ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଅର ଚିକିତ୍ସା ପାଇଁ ସୁହୃଦୟ ବ୍ୟକ୍ତିଙ୍କର ସହଯୋଗ ପାଇ ବେଶ୍ ଖୁସି ଅଛନ୍ତି ରାଜେଶ।

ବ୍ରହ୍ମପୁର ଉପକଣ୍ଠ ହରିଡ଼ାଖଣ୍ଡି ସ୍ଥିତ ଆନନ୍ଦ ମାର୍ଗରେ ରାଜେଶ ସ୍ୱାଇଁ ତାଙ୍କ ସ୍ତ୍ରୀ ଓ ତିନିଟି ସନ୍ତାନ ସହ ବାସ କରନ୍ତି। ପେଶାରେ ସେ ଜଣେ ଗାଡ଼ି ଡ୍ରାଇଭର। ହେଲେ ରାଜେଶଙ୍କର ସାନ ପୁଅ ସୋମ, ହଠାତ୍ ଗୁରୁତର ଅସୁସ୍ଥ ହେବା ଯୋଗୁଁ ତାଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସେଠାରେ ତାଙ୍କୁ ଚିକିତ୍ସା କରାଯିବା ସହ ଡାକ୍ତରୀ ମାଇନା ମଧ୍ୟ କରାଯାଇଥିଲା। ଡାକ୍ତରୀ ରିପୋର୍ଟ ଅନୁଯାୟୀ, ସୋମଙ୍କର ହୃଦୟରେ ତିନୋଟି ଛିଦ୍ର ରହିଛି। ଏହାଛଡ଼ା ଚିକିସା ପାଇଁ ତାଙ୍କୁ ବିଶାଖାପାଟନା କିମ୍ବା ରାୟପୁର ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ।

ଅନ୍ୟମାନଙ୍କ ଠାରୁ ଧାରଉଧାର କରିଥିବା ଅର୍ଥ ଏବଂ ନିଜେ ସଞ୍ଚୟ କରିଥିବା ଅର୍ଥକୁ ନେଇ ପୁଅର ଚିକିତ୍ସା ପାଇଁ  ଆସିଥିଲେ ରାୟପୁରସ୍ଥିତ ସଞ୍ଜିବନୀ ହସ୍ପିଟାଲକୁ। ସେଠାରେ ପୁଅକୁ ଭର୍ତ୍ତି କରାଗଲା। ପୁଅର ଚିକିତ୍ସା ପାଇଁ ବହୁତ ଟଙ୍କା ଆବଶ୍ୟକ ରହିଛି ବୋଲି ଡାକ୍ତର କହିଲେ। କିନ୍ତୁ ନିଜର କମ୍ ରୋଜଗାର ଯୋଗୁଁ ପୁଅର ଚିକିତ୍ସା ପାଇଁ ସେ ଅସମର୍ଥ।

ହେଲେ ଏବେ ସୋମର ଚିକିସା ପାଇଁ ଆଗେଇ ଆସିଛନ୍ତି ସହରର କିଛି ସୁହୃଦୟ ବ୍ୟକ୍ତିମାନେ। ଚାରି ବର୍ଷର ସୋମର ଅସ୍ତ୍ରୋପଚାର ପାଇଁ ସେମାନେ ୨୦୦୦୦ ଟଙ୍କା ପ୍ରଦାନ କରିଛନ୍ତି।

ଏହାବ୍ୟତୀତ କର୍ପୋରେଟର ତଥା ରାଧାକୃଷ୍ଣ ବଣିକ ସଂଘର ସଭାପତି ଆର୍ ମୁରଲି ମୋହନଙ୍କ ସମେତ ମନୋଜ ସାହୁ, ଶ୍ରୀକାନ୍ତ ପାଣିଗ୍ରାହୀ, ସ୍ଥାନୀୟ କର୍ପୋରେଟର ରାଜେଶ୍ୱର ବେହେରା ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି। ସୁହୃଦୟ ବ୍ୟକ୍ତି ସହଯୋଗ ପାଇ ବେଶ୍ ଆଶାବାଦୀ ଅଛନ୍ତି ରାଜେଶ। ସୋମର ମୁଁହରେ ପୁଣି ହସ ଫେରି ଆସିବ ବୋଲି ଆଶା ରଖିଛନ୍ତି ପରିବାରବର୍ଗ।

Comment