ଓଡ଼ିଶାଲାଇଭ୍‌ ବ୍ୟୁରୋ

ମିସ୍ ଆଣ୍ଡ ମିଷ୍ଟର ଟୁରିଜିମ୍ ଆମ୍ବସଡର ୟୁନିଭର୍ସ ପ୍ରତିଯୋଗିତାରେ କମାଲ୍ ଦେଖାଇଲେ ଓଡ଼ିଆ ଝିଅ।

ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ଲାବନ୍ୟା ଦାସ। ଭୁବନେଶ୍ୱର ଅଧିବାସୀ ଲାବନ୍ୟା ମାଲେସିଆରେ ‘ମିସ୍ ଟିନ୍ ୟୁନିଭର୍ସ’ର ଟାଇଟେଲ୍ ଜିତିଛନ୍ତି। ମାଲେସିଆରେ ଆୟୋଜିତ ହୋଇଥିବା ‘ମିସ୍ ଆଣ୍ଡ ମିଷ୍ଟର ଟୁରିଜିମ୍ ଆମ୍ବସଡର ୟୁନିଭର୍ସ’ ପ୍ରତିଯୋଗିତାରେ ଭାରତ ପାଇଁ ପ୍ରତିନିଧିତ୍ୱ କରିଥିଲେ ଲାବନ୍ୟା।

ଏଥିରେ ଲାବନ୍ୟା ଉପସ୍ଥିତ ଜଜ୍‌ମାନଙ୍କୁ ନିଜର ପ୍ରତିଭା ଦେଖାଇ ପ୍ରଶଂସିତ ହୋଇଥିଲେ। ଶେଷରେ ସମସ୍ତ ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ଟିନ୍ ମିସ୍ ୟୁନିଭରର୍ସ ଟାଇଟଲ ହାସଲ କରିପାରିଥିଲେ ଏହି ଓଡ଼ିଆ ଝିଅ। ଏହି ପ୍ରତିଯୋଗିତାରେ ଲାବନ୍ୟାଙ୍କ ସମେତ ୨୫ଟି ଦେଶରୁ ପାଖାପାଖି ୩୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ଭୁବନେଶ୍ୱର ୟୁନିଟ୍-୮ ଡିଏଭି ସ୍କୁଲରେ ପାଠପଢୁଥିବା ଲାବନ୍ୟା ମଡେଲିଂରେ ବି ରୁଚି ରଖନ୍ତି। ଲାବନ୍ୟା ଏହି ସଫଳତାର ଶ୍ରେୟ ନିଜ ବାପା, ମାଆ, ବନ୍ଧୁ ଏବଂ ପ୍ରିୟଜନଙ୍କ ସମେତ ସ୍କୁଲ୍ ଶିକ୍ଷକମାନଙ୍କୁ ଦେଇଛନ୍ତି। ୨୦୧୭ରେ  କେରଳରେ ଆୟୋଜିତ ହୋଇଥିବା ଅନ୍ତର୍ଜାତୀୟ ବ୍ୟୁଟି ପିଜେଣ୍ଟ ପ୍ରତିଯୋଗିତାରେ ପ୍ରି-ଟିନ୍ ଜୁନିୟର୍ ମଡେଲର ଟାଇଟେଲ୍ ହାସଲ କରିଥିଲେ ସେ।

Comment