ଉପରେ ଐତିହାସିକ ରାୟ ଦେବା ପରେ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

ସମ୍ମାନର ସହ ବଞ୍ଚିବା ପାଇଁ ସମଲିଙ୍ଗୀମାନେ ଦୀର୍ଘ ବର୍ଷ ଧରି ଲଢ଼େଇ କରି ଆସୁଥିଲେ। କିନ୍ତୁ ୧୯ ବର୍ଷ ପରେ ସେମାନଙ୍କୁ ସମ୍ମାନର ସହ ବଞ୍ଚିବା ପାଇଁ ଅଧିକାର ଦେଇଛନ୍ତି ସୁପ୍ରିମକୋର୍ଟ। ସର୍ବୋଚ୍ଚ ନ୍ୟାୟାଳୟ ଏହି ଐତିହାସିକ ରାୟ ଦେବା ପରେ ସମଲିଙ୍ଗୀଙ୍କ ଭିତରେ ନୂଆ ଆଶା ସଞ୍ଚରିତ ହୋଇଛି।

“ଦେଶ ସ୍ୱାଧୀନତାକୁ ୭୩ ବର୍ଷ ବିତିଥିଲେ ମଧ୍ୟ ଏଲ୍‌ଜିବିଟିକ୍ୟୁ କମ୍ୟୁନିଟି ସ୍ୱାଧୀନ ଭାବେ ବଞ୍ଚିବା ଶିଖି ନଥିଲେ। ସୁପ୍ରିମକୋର୍ଟଙ୍କ ରାୟ ଆଜି ଏହି କମ୍ୟୁନିଟିକୁ ସ୍ୱାଧୀନତା ଦେଇଛି। ଏବେ ସେମାନେ ସ୍ୱାଧୀନ ଭାବରେ ବଞ୍ଚିବେ”, କହିଛନ୍ତି କିନ୍ନର ମେଘନା।

ଲୋୟର ପିଏମ୍ଜିରେ ସମଲିଙ୍ଗୀମାନେ ଖୁସିରେ ଝୁମୁଥିବା ବେଳେ ଆଖପାଖରେ ଥିବା ଲୋକମାନେ ମଧ୍ୟ ଏଥିରେ ଉତ୍ସାହିତ ହୋଇଯାଇଥିଲେ ପାଖରେ ଚାଲିଥିବା ଶିକ୍ଷକଙ୍କ ଧାରଣାରୁ ଜଣେ ସମଲିଙ୍ଗୀ ଆସି ଏହି ଖୁସିରେ ସାମିଲ ହୋଇଥିଲେ ସେ ବି ବାଜାର ତାଳେତାଳେ ନାଚିଥିଲେ ଏବଂ ରଙ୍ଗ ବୋଳି ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଥିଲେ

ଓଡ଼ିଶାଲାଇଭ୍‌କୁ ସେ କହିଛନ୍ତି, “ମୋ ସମ୍ପର୍କରେ ଭଉଣୀମାନେ କିଛି ଜାଣିଛନ୍ତି। ସେମାନେ ମତେ ସହଯୋଗ କରି ମନୋବଳକୁ ଦୃଢ଼ କରୁଛନ୍ତି। ହେଲେ ମୋବାପା, ମାକେହି କିଛି ଜାଣି ନାହାନ୍ତି। ଆଜି ଯଦି ସେମାନେ ଜାଣିବେ ତାହାଲେ ସେମାନଙ୍କ ପ୍ରତିକ୍ରିୟା ରହିବ ସେ କଥା ମୁଁ ଭାବି ପାରୁନି।

Comment