ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: ଚୋରି ଅଭିଯୁକ୍ତ ଅବିନାଶ ପାଇଟାଳ ଓରଫ୍ ମୂଷା ମୃତ୍ୟୁ ଉପରୁ ହଟୁନି ପରଦା। ତତ୍କାଳୀନ ମହାକାଳପଡ଼ା ଥାନା ଅଧିକାରୀ ଶ୍ୟାମଘନ ବେହେରାଙ୍କ ଗିରଫ ଦାବିରେ ଆନ୍ଦୋଳନ ତେଜୁଥିଲେ ମଧ୍ୟ ପୋଲିସ ଟାଳଟୂଳ ନୀତି ଅବଲମ୍ବନ କରୁଛି। ଏହାକୁ ନେଇ କେତେକ ଗଣ ସଂଗଠନ ଓ ରାଜନୈତିକ ଦଳ ଏକାଠି ହୋଇଛନ୍ତି। ଗାଁ ଗାଁରେ ସଭା ଓ ଶୋଭାଯାତ୍ରା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ ଆଜି ଅନୁଷ୍ଠିତ ହୋଇଛି କ୍ୟାଣ୍ଡେଲ ଶୋଭାଯାତ୍ରା।

ପୋଲିସର ଅପରାଧକୁ ଘଣ୍ଟ ଘୋଡ଼ାଉଛି ପୋଲିସ। ଚୋରି ଅଭିଯୁକ୍ତ ମୂଷା ହତ୍ୟାକାଣ୍ଡ ମାମଲାରେ ଛନ୍ଦି ହୋଇଥିବା ମହାକାଳପଡ଼ା ଥାନାର ତତ୍କାଳୀନ ଥାନା ଅଧିକାରୀ ଶ୍ୟାମଘନ ବେହେରାଙ୍କୁ ଗିରଫ କରୁନି ପୋଲିସ। ଏହାର ପ୍ରତିବାଦରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୬ ଦିନ ଧରି ଗଣଧାରଣାରେ ବସିଛନ୍ତି ମୃତ ଅବିନାଶ ପାଇଟାଳଙ୍କ ପରିବାର ଓ କେତେକ ଗଣ ସଂଗଠନ। ହେଲେ ପ୍ରଶାସନ ଏହି ପ୍ରତିବାଦକୁ ଆଡ଼ ଆଖିରେ ଚାହୁଁନି। ଫଳରେ ସାଧାରଣରେ ପୋଲିସର ନିପେକ୍ଷତାକୁ ନେଇ ଆଙ୍ଗୁଳି ଉଠିଛି। ଆଜି ଏହି ପ୍ରତିବାଦ ଭିନ୍ନ ମୋଡ଼ ନେଇଛି।

କେନ୍ଦ୍ରାପଡାସ୍ଥିତ ଆମ୍ବେଦକର ଭବନରେ ଅନୁଷ୍ଠିତ ଏକ ପ୍ରତିବାଦ ସଭାରେ ଏହାର ସ୍ୱର ତୀବ୍ର ହୋଇଛି। ଏହି ପ୍ରତିବାଦ ସଭାରେ ଯୋଗ ଦେଇଥିଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତି, ପୁର୍ବତନ କଂଗ୍ରେସ ବିଧାୟକ ତଥା କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସର ସଭାପତି ଚିନ୍ମୟ ପ୍ରସାଦ ବେହୁରା, ବିଜେପି ନେତା ବିଷ୍ଣୁ ଦାସ, ଗୀତୀଞ୍ଜଳୀ ସେଠୀ।

ଏହାସହ ସିପିଆଇର ବହୁ କର୍ମକର୍ତ୍ତା ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ରହି ପୋଲିସର ଏପରି ବର୍ବରତାକୁ ବରଦାସ୍ତ କରାଯିବ ନାହିଁ ବୋଲି ମତ ଦେଇଥିଲେ। ଜନ ସାଧାରଣଙ୍କ ନିକଟରେ ପୋଲିସର ଅସଲ ମୁଖା ଖୋଲିବା ପାଇଁ ଆନ୍ଦୋନକୁ ତୀବ୍ର କରିବାକୁ ସଭାରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।ଗାଁ ଗାଁରେ ପୋଲିସର ବର୍ବରତା ସମ୍ପର୍କରେ ସଚେତନ କରିବାକୁ ସଭା ଓ ଶୋଭାଯାତ୍ରାମାନ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି।

ଏହି କ୍ରମରେ କଂଗ୍ରେସର ବହୁ କର୍ମକର୍ତ୍ତା ଓ ଗଣ ସଂଗଠନମାନଙ୍କ ପକ୍ଷରୁ  ଆଜି କେନ୍ଦ୍ରାପଡ଼ା ସହରରେ କରାଯାଇଛି ଏକ କ୍ୟାଣ୍ଡେଲ ଶୋଭାଯାତ୍ରା।

ମହାକାଳପଡ଼ା ପୋଲିସ ହେପାଜତରେ ଥିବା ଚୋରି ଅଭିଯୁକ୍ତ ମୂଷା ଓରଫ ଅବିନାଶ ପାଇଟାଳଙ୍କ ସଂଦେହଜନକ ମୃତ୍ୟୁ ଏକ ସୁପରି କଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଛି। ଏହି ଘଟଣାରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଘଟଣାର କ୍ରାଇମବ୍ରାଞ୍ଚର ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ କରି ଫେରି ଯାଇଥିବା କ୍ରାମବ୍ରାଞ୍ଚ ପୋଲିସ ଏପର୍ଯ୍ୟନ୍ତ କୌଣସି ଅପରାଧିଙ୍କ ବିରୋଧରେ କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିନି। ତଦନ୍ତର ପାଦ ଘୁଞ୍ଚି ଘୁଞ୍ଚି ଯାଉଥିବା ବେଳେ ଅଭିଯୁକ୍ତକୁ କୋର୍ଟରୁ ଆଗୁଆ ଜାମିନି ପାଇବା ପାଇଁ ପୋଲିସ ବାଟ ଖୋଲି ଦେଇଥିବା ଚର୍ଚ୍ଚା ହେଉଛି। ଏନେଇ ପୋଲିସ ଡିଜିଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଏକ ପ୍ରତିନିଧି ଦଳ ଯିବ ବୋଲି ସଭାରେ ନିଷ୍ପତ୍ତି ହୋଇଛି।

Comment