ଓଡ଼ିଶାଲାଇଭ୍ ବ୍ୟୁରୋ

ଶୀତଦିନେ ଗରିବ ଓ ଅସହାୟ ଲୋକଙ୍କୁ ବସ୍ତ୍ର ଦାନ କରିବାକୁ ଉଡ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଚାଲିଥିବା ‘ଥିଲେ ଦିଅ ନ, ଥିଲେ ନିଅ’ ଅଭିଯାନ ଦ୍ଵାରା ସଂଗୃହିତ ବସ୍ତ୍ରଗୁଡ଼ିକୁ ଗୁରୁବାର ଅପରାହ୍‌ଣରେ ଭୁବନେଶ୍ଵର ମହାନଗର ନିଗମ ଅଧୀନ ୪୨ ନମ୍ଵର ଓ୍ଵାର୍ଡସ୍ଥିତ ମୟୂର କ୍ଲବ୍‌ରେ ବଣ୍ଟନ କରାଯାଇଛି।ଉଡ୍ର ଚାରିଟେବୁଲ ଟ୍ରଷ୍ଟର ପରାମର୍ଶଦାତା ତଥା ଜଣାଶୁଣା ଅଭିନେତା ଆକାଶ ଦାସନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଭୁବନେଶ୍ଵର ମଧ୍ୟ ନିର୍ବାଚନ ମଣ୍ଡଳୀ ବିଧାୟକ ଅନନ୍ତ ନାରାୟଣ ଜେନା, ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପାଲିତ ପ୍ରମୁଖ ଗରିବ ତଥା ଅସହାୟ ବସ୍ତି ବାସିନ୍ଦାଙ୍କୁ ବସ୍ତ୍ର ବଣ୍ଟନ କରିଛନ୍ତି। ବସ୍ତିର ପ୍ରାୟ ୧୪୦ ପରିବାରକୁ ବସ୍ତ୍ର ସହ କମ୍ଵଳ ବଣ୍ଟନ କରାଯାଇଛି।ଏହି ଅବସରରେ ଆକାଶ ଦାସନାୟକ କହିଛନ୍ତି, “ସମାଜର ମୁଖ୍ୟସ୍ରୋତରୁ ଦୂରରେ ଥିବା ଅସହାୟ ଲୋକଙ୍କ ପାଖରେ ପିନ୍ଧିବା ପାଇଁ ଭଲ ପୋଷାକ କିମ୍ବା ଶୀତବସ୍ତ୍ରଟିଏ ନାହିଁ। ତେଣୁ ଉଡ୍ର ପକ୍ଷରୁ ସେପରି ଲୋକମାନଙ୍କ ପାଖରେ ଭଲ ବସ୍ତ୍ର ପହଞ୍ଚାଇବା ଲାଗି ‘ଥିଲେ ଦିଅ, ନ ଥିଲେ ନିଅ’ କାର୍ଯ୍ୟକ୍ରମ ପ୍ରତି ବର୍ଷ ଆୟୋଜନ କରାଯାଉଛି। ଚଳିତ ବର୍ଷ ଅଭିଯାନରୁ ସଂଗୃହିତ ବସ୍ତ୍ର ସହ ଶୀତ ଦାଉରୁ ରକ୍ଷା ପାଇବା ଲାଗି ଆଜି ଭୁବନେଶ୍ଵରର ବସ୍ତି ବାସିନ୍ଦା ଭାଇ ଭଉଣୀମାନଙ୍କୁ ଆମେ କମ୍ଵଳ ବଣ୍ଟନ କରିଛୁ।”ଗତ ନଭେମ୍ଵର ମାସରୁ ଉଡ୍ର ପକ୍ଷରୁ ଥିଲେ ଦିଅ, ନଥିଲେ ନିଅ ଅଭିଯାନ ଦ୍ଵାରା ନୂଆ ପୁରୁଣା ବସ୍ତ୍ର ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପ୍ୟାରିସ୍ ବେକରି ଆଉଟ୍‌ଲେଟ୍ ସାମ୍ନାରେ ଏକ ଉଡ୍ର ବ୍ଲେସିଂ ବକ୍ସ ରହିଛି। ଜାନୁଆରି ଶେଷ ପର୍ଯ୍ୟନ୍ତ ସେଥିରେ ଲୋକମାନେ ନିଜର ପୁରୁଣା ବା ନୂଆ ପୋଷାକ ଦାନ କରିପାରିବେ”, କହିଛନ୍ତି ଉଡ୍ର ଓଡ଼ିଶାର ସମ୍ପାଦିକା ଶୁଭ୍ରାଜ୍ୟୋତି ଦାସନାୟକ।

ଏହି କାର୍ଯ୍ୟକ୍ରମରେ ଉଡ୍ର ଓଡ଼ିଶାର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Comment