ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସୀମା ଅତିକ୍ରମ କରି ଛତିଶଗଡ଼ରେ ପ୍ରବେଶ କରିଛି ଘୂର୍ଣ୍ଣଝଡ଼ ଡାଏ। ଡିପ୍‌ ଡିପ୍ରେସନର ରୂପ ନେଇ ଆଗକୁ ମାଡ଼ି ଚାଲିଛି ଡାଏ। ଏହାର ପ୍ରଭାବରେ ଓଡ଼ିଶା, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଉପକୂଳ ଅଞ୍ଚଳରେ ୪ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ବର୍ଷା ସମ୍ଭାବନା ଥିବାରୁ ମହାନଦୀରେ ଜଳସ୍ତର ବଢ଼ିବାର ଆଶଙ୍କା ରହିଛି। ୨୨ ତାରିଖ ଯାଏଁ ବର୍ଷାର ପ୍ରଭାବ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଗୁରୁବାର ମଧ୍ୟରାତ୍ରିରେ ଗୋପାଳପୁର ଅତିକ୍ରମ କରିଥିଲା ଡାଏ। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା। ବିଶେଷକରି ମାଲକାନଗିରି, କୋରାପୁଟ, କଳାହାଣ୍ଡି, ପୁରୀ ଆଦି ଜିଲ୍ଲାରେ ଅଧିକ ବର୍ଷ ହୋଇଛି। ମାଲକାନଗିରି ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ ୨୬୫.୪ ମିଲିମିଟର ବର୍ଷା ହୋଇଥିବା ବେଳେ କୋରୁକୋଣ୍ଡା ବ୍ଳକରେ ୪୦୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମାଲକାନଗିରି ଏବଂ ବାଲିମେଳା ଭିତରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

କେରାପୁଟରେ ପ୍ରବଳ ବର୍ଷା ହୋଇଥିବାରୁ କୋଲାବ ଜଳଭଣ୍ଡାରର ଦୁଇଟି ଗେଟ୍ ଖୋଲାଯାଇଛି।

Comment