କପିଳାସ ଭୂୟାଁ

ଭୁବନେଶ୍ଵରରେ ରହିଥିବା ସମସ୍ତ ୧୦ଟି ଯାକ ପ୍ରାକୃତିକ ନିଷ୍କାସନ ପ୍ରଣାଳୀଗୁଡ଼ିକର ଅବସ୍ଥା ଅତି ଶୋଚନୀୟ। ଏହାର ଏକ ମୁଖ୍ୟ କାରଣ ହେଲା ଜବରଦଖଲ କରି ସବୁ ନିୟମ କାନୁନକୁ ଆଖି ବୁଜିଦେଇ ଘର ଦ୍ଵାର ନିର୍ମାଣ କରିବା। ତେଣୁ ପ୍ରାକୃତିକ ଭାବେ ଯେତିକି ଅଞ୍ଚଳ ଦେଇ ବର୍ଷା ଜଳ ନିଷ୍କାସନ ହୋଇ ପାରୁଥିଲା ତାହାର ପଥ ଅବରୋଧ ହେଲା ଓ କାଳକ୍ରମେ ନିଷ୍କାସିତ ସ୍ଥାନ ସଙ୍କୁଚିତ ହେବାରେ ଲାଗିଲା। ଫଳରେ ଏକଦା ଯେଉଁ ନିଷ୍କାସନ ପ୍ରଣାଳୀଗୁଡ଼ିକ ବେଶ ପ୍ରଶସ୍ତ ଥିଲା, ଏବକୁ ସେଗୁଡ଼ିକ ସଙ୍କୁଚିତ ହୋଇ ନାଳରେ ପରିଣତ ହୋଇଗଲାଣି!

ସହରର ନାନାଦି ଆବର୍ଜନା, ବିଶେଷ କରି ପ୍ଲାଷ୍ଟିକ ବ୍ୟାଗ ଓ ଅନ୍ୟାନ୍ୟ ମାଟିରେ ମିଶୁ ନ ଥିବା ଅଳିଆ ଯୋଗୁଁ ନାଳଗୁଡ଼ିକ ପୋତି ହୋଇ ଅବସ୍ଥା ଦିନକୁ ଦିନ ଅଧିକ ସାଂଘାତିକ ହେଉଛି। ଅର୍ଥାତ ସାମାନ୍ୟ ଦି’ ଅସରା ବର୍ଷା ହୋଇଗଲେ ନାଳ ଭର୍ତ୍ତି ହୋଇ ପାଣି ରାସ୍ତା ଉପରେ ଚାଲୁଛି। ଯଦି ଲଗାଣ ବର୍ଷା ହେଲା ତେବେ ତ କଥା ସରିଲା। ପାଣି ନାଳରୁ ଆସି ରାସ୍ତା, ଓ ତା’ ପରେ ଘର ଘର ଭିତରେ ପଶି ଲହଡ଼ି ମାରୁଛି  ଏବଂ ଲୋକେ ଗୋଡ଼ ଟେକି ଚଉକି ଓ ଖଟ ଉପରେ ବସି ଦିନ ରାତି କଟାଇବାକୁ ବାଧ୍ୟ ହେଉଛନ୍ତି। ପ୍ରତି ବର୍ଷ ବର୍ଷା ଦିନେ ଏଭଳି ଦୃଶ୍ୟର ଫୋଟୋଚିତ୍ର ଖବର କାଗଜଗୁଡ଼ିକରେ ଦେଖିବା ଏକ ସାଧାରଣ କଥାରେ ପରିଣତ ହୋଇଗଲାଣି।

ଚଳିତ ବର୍ଷର ଜୁଲାଇ ଓ ଅଗଷ୍ଟ ମାସରେ ଲଗାଣ ବର୍ଷା ଯୋଗୁ ଅବସ୍ଥା ଅତି ସାଂଘାତିକ ହୋଇଥିଲା। ୧୬ ନମ୍ବର ଜାତୀୟ ରାଜପଥର ଇସ୍କନ ମନ୍ଦିର ନିକଟରେ ପାଣି ଜମା ହୋଇ ଗାଡ଼ି ମଟରଗୁଡ଼ିକୁ ବୁଡ଼ାଇ ଦେଇଥିଲା। ନିକଟରେ ଥିବା ପ୍ରାକୃତିକ ନାଳଟିକୁ ପୋତି ଦିଆ ଯାଇଥିବାରୁ ଓ ଇସ୍କନ ମନ୍ଦିର ନିକଟରେ ଢାଲୁ ଅଞ୍ଚଳକୁ ପୋତିଦେଇ ଉଚ୍ଚ କରି କଂକ୍ରିଟ କରି ଦିଆଯାଇଥିବାରୁ ଏହି କୃତ୍ରିମ ବନ୍ୟା ସୃଷ୍ଟି ହୋଇଥିଲା।

ଏହି କୃତ୍ରିମ ବନ୍ୟା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରୁ ବିଏମସି ପକ୍ଷରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ସେଠାରେ ଠିକ ରୂପେ ଫ୍ଲାଏ ଓଭର ତିଆରି କରି ନ ଥିବାରୁ ପ୍ରଥମେ ଦୋଷ ଦିଆ ଯାଇଥିଲା। କିନ୍ତୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହି ଦୋଷକୁ ଆଦୌ ଗ୍ରହଣ ନକରି ବିଏମସି ଓ ବିଡିଏ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଏଭଳି କୃତ୍ରିମ ବନ୍ୟା ଏଠାରେ ପ୍ରତି ବର୍ଷ ହେଉଛି ବୋଲି ଦୋଷ ଲେଉଟାଇ ଦେଇଥିଲେ। ଯାହା ଫଳରେ ବିଏମସି ଓ ବିଡିଏ କର୍ତ୍ତୃପକ୍ଷ ବାଧ୍ୟ ହୋଇ ନିଜ ଭୁଲ ସୁଧାରିବାକୁ ଯାଇ ଇସ୍କନ ମନ୍ଦିର ଦ୍ଵାରା ଜବରଦଖଲ ହୋଇଥିବା ସ୍ଥାନକୁ ନାନା ବିରୋଧ ସତ୍ତ୍ୱେ କିଛିଟା ମୁକ୍ତ କଲେ। କିନ୍ତୁ ତାହା ଯଥେଷ୍ଟ ନୁହେଁ।

ପ୍ରାକୃତିକ ନିଷ୍କାସନ ପ୍ରଣାଳୀଗୁଡ଼ିକୁ ଜବରଦଖଲ କରି ପଥରୋଧ କରିଥିବା ଅଞ୍ଚଳ ମଧ୍ୟରେ ପ୍ରଥମେ ଆଖିରେ ପଡ଼େ ଜୟଦେବ ବିହାର ଓ ଆଚାର୍ଯ୍ୟ ବିହାର, ଏବଂ ତା’ ପରେ ୯ ନମ୍ବର, ସତ୍ୟ ନଗର ଓ ବମିଖାଲ ତଳିଆ ଅଞ୍ଚଳ। ଏକଦା ଜୟଦେବ ବିହାର ଓ ମେଫେୟାର ଛକକୁ ସଂଯୋଗ କରୁଥିବା ରାସ୍ତା ନଥିଲା। ସେଠାରେ ପ୍ରାକୃତିକ ନିଷ୍କାସନ ପ୍ରଣାଳୀଟି ବେଶ ପ୍ରଶସ୍ତ ଥିଲା। ଏବେ ଯେଉଁ ଠାରେ ବ୍ରିଜ କରି ରାସ୍ତାଟିକୁ ସଂଯୁକ୍ତ କରାଯାଇଛି ପ୍ରକୃତ ନିଷ୍କାସନ ପ୍ରଣାଳୀର ଚଉଡ଼ା ଅନ୍ତତଃ ଏହି ବ୍ରିଜର ଚାରିଗୁଣା ଅଧିକ ଥିଲା। ଉଭୟ ପାର୍ଶ୍ଵରେ ସାଲିଆ ସାହି ବସ୍ତି ମାଟି ପୋତି ଘରଦ୍ଵାର କଲେ, କିନ୍ତୁ ସେମାନଙ୍କୁ କେହି ବାଧା ଦେଲେ ନାହିଁ।

ସେହିଭଳି ଅନ୍ୟ ଅଞ୍ଚଳରେ ଯାହା ଚାଷ ଜମି ଭାବେ ଥିଲା ତାହାକୁ ଲୋକେ କିଣି ନେଇ ଘରବାଡ଼ି କିସମକୁ ପରିବର୍ତ୍ତିତ କରି ପାଚେରି ଉଠାଇଲେ ଓ ଘରଦ୍ଵାର କଲେ। ତାହା ବି ବିନା ବାଧାରେ ହେଲା। ଏବେ ଜୟଦେବ ବିହାରଠାରେ ପ୍ରାକୃତିକ ନିଷ୍କାସନ ପ୍ରଣାଳୀଟି ଯେଉଁ ନାଳରେ ପରିଣତ ହୋଇଛି ତାହାକୁ ସଫେଇ କରିବା ପାଇଁ ବିଏମସିର ଗାଡ଼ି ପଶି ପାରୁନାହିଁ। ନାଳଟି ଏବେ ପୋତି ହେବାକୁ ବସିଲାଣି। ଭୋଟ ରାଜନୀତି ପାଇଁ ସାଲିଆ ସାହିର ଯେଉଁମାନେ ଅବରୋଧ କରିଛନ୍ତି ସେମାନଙ୍କୁ ଉଚ୍ଛେଦ କରାଯାଇ ପାରୁନାହିଁ। ଆଚାର୍ଯ୍ୟ ବିହାରରେ ତ ପାଣି ଯିବା ପାଇଁ ଆଦୌ କୌଣସି ବାଟ ହିଁ ନାହିଁ। ଅବଶ୍ୟ ଏହାର ପରିଣାମ ସେହିମାନେ ଭୋଗୁଛନ୍ତି ଓ ଆଗକୁ ଆହୁରି ଅଧିକ ମାତ୍ରାରେ ଭୋଗିବେ ବୋଲି ବିନା ଦ୍ଵିଧାରେ କୁହାଯାଇ ପାରେ।

କହିବା କଥା ହେଲା ଯେ ସହର ସଂପ୍ରସାରଣ କରିବା ବେଳେ ଉତ୍ତମ ନିଷ୍କାସନ ପ୍ରଣାଳୀ ପ୍ରତି କୌଣସି ଧ୍ୟାନ ନ ଦେବା ଓ ପ୍ରାକୃତିକ ନିଷ୍କାସନ ପ୍ରଣାଳୀଗୁଡ଼ିକୁ ଜବରଦଖଲ କରି ସେଠାରେ ଘରଦ୍ଵାର ନିର୍ମାଣ କରି ପଥରୋଧ କରିବା ଦ୍ଵାରା ବର୍ଷା ଦିନେ ମୁଖ୍ୟ ରାସ୍ତାଗୁଡ଼ିକରେ ପାଣି ଜମି ଯାଉଥିବା ବେଳେ ଜନବସତିଗୁଡ଼ିକ ମଧ୍ୟ କୃତ୍ରିମ ବନ୍ୟା ଦ୍ଵାରା ଆକ୍ରାନ୍ତ ହେଉଛି। ଏଥିପାଇଁ ଯଦି କାହାକୁ ଦୋଷୀ ବୋଲି କୁହାଯିବ ତେବେ ପ୍ରଥମ ସ୍ଥାନରେ ଆସିବ ବିଡିଏ କର୍ତୃପକ୍ଷଙ୍କ ନାଁ।

ନିୟମ ଅନୁଯାୟୀ ବିଡିଏ କର୍ତ୍ତୃପକ୍ଷଙ୍କ ଦ୍ଵାରା ଉପଯୁକ୍ତ ପ୍ଳାନ ଅନୁମୋଦନ ନ କରି ଭୁବନେଶ୍ଵରରେ କେହି ଘରଦ୍ଵାର ତିଆରି କରିପାରିବେ ନାହିଁ। ଯଦି କରିବେ ତେବେ ସେମାନଙ୍କ ଘରକୁ ବିଦ୍ୟୁତ କିମ୍ବା ଜଳ ଯୋଗାଣ ସଂଯୋଗ ଦିଆଯିବ ନାହିଁ। ତେବେ ୧୯୭୦ ଦଶକରୁ ପ୍ରଥମେ ବ୍ରିଟ ଓ ପରବର୍ତ୍ତୀ ସମୟରେ ରୂପାନ୍ତରିତ ହୋଇ ବିଡିଏ ପାଲଟି ଥିବା କର୍ତ୍ତୃପକ୍ଷ ପ୍ରାକୃତିକ ନିଷ୍କାସନ ପ୍ରଣାଳୀଗୁଡ଼ିକର ପଥରୋଧ କରୁଥିବା ଘରବାଡ଼ିଗୁଡ଼ିକର ନକ୍ସା କିପରି ଅନୁମୋଦନ କଲେ? ବା ସେହି ସବୁ ଅଞ୍ଚଳରେ ବସ୍ତିଗୁଡ଼ିକ ଗଢ଼ି ଉଠିବା ବେଳେ ଆଖି କେମିତି ବୁଜି ଦେଇଥିଲେ?

ଏହି ଘଟଣା ଗୋଟିଏ ଦିନରେ ଘଟି ନାହିଁ। ଆଉ ଏବେ ନାକ ବୁଡ଼ିବା ଅବସ୍ଥାରେ ପହଞ୍ଚି ଗଲା ପରେ ସମସ୍ତେ ନାଚାର। ଏହା ହେଲା ରାଜଧାନୀ ଭୁବନେଶ୍ଵରକୁ ସ୍ମାର୍ଟ ସିଟିରେ ପରିଣତ କରିବା ପାଇଁ କାମ କରୁଥିବା ସ୍ମାର୍ଟ ବିଡିଏ ସଂସ୍ଥା ଓ ଲୋଭଗ୍ରସ୍ତ ସ୍ମାର୍ଟ ସିଟିଜେନମାନଙ୍କ ପ୍ରକୃତ ରୂପ, ନୁହେଁ କି?

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ) 

Comment