ଓଡ଼ିଶାଲାଇଭ୍‌ ପ୍ରମୁଖ ପ୍ରତିନିଧି

ଦିଲ୍ଲୀରେ ପହଞ୍ଚି ଅଭିଜିତଙ୍କୁ ବାନ୍ଧିଲା ଓଡ଼ିଶା ପୋଲିସ। ଟେର୍ ପାଇଲାନି ମିଡିଆ। ଅଭିଜିତଙ୍କ ପରେ କିଏ?

କୋଣାର୍କ ମନ୍ଦିରର କାରୁକଳା ସମ୍ପର୍କରେ ବିବାଦୀୟ ଭିଡିଓ ପୋଷ୍ଟ କରି ଫସିଛନ୍ତି ସାମ୍ବାଦିକ ଅଭିଜିତ ଆୟାର ମିତ୍ର। କୋଣାର୍କ ଥାନା ପୋଲିସ ଦିଲ୍ଲୀ ଯାଇ ଅଭିଜିତକୁ ଗିରଫ କରିଛି। ତାଙ୍କୁ ସାକେତ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ଫଳରେ କୋଣାର୍କ ପୋଲିସ ପଞ୍ଝାରୁ ସାମୟିକ ଭାବେ ଆଶ୍ୱସ୍ତି ପାଇଛନ୍ତି ଅଭିଜିତ।

ଟେର୍ ପାଇଲାନି ମିଡିଆ

ଗତ ଚାରି ଦିନ ଧରି ବୈଜୟନ୍ତ ପଣ୍ଡାଙ୍କ ବିବାଦୀୟ ହେଲିକପ୍ଟର ଉଡ଼ାଣ ଉପରେ ସମସ୍ତେ ନଜର ରଖିଥିବା ବେଳେ ସାମ୍ବାଦିକ ଅଭିଜିତଙ୍କୁ ବାନ୍ଧିବାକୁ ସବୁ ପ୍ରକାର ଯୋଜନା ପ୍ରସ୍ତୁତ କରିଥିଲା କୋଣାର୍କ ଥାନା। ଏ ସମ୍ପର୍କରେ ମିଡିଆ କୌଣସି ଟେର୍ ପାଇ ନଥିଲା।

ବୁଧବାର ସନ୍ଧ୍ୟାରେ କୋଣାର୍କ ଥାନା ଆଇଆଇସି ସଞ୍ଜୀବ କୁମାର ପ୍ରଧାନ ଏବଂ ପୁରୀ ସଦର ଥାନା ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟିଙ୍କୁ ନେଇ ଗଠିତ ଟିମ୍ ଦିଲ୍ଲୀ ପହଞ୍ଚିଥିଲା। ପୋଲିସ ଟିମ୍ ନୂଆଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଥିବା ଅଭିଜିତଙ୍କ ଘରକୁ ଯାଇଥିଲା। ତେବେ ତାଙ୍କୁ ଘରେ ନପାଇ ଫେରି ଆସିଥିଲା ପୋଲିସ ଟିମ୍।

ଗୁରୁବାର ସକାଳୁ ଓଡ଼ିଶା ପୋଲିସ ଟିମ୍ ନିଜାମୁଦ୍ଦିନ ଥାନାରେ ପହଞ୍ଚି ଅଭିଜିତଙ୍କୁ ଗିରଫ କରିବା ପାଇଁ ନୋଟିସ ପଠାଇଥିଲେ। ଫଳରେ ନିଜାମୁଦ୍ଦିନ ପୋଲିସ ସହାୟତାରେ ଅଭିଜିତଙ୍କୁ ଆଜି ଗିରଫ କରିବାକୁ ସଫଳ ହୋଇଥିଲା ପୋଲିସ।

ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କ ସାମ୍ବାଦିକ ବନ୍ଧୁ ଅଭିଜିତ ଆୟାର ମିତ୍ର ଏବଂ ଆରତୀ ଟିକୁ ସିଂଙ୍କୁ ସାଥୀରେ ଧରି ୧୫ ତାରିଖ ଦିନ ହେଲିକପ୍ଟରରେ ଯାଇଥିଲେ। ସେମାନେ ପୁରୀ, କୋଣାର୍କ, ଚିଲିକା ଓ କେନ୍ଦ୍ରାପଡ଼ା ଆକାଶମାର୍ଗରୁ ବୁଲି ଦେଖିଥିଲେ। ଚିଲିକା ଉପରେ ଅଳ୍ପ ଉଚ୍ଚତାରେ ହେଲିକପ୍ଟର ଉଡ଼ାଇବା ଅଭିଯୋଗ ନେଇ ବୈଜୟନ୍ତଙ୍କ ସହ ଏହି ଦୁଇ ସାମ୍ବାଦିକଙ୍କ ନାଁରେ ପୁରୀ ସମୁଦ୍ରକୂଳ ଥାନାରେ ୧୭ ତାରିଖରେ ଏତଲା ହୋଇଥିଲା।

ଅନ୍ୟପକ୍ଷରେ ବୈଜୟନ୍ତ ପଣ୍ଡାଙ୍କୁ ନେଇ ଉଠାପକା ଚାଲିଥିବା ବେଳେ ସାମ୍ବାଦିକ ଅଭିଜିତଙ୍କ କାରନାମା ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ୧୬ ତାରିଖ ଦିନ କୋଣାର୍କ ମନ୍ଦିରକୁ ବୁଲିଯିବା ବେଳେ ମନ୍ଦିର କାରୁକାର୍ଯ୍ୟକୁ ଅଶ୍ଲୀଳ, ହିନ୍ଦୁ ଧର୍ମ ବିରୋଧୀ ଏବଂ ମୁସଲମାନଙ୍କ ଚକ୍ରାନ୍ତ କହି ନିଜ ଟୁଇଟର ହ୍ୟାଣ୍ଡେଲରେ ଏକ ଭିଡିଓ ଅପ୍‌ଲୋଡ କରିଥିଲେ ଅଭିଜିତ।

କୋଣାର୍କ ଥାନାରେ ଏତଲା

କୋଣାର୍କ ମନ୍ଦିର ପରିସରରେ ଛିଡ଼ା ହୋଇ ଅଭିଜିତ ଯେଉଁ ଆପତ୍ତିଜନକ ଭିଡିଓ ରେକର୍ଡ କରି ନିଜ ସୋସିଆଲ ମିଡିଆ ପେଜରେ ଅପ୍‌ଲୋଡ କରିଛନ୍ତି ସେ ବାବଦରେ କୋଣାର୍କ ଥାନାରେ ଏତଲା ହୋଇଛି। ବିମ୍ବାଧର ବେଉରା ନାମକ ଜଣେ ବ୍ୟକ୍ତି ଏହି ଏତଲା ଦାୟର କରିଛନ୍ତି। ଏହାକୁ ଆଧାର କରି ପୋଲିସ ୯୨/୧୮ ନମ୍ବର କେସ୍ ରୁଜୁ କରିଛି। ଏଥିରେ ଅଭିଜିତଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ୩୪, ୧୫୩(ଏ), ୨୯୫(ଏ), ୨୯୮ ଏବଂ ସୂଚନା ଓ ପ୍ରଯୁକ୍ତି ଆଇନର ୬୬ ଧାରା ତଥା ଆନସିଏଣ୍ଟ ମନ୍ୟୁମେଣ୍ଟ ଆଣ୍ଡ ଆର୍କିଓଲୋଜିକାଲ ଆଣ୍ଡ ରିମେନ୍ସ ଆକ୍ଟ ୧୯୫୮ ଧାରାରେ ମାମଲା ରୁଜୁ ହୋଇଛି।

କୋଣାର୍କ ମନ୍ଦିର ଏବଂ ଓଡ଼ିଶାର କଳା ସଂସ୍କୃତି ଓ ସାଂସ୍କୃତିକ ଭାବନା ପ୍ରତି ଏହାକୁ ଏକ କୁଠାରଘାତ ବୋଲି ଅଭିଯୋଗ କରି ଓଡ଼ିଶାର ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଶେଷକରି ଏହି ଘଟଣାକୁ ଦଳମତ ନିର୍ବିଶେଷରେ ଓଡ଼ିଶା ବିଧାନସଭାର ସଦସ୍ୟମାନେ ଗୁରୁତର ସହ ନେଇଛନ୍ତି। ଅଭିଜିତଙ୍କୁ ଗିରଫ କରିବା ସହ ବିଧାନସଭାରେ ତାଙ୍କୁ ହାଜର କରିବା ଏବଂ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି, କଂଗ୍ରେସ ଏବଂ ବିଜେପିର ସଦସ୍ୟମାନେ ଦାବି କରିଛନ୍ତି।

ଅଭିଜିତଙ୍କ ପରେ ଫସିବେ ଆରତୀ ଟିକୁ ସିଂ!

କୋଣାର୍କ ମନ୍ଦିର ଭଳି ବିଶ୍ୱ ଐତିହ୍ୟ ସ୍ଥାନ ସମ୍ପର୍କରେ ହୀନ ମନ୍ତବ୍ୟ ଦେଇ ସାମ୍ବାଦିକ ଅଭିଜିତ ଫସିଥିବା ବେଳେ ଏବେ ପୋଲିସ ସ୍କାନରରେ ଆରତୀ ଟିକୁ ସିଂହ। କାରଣ ପ୍ରାଥମିକ ସୂଚନା ଅନୁଯାୟୀ ଘଟଣା ଦିନ ଅଭିଜିତଙ୍କ ସହିତ ଆରତୀ କୋଣାର୍କ ମନ୍ଦିର ପରିଦର୍ଶନ କରିଥିଲେ। ଯେଉଁ ଭିଡିଓକୁ ନେଇ ମୂଳ ବିବାଦ ହୋଇଛି ସେହି ଭିଡିଓ ଆରତୀ କ୍ୟାମେରାରେ କ୍ୟାପଚର କରିଥିବା ପୋଲିସ ସନ୍ଦେହ କରୁଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅଭିଜିତକୁ ଜେରା କରିବା ବେଳେ କୋଣାର୍କ ପୋଲିସ ଏ ସମ୍ପର୍କରେ ତଥ୍ୟ ବାହାର କରିବ।

ଓଡ଼ିଶା ଏବଂ ଜାତୀୟ ସ୍ତରରେ ଗଣମାଧ୍ୟମଗୁଡ଼ିକ ବୈଜୟନ୍ତଙ୍କ ଉପରେ ନଜର ରଖିଥିବା ବେଳେ ପୁରୀ ଏବଂ କୋଣାର୍କ ପୋଲିସ କାହାକୁ ଟେର୍ ନଦେଇ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ଏହି ଏତଲା ଏବଂ ପୋଲିସର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଖବର ନପାଇବା ପୋଲିସର ଏକ ସଫଳତା ବୋଲି ବିଚାର କରାଯାଉଛି। ପ୍ରଥମ ଦଫାରେ ପୋଲିସ ଅଭିଜିତଙ୍କୁ ଆଇନର ପରିସରଭୁକ୍ତ କରିଥିବା ବେଳେ ଦ୍ୱିତୀୟ ପାହାଚରେ ଆରତୀଙ୍କୁ ଟାଣିବା ଭଳି ସୂଚନା ମିଳୁଛି।

ଚିଲିକା ଉପରେ ହେଲିକପ୍ଟର ଉଡ଼ାଇବା ଘଟଣାରେ ବୈଜୟନ୍ତଙ୍କୁ ଫସାଇବା ପାଇଁ ପୋଲିସର ଉଦ୍ୟମ ଫସର ଫାଟି ଯାଇଛି। କିନ୍ତୁ ଏକ କାଉଣ୍ଟର ହିସାବରେ ପୋଲିସ ବୈଜୟନ୍ତଙ୍କ ଦୁଇ ଅତିଥିଙ୍କୁ ଥାନାକୁ ଭିଡ଼ିବା ପାଇଁ ଏବେ ବାଟ ପରିଷ୍କାର ହୋଇଯାଇଛି।

LEAVE A REPLY

Please enter your comment!
Please enter your name here