ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ବନ୍ଦ ବେଳେ ଦେଖାଦେଇଥିବା ହିଂସାକାଣ୍ଡକୁ ନିନ୍ଦା କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ଗଣମାଧ୍ୟମରେ ଏନେଇ ପ୍ରତିକ୍ରିୟା ରଖି ହିଂସାକାଣ୍ଡକୁ ଦୁର୍ଭାଗ୍ୟଜନକ କହିଛନ୍ତି ଗଜପତି ମହାରାଜ।

“ପୁରୀ ବନ୍ଦ ବେଳେ ଯାହା ଘଟିଥିଲା ତାହା ଦୁର୍ଭାଗ୍ୟଜନକ। ଏହି ହିଂସାକାଣ୍ଡରେ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। ଏମିତି ଘଟଣା ଭବିଷ୍ୟତରେ ଯେମିତି ନଘଟିବ ସେଥିପ୍ରତି ସମସ୍ତେ ଧ୍ୟାନ ଦେବା ଉଚିତ”, କହିଛନ୍ତି ଗଜପତି ମହାରାଜ।

ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଗଜପତି ମହାରାଜ ପୁରୀ ବାସିନ୍ଦାଙ୍କୁ ନିବେଦନ କରିଛନ୍ତି।

ଏପଟେ ହିଂସାକାଣ୍ଡରେ ଗିରଫଦାରୀକୁ ବିରୋଧ କରିଛନ୍ତି ବିରୋଧୀ କଂଗ୍ରେସ ଏବଂ ବିଜେପି। ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗିରଫଦାରୀକୁ ନିନ୍ଦା କରିଛନ୍ତି।

ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “ପୋଲିସ କେବଳ ବାଛି ବାଛି କଂଗ୍ରେସ ଲୋକଙ୍କୁ ଗିରଫ କରୁଛି। ଏହା ଆଦୌ ଠିକ୍ ନୁହେଁ। ଜଗନ୍ନାଥଙ୍କୁ ଅବହେଳା କରୁଛନ୍ତି। ସରକାର ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ ସରକାର ଆଉ ଥରେ ସମୀକ୍ଷା କରିବାର ଥିଲା। ପୁରୀ ବାସିନ୍ଦା ପରିଚୟପତ୍ର ଦେଖାଇ ଶ୍ରୀମନ୍ଦିରକୁ ଯିବା ଅତ୍ୟନ୍ତ ହାସ୍ୟାସ୍ପଦ ଘଟଣା।”

କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, “ଶାନ୍ତି କମିଟି ଗଠନ କରିଥିଲା ପ୍ରଶାସନ। ଶାନ୍ତି କମିଟିରେ ଯେଉଁମାନେ ଥିଲେ ସେମାନଙ୍କୁ ପୋଲିସ ଏବେ ଗିରଫ କରୁଛି। ପୋଲିସ ଅନ୍ଧାରରେ ବାଡ଼ି ବୁଲାଉଛି। ଆବଶ୍ୟକ ପ୍ରମାଣପତ୍ର ଧରି ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ଦରକାର।”

ଅକ୍ଟୋବର ୩ ତାରିଖରେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ୧୨ ଘଣ୍ଟିଆ ପୁରୀ ବନ୍ଦ ଡାକରା ଦିଆଯାଇଥିଲା। ବନ୍ଦ ବେଳେ ହିଂସାକାଣ୍ଡ ଦେଖାଦେଇଥିଲା। ପୋଲିସ ଏବଂ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ। ଆନ୍ଦୋଳନକାରୀମାନେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିବା ସହ ବଡ଼ଦାଣ୍ଡରେ ଥିବା ଟେଣ୍ଡରେ ନିଆଁ ଲଗାଇ ଦେଇଥିଲେ।

ପୋଲିସ ଆନ୍ଦୋଳନକାରୀଙ୍କ ଉପରେ ଲାଠିମାଡ଼ କରିବା ସହ ଲୁହ ବୁହା ଗ୍ୟାସ ଏବଂ ରବର ବୁଲେଟ୍ ମାଡ଼ କରିଥିଲା।

LEAVE A REPLY

Please enter your comment!
Please enter your name here