ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ

ବିଶାଖାପାଟଣାରେ ଦ୍ୱିତୀୟ ବର୍ଷ ପାଇଁ ଆୟୋଜିତ ହୋଇଛି ନୂଆଁଖାଇ ଭେଟଘାଟ।

ମା’ ମାଟିଠାରୁ ଦୂରରେ ରହିଲେ ବି ଗଣପର୍ବ ନୂଆଁଖାଇକୁ ଦୂରେଇ ଦେଇ ନାହାନ୍ତି ପ୍ରବାସୀ ଓଡ଼ିଆ। ପଶ୍ଚିମ ଓଡ଼ିଶାର ସୀମା ଡେଇଁ ନୂଆଁଖାଇ ଚଳିତ ବର୍ଷ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହରରେ ପାଳିତ ହୋଇଛି।

ଗତ ସେପ୍ଟେମ୍ବର ୨୨ ତାରିଖ ସନ୍ଧ୍ୟାରେ ବିଶାଖାପାଟଣାର ଦଶପଲ୍ଲା ହିଲସ ନିକଟ ଜଗନ୍ନାଥଙ୍କ ମନ୍ଦିର ପରିସରରେ ନୂଆଁଖାଇ ପର୍ବ ପାଳନ କରିଥିଲେ ଓଡ଼ିଆ। ଏହାକୁ ଅଗ୍ରଣୀ ଓଡ଼ିଆ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ସମାଜ ଆୟୋଜନ କରିଥିଲା। ଏଥିରେ ୫ ହଜାରରୁ ଅଧିକ ପ୍ରବାସୀ ଓଡ଼ିଆ ସାମିଲ ହୋଇଥିଲେ। ସମ୍ବଲପୁରୀ ନାଚ, ଗୀତରେ ଝୁମିଥିଲେ ପ୍ରବାସୀ ଓଡ଼ିଆ।

ଏହି ଉତ୍ସବରେ ଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗଙ୍କ ଏବଂ ଶାଶ୍ୱତ ତ୍ରିପାଠୀ ଯୋଗଦେଇଥିଲେ। ଏହି ଉତ୍ସବରେ ସମ୍ବଲପୁରୀ ନୃତ୍ୟ, ଗୀତ ଏବଂ ଏକାଙ୍କିକାକୁ ପଦ୍ମଶ୍ରୀ ହଳଧର ନାଗ ଓ  ଶାଶ୍ୱତ ତ୍ରିପାଠୀଙ୍କ ଗ୍ରୁପ ପରିବେଷଣ କରିଥିଲେ। ନୂଆଁଖାଇ ପର୍ବରେ ଦେଶୀ ଖାଦ୍ୟର ମଜା ନେଇଥିଲେ ପ୍ରବାସୀ ଓଡ଼ିଆ। ଏହି ଅବସରରେ ସମ୍ବଲପୁରୀ ପିଠା ସାଙ୍ଗକୁ ଆମ୍ବିଳ ପ୍ରସ୍ତୁତ କରାଯାଇଥିଲା।

ପଦ୍ମଶ୍ରୀ ହଳଧର ନାଗ ଓ  ଶାଶ୍ୱତ ତ୍ରିପାଠୀ କିଛି ଗୀତକୁ ସୁଦୂର ଦୁବାଇରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ସମର୍ପଣ କରିଥିବା ବେଳେ ଆଉ କିଛି ଗୀତ ସ୍ୱାଧୀନତା ସଂଗ୍ରାମୀ, ଯବାନମାନଙ୍କୁ ସମର୍ପଣ କରିଥିଲେ। ପଦ୍ମଶ୍ରୀ ହଳଧର ନାଗ ଓ  ଶାଶ୍ୱତ ତ୍ରିପାଠୀ କହିଛନ୍ତି ଯେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ କେବଳ ପଶ୍ଚିମ ଓଡ଼ିଶାରେ ନୁହଁ ସାରା ବିଶ୍ୱରେ ପାଳନ କରାଯାଉଛି। ଏହାକୁ ସ୍ୱତନ୍ତ୍ର ପର୍ବ ବିବେଚନା କରାଯାଉଛି। ଏହି ପର୍ବ ଜନସାଧାରଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଓ ଭାଇଚାରାକୁ ବଜାୟ ରଖିବାରେ ମୁଖ୍ୟ ସୋପାନ ହୋଇପାରିଛି।

ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମକୁ ବିଶାଖାପାଟଣାରେ ଆୟୋଜନ କରିବା ପାଇଁ ଉତ୍କଳ ସାଂସ୍କୃତିକ ସମାଜର ସଭାପତି ଜିତେନ୍ଦ୍ର କୁମାର ନାୟକ ଓ ତାଙ୍କ ସହଯୋଗୀ ସି ଆର୍ ପଣ୍ଡା ଗତ ୨ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥିଲେ।

Comment