ଓଡ଼ିଶାଲାଇଭ୍‌ ବ୍ୟୁରୋ

ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ହକି ବିଶ୍ୱକପ୍ ପାଇଁ ଓଡ଼ିଶା ସରକାର କୌଣସି ଉଦ୍ୟମକୁ ହାତଛଡ଼ା କରୁନାହାଁନ୍ତି। ଯେଉଁମାନେ ଖେଳିବାକୁ ଆସିବେ ସେମାନେ ଯେପରି ଭଲ ଆତିଥ୍ୟ ପାଇବେ ଓ ଏହି ଗସ୍ତ ସବୁଦିନ ପାଇଁ ମନେରଖିବେ ସେନେଇ ଯାବତୀୟ ବ୍ୟବସ୍ଥା କରାଯାଇଛି।

ରାଜଧାନୀରେ ଥିବା ସବୁ ବଡ଼ବଡ଼ ହୋଟେଲ ଯଥା ଟ୍ରାଇଡେଣ୍ଟ ହିଲଟନ, ମେଫେୟାର ଲାଗୁନ, ସ୍ୱସ୍ତି ପ୍ରିମିୟମ, ସାଣ୍ଡିଜ୍ ଟାୱାର ଓ ଫରଚୁନ ପାର୍କ ସିସମୋ ଆଦି ଷ୍ଟାର ହୋଟେଲର ସବୁ ରୁମ୍ ବୁକ୍ ହୋଇ ସାରିଛି। ଏହିସବୁ ହୋଟେଲରେ ଥିବା ପ୍ରାୟ ୨୫୦ ରୁମ ପ୍ରାୟ ୨୦ ଦିନ ଧରି କେବଳ ଖେଳାଳିଙ୍କ ପାଇଁ ସଂରକ୍ଷିତ ରହିବ। ବିଶ୍ୱ କପ୍ ଖେଳିବା ପାଇଁ ୧୬ଟି ଟିମ ଆସୁଛନ୍ତି। ଜାତୀୟ କ୍ୟାମ୍ପ ପାଇଁ ସାଣ୍ଡିଜ୍ ଟାୱାରରେ ବର୍ତ୍ତମାନ ରହୁଥିବା ଭାରତୀୟ ଟିମ ବିଶ୍ୱ କପ୍ ଶେଷ ପର୍ଯ୍ୟନ୍ତ ରହିବେ ବୋଲି ଜଣାପଡ଼ିଛି।

ଖବର ଅନୁସାରେ ହକି ଇଣ୍ଡିଆ ଓ ଆନ୍ତର୍ଜାତିକ ହକି ଫେଡେରେସନର କର୍ମକର୍ତ୍ତା ଟ୍ରାଇଡେଣ୍ଟ ହୋଟେଲରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ତିନି ଚାରିଟି ଟିମ୍ ମେଫେୟାର ହୋଟେଲରେ ଅବସ୍ଥାନ କରିବେ। ଯେଉଁ ସବୁ ଦେଶ ଏହି ବିଶ୍ୱକପ୍‌ରେ ଅଂଶ ଗ୍ରହଣ କରିବାକୁ ଯାଉଛନ୍ତି ସେହି ଦେଶର ପର୍ଯ୍ୟବେକ୍ଷକମାନେ ଖୁବ୍ ଶୀଘ୍ର ଆସି ନିଜ ନିଜ ଟିମ୍‌ ରହିବା ବ୍ୟବସ୍ଥା ଚୂଡ଼ାନ୍ତ କରିବେ। ନ୍ୟୁଜିଲାଣ୍ଡ ଓ ମାଲେସିଆର ପର୍ଯ୍ୟବେକ୍ଷେକ ଇତି ମଧ୍ୟରେ ଆସି ତାଙ୍କ ଟିମ୍ର ରହିବା ପାଇଁ ହୋଟେଲ ସ୍ଥିର କରି ଫେରିଯାଇଛନ୍ତି। ସେମାନେ ଏଠାକାର ହୋଟେଲର ସୁବିଧା ଦେଖି ଖୁସି ହୋଇଥିବା ଜଣାପଡ଼ିଛି। ନଭେମ୍ବର ଦ୍ୱିତୀୟ ସପ୍ତାହରେ ଅନ୍ୟ ଦେଶର କର୍ମକର୍ତ୍ତା ଆସି ବ୍ୟବସ୍ଥାର ତଦାରଖ କରିବେ।

ସୂଚନା ମିଳିଛି ଯେ ପ୍ରତି ଟିମରେ ୧୮ ଜଣ ଖେଳାଳି, ଚିଫ କୋଚ୍, ଆସିଷ୍ଟାଣ୍ଟ କୋଚ୍, ଗୋଲ କିପର, ଫିଜିକାଲ ଟ୍ରେନର, ଟିମ ଡାକ୍ତର, ଫିଜିଓ ଥେରାପିଷ୍ଟ, ମସାଜ ଥେରାପିଷ୍ଟ, ଯୋଗ ଥେରାପିଷ୍ଟ ଓ ମ୍ୟାନେଜରଙ୍କ ପାଇଁ ୧୩ରୁ ୧୫ଟି ରୁମ୍ ଦରକାର ହେବ।

ଇତି ମଧ୍ୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବିଶ୍ୱ କପ୍ ସ୍ଥାନ ବୁଲି ଦେଖିଛନ୍ତି। ଚଳିତ ୧୦ ତାରିଖରେ ମୁଖ୍ୟ ଖେଳ ସ୍ଥାନର ଉନ୍ମୋଚନ ହେବ। ଷ୍ଟାଡିୟମର ଭିତ୍ତିଭୂମି ଓ ପୁନଃନିର୍ମାଣ କାମ ଜୋରସୋରରେ ଚାଲୁଥିବା ବେଳେ ହକି ଟର୍ଫ ଓ ଆଲୁଅ ବ୍ୟବସ୍ଥା କାମ ଶେଷ ହୋଇଛି।

Comment