ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତିବର୍ଷ ନିଜ ଜନ୍ମଦିନକୁ ଭିନ୍ନ ଢଙ୍ଗରେ ପାଳନ କରୁଥିବା ଆକାଶ ଦାସନାୟକ ସୋମବାର ଦିନ ବୃଦ୍ଧାଶ୍ରମରେ ୩୬ତମ ଜନ୍ମଦିନ ପାଳନ କରିଛନ୍ତି।
ଗତ କିଛି ବର୍ଷ ଧରି ଅଭିନେତା ତଥା କୋରେଇ ବିଧାୟକ ଆକାଶ ଦାସନାୟକ ଭିନ୍ନ ଢଙ୍ଗରେ ନିଜ ଜନ୍ମଦିନ ପାଳି ଆସୁଛନ୍ତି। ଏବର୍ଷ ସେ ଏକ ନୂଆ ଷ୍ଟାଇଲ୍ରେ ଜନ୍ମଦିନ ପାଳିଛନ୍ତି। ଭୁବନେଶ୍ୱର ସ୍ଥିତ ଟଙ୍କପାଣି ରୋଡରେ ଥିବା ଶ୍ରୀ କିଷ୍ଣା ବୃଦ୍ଧାଶ୍ରମରେ ଆକାଶ ୩୬ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ଆକାଶ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ମୁହଁରେ ହସ ଫୁଟାଇବା ପାଇଁ ପ୍ରୟାସ କରିଛନ୍ତି।
ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ଗହଣରେ ଆକାଶ ଜନ୍ମଦିନ କେକ୍ କାଟିଥିଲେ। ସାଙ୍ଗରେ ଥିଲେ ତାଙ୍କ ସ୍ତ୍ରୀ ଶୁଭ୍ରାଜ୍ୟୋତି। ପୂରା ମଉଜ ମସ୍ତି କରି ଆକାଶ ଜନ୍ମଦିନ ପାଳିଛନ୍ତି।
ଅନ୍ତେବାସୀଙ୍କୁ ଆଉ ଟିକେ ଖୁସି ଦେବା ପାଇଁ ଆକାଶ ନିଜେ ଗୀତ ଗାଇଥିଲେ। ଜନ୍ମଦିନ କେକ୍ ମଧ୍ୟ ଅନ୍ତେବାସୀଙ୍କୁ ଖୁଆଇ ଦେଇଥିଲେ ଆକାଶ।
ଜନ୍ମଦିନ ଉପଲକ୍ଷେ ଆକାଶ ବୃଦ୍ଧାଶ୍ରମକୁ ଏକ କ୍ୟାରମ ବୋର୍ଡ ଉପହାର ଦେଇଥିଲେ। ଅନ୍ତେବାସୀମାନଙ୍କ ସହ ଆକାଶ କିଛି ସମୟ କ୍ୟାରମ ଖେଳି ଖୁସି ମନାଇଥିଲେ।
“ମୋ ଜନ୍ମଦିନରେ ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ଚେଷ୍ଟା କରିଛି ସମସ୍ତଙ୍କ ମଧ୍ୟରେ ଖୁସି ଦେବା ପାଇଁ। ଆଜି ବୟସ୍କ ବ୍ୟକ୍ତିଙ୍କ ଗହଣରେ ସମୟ କାଟୁଛି। ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ଖୁସି ଦେବା ପାଇଁ ଆଜି ସନ୍ଧ୍ୟାରେ ଭଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହା ମୋ ପାଇଁ ସ୍ମରଣୀୟ ହୋଇ ରହିବ। ମୁଁ ଆଶା କରିବି ବୃଦ୍ଧାଶ୍ରମର ସମସ୍ତ ଅନ୍ତେବାସୀଙ୍କ ଜୀବନ ସୁଖମୟ ହେଉ। ପରିଣତ ବୟସରେ ଆମେ ସେମାନଙ୍କୁ ସମ୍ମାନ ଏବଂ ଭଲପାଇବା ଦେବା ଉଚିତ”, କହିଛନ୍ତି ଅଭିନେତା ଆକାଶ।
“ଆକାଶଙ୍କୁ ପାଖରେ ପାଇ ଆମେ ବହୁତ ଖୁସି। ସେ ତାଙ୍କ ଜନ୍ମଦିନ ଆମ ଗହଣରେ ପାଳନ କରିଥିବାରୁ ଆମେମାନେ ଉତ୍ସାହିତ ରହିଛୁ। ସେ ଆଜି ଆମକୁ ଖୁସି ଦେଇଥିବାରୁ ତାଙ୍କ ଆଗାମୀ ଜୀବନ ସୁଖମୟ ହେଉ” କହିଛନ୍ତି ବୃଦ୍ଧାଶ୍ରମର ଅନ୍ତେବାସୀ ଆନନ୍ଦ ଚନ୍ଦ୍ର ଦାସ।
ଗତବର୍ଷ ଆକାଶ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଥିବା ଜୀବନଜ୍ୟୋତି ଆଶ୍ରମର ପିଲାମାନଙ୍କ ଗହଣରେ ଜନ୍ମଦିନ ପାଳନ କରିଥିଲେ। ପିଲାମାନଙ୍କୁ ସେ ପ୍ଲାନେଟାରିୟମ୍ ଓ ମ୍ୟୁଜିୟମ୍ ବୁଲାଇଥିଲେ। ପିଲାମାନଙ୍କ ଗହଣରେ ଆକାଶ ଲଞ୍ଚ ମଧ୍ୟ ଖାଇଥିଲେ। ୨୦୧୬ରେ ଆକାଶ ବରିଷ୍ଠ ନାଗରିକମାନଙ୍କୁ ପୁରୀ ବୁଲାଇ ନେଇଥିଲେ।








ପ୍ରତିବର୍ଷ ନିଜ ଜନ୍ମଦିନକୁ ଭିନ୍ନ ଢଙ୍ଗରେ ପାଳନ କରୁଥିବା ଆକାଶ ଦାସନାୟକ ସୋମବାର ଦିନ ବୃଦ୍ଧାଶ୍ରମରେ ୩୬ତମ ଜନ୍ମଦିନ ପାଳନ କରିଛନ୍ତି।








