ମାଲକାନଗିରିରୁ ଇଶ୍ୱର ପଟ୍ଟନାୟକ

- ମାଲକାନଗିରି ଗୋରାଖୁଣ୍ଟା ପଞ୍ଚାୟତର କୁର୍ସୁୱାଡ଼ା ଗାଁ
- ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଏକାଠି ହେଲେ ଗ୍ରାମବାସୀ
- ଚାନ୍ଦା ଆଦାୟ କରି ନିର୍ମାଣ କଲେ କମ୍ୟୁନିଟି ଗୃହ
- ଶିକ୍ଷିତ ଯୁବକଙ୍କୁ ଦେଲେ ନିଯୁକ୍ତି
ଆଦିବାସୀ ପିଲାଙ୍କ ଶିକ୍ଷାରେ ଉନ୍ନତି ପାଇଁ ଗାଁଲୋକଙ୍କ ଅଭିନବ ପ୍ରୟାସ। ନିର୍ମାଣ କଲେ ଗାଁରେ ଏକ କମ୍ୟୁନିଟି ଗୃହ। ଗାଁର ଜଣେ ଶିକ୍ଷିତ ଯୁବକଙ୍କୁ ନିୟୋଜିତ କରି ସକାଳେ ଓ ସନ୍ଧ୍ୟାରେ ପିଲାଙ୍କୁ ପାଠ ପଢ଼ାଇବାର ବ୍ୟବସ୍ଥା କଲେ। ଗାଁଲୋକେ ଚାନ୍ଦାଭେଦା କରି ପାଠ ପଢ଼ାଉଥିବା ଯୁବକଙ୍କୁ ମାସକୁ କିଛି ପାଉଣା ଦେଉଛନ୍ତି। ଏଭଳି ନିଆରା ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଏକ ନିପଟ ଗାଉଁଲି ଗାଁରେ।
ଆମେ ତ ଆଦିବାସୀ, ଅପାଠୁଆ। ହେଲେ ଆମ ପିଲାଙ୍କୁ କିନ୍ତୁ ଆମରି ଅବସ୍ଥାରେ ରଖିବାକୁ ଦେବୁନି। ସେଥିପାଇଁ ବ୍ୟବସ୍ଥା ହେଲା ଏକ୍ସଟ୍ରା କ୍ଲାସ୍। ଏକ୍ସଟ୍ରା କ୍ଲାସମାନେ ଆମେ ସାଧାରଣତଃ ସହରରେ ଟ୍ୟୁସନ, କୋଚିଂ ବୋଲି ବୁଝୁ। ହେଲେ ଆଦିବାସୀ ଅଞ୍ଚଳରେ ଏକ୍ସଟ୍ରା କ୍ଲାସ୍ କଥା ଚିନ୍ତା କରିବା ବାହାରେ। ଏମିତି କିଛି ନିଆରା ବ୍ୟବସ୍ଥା କରାଯାଇଥିବାର ଦେଖିବାକୁ ମିଳିଛି ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୋରାଖୁଣ୍ଟା ପଞ୍ଚାୟତର କୁର୍ସୁୱାଡା ଗ୍ରାମରେ।
ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଏଥିପାଇଁ କୁର୍ସୁୱାଡାର ସମସ୍ତ ଗ୍ରାମବାସୀ ଅଣ୍ଟା ଭିଡ଼ିଛନ୍ତି ଏକ୍ସଟ୍ରା କ୍ଲାସ କରି ପିଲାଙ୍କୁ ଭଲ ଶିକ୍ଷାଦାନ କରାଇବେ। ଗାଁଲୋକେ ମିଶି ଅର୍ଥଦାନ ଓ ଶ୍ରମଦାନ କରି ନିର୍ମାଣ କରିଲେ ଏକ କମ୍ୟୁନିଟି ଗୃହ। ଭଲମନ୍ଦ ସମୟରେ ଗାଁର ଯେକୌଣସି ଲୋକ ଏହାକୁ ବ୍ୟବହାର କରିପାରିବେ। ଏହାସହ ଆଉ ଏକ ବଡ଼ ଉଦ୍ଦେଶ୍ୟ ହେଲା ଗାଁର ପିଲାଙ୍କୁ ସେଠାରେ ଦିଆଯିବ ଏକ୍ସଟ୍ରା କ୍ଲାସ୍। ସକାଳେ ଓ ସନ୍ଧ୍ୟାରେ ପିଲାମାନେ ଏଠାରେ ପାଠ ପଢ଼ିବେ। ସରକାରୀ ବିଦ୍ୟାଳୟରେ ପିଲାମାନେ ଠିକ ପାଠ ପଢ଼ିପାରୁ ନଥିବାରୁ ଏଭଳି ବ୍ୟବସ୍ଥା କରିଥିବା କହିଛନ୍ତି ଗାଁଲୋକେ।
ସରକାରଙ୍କ ସର୍ବଶିକ୍ଷା ଅଭିଯାନ, ସଭିଏଁ ବଢନ୍ତୁ ସଭିଏଁ ପଢନ୍ତୁ ଏମିତି କେତେ କଣ ଯୋଜନା ରହିଛି। ଏଥିପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ହେଲେ ବିଦ୍ୟାଳୟଗୁଡିକର ଭିତ୍ତିଭୂମିର ଉନ୍ନତି ହୋଇଛି ସତ ହେଲେ ପିଲାଙ୍କ ଶିକ୍ଷାର ମାନରେ କିଛି ପରିବର୍ତ୍ତନ ହୋଇପାରୁନାହିଁ। ଆଦିବାସୀ ଅଞ୍ଚଳର କଥା ତ ନକହିଲେ ଭଲ। କୁର୍ସୁୱାଡା ଗ୍ରାମବାସୀ କିନ୍ତୁ ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ଉପରେ ଆଉ ଭରସା କରିନାହାନ୍ତି। ନିଜ ପିଲାଙ୍କ ଶିକ୍ଷାର ଉନ୍ନତି ପାଇଁ ନିଜେ ହିଁ ନେଲେ ସଂକଳ୍ପ।
କର୍ସୁୱାଡା ଗ୍ରାମବାସୀଙ୍କ ଏଭଳି ପଦକ୍ଷେପ ଅନ୍ୟ ଅଞ୍ଚଳବାସୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ପଞ୍ଚାୟତର ଅନ୍ୟ ଗ୍ରାମବାସୀଙ୍କୁ ମଧ୍ୟ ଉତ୍ସାହିତ କରାଯିବ ବୋଲି କହିଛନ୍ତି ଗୋରାଖୁଣ୍ଟା ସରପଞ୍ଚ ଏରା ପଡିଆମି। କୁର୍ସୁୱାଡା ଗ୍ରାମବାସୀଙ୍କ ଉଦ୍ୟମକୁ ଜିଲ୍ଲା ପ୍ରଶାସନ ତଥା ଶିକ୍ଷା ବିଭାଗ ଏକ ରୋଲ ମଡେଲ ଭାବେ ଗ୍ରହଣ କରି ଅନ୍ୟ ଅଞ୍ଚଳରେ ପ୍ରଚାର ପ୍ରସାର କରିଲେ ନିଶ୍ଚୟ ପ୍ରଭାବ ପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି।














