ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମଙ୍ଗଳବାର ରାତିରେ ଅଘଟଣ
  • ଘରେ ଶୋଇଥିବା ବେଳେ ଏସିଡ୍ ମାଡ଼
  • ସ୍ୱାମୀ ଗୁରୁତର, ସ୍ତ୍ରୀ ଓ ଝିଅ ଆହତ

କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ପାଟଳିପଙ୍କ ଗାଁରେ ମଙ୍ଗଳବାର ରାତିରେ ଘଟିଛି ଅଭାବନୀୟ ଘଟଣା। ଝରକା ଖୋଲାରଖି ଶୋଇଥିବା ବେଳେ ଏକ ପରିବାର ଉପରେ କେହି ଦୁର୍ବୃତ୍ତ ଏସିଡ୍ ଢାଳି ଦେଇ ଫେରାର ହୋଇ ଯାଇଛି। ଏସିଡ୍ ମାଡ଼ରେ ୨୬ ବର୍ଷିୟ ଯୁବକ ହିମାଂଶୁ ବାରିକ ଅର୍ଦ୍ଧଦଗ୍ଧ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ମିନତିପ୍ରଭା ବାରିକ ଓ ୨ ବର୍ଷର ଝିଅ ଶୁଭଶ୍ରୀ ବାରିକ ଆହତ ହୋଇଛନ୍ତି।

ଗୁରୁତର ଆହତ ହୋଇଥିବା ହିମାଂଶୁଙ୍କର ଆଖି ଦୁଇଟିର ଅବସ୍ଥା ଠିକ ନଥିବାରୁ ଆଖି ଦୁଇଟି ନଷ୍ଟ ହୋଇଯିବାର ଆଶଙ୍କା ଦେଖାଦେଇଛି।

ଗତକାଲି ଥିଲା ହିମାଂଶୁଙ୍କ ପାଇଁ କାଳରାତି। ମହାକାଳପଡ଼ା  ବ୍ଲକ ପାଟଳିପଙ୍କ ଗାଁର ହିମାଂଶୁ ବାରିକ ଗତକାଲି  ବିଳମ୍ବିତ ରାତି ଯାଏଁ ମୋବାଇଲରେ ଗେମ୍ ଖେଳୁଥିଲେ। ସ୍ତ୍ରୀ ମୀନତି ହିମାଂଶୁଙ୍କ ଉପରେ ବିରକ୍ତ ହୋଇ ମୋବାଇଲ୍‌ରେ ଗେମ୍ ନଖେଳିବାକୁ ତାଗିଦ କରିଥିଲେ। ହିମାଂଶୁଙ୍କ ହାତରୁ ମୋବାଇଲ ଛଡ଼ାଇନେଇ ଲୁଚାଇ ଦେଲେ ମୀନତି। ଶେଷରେ ଖାଇ ସାରିବା ପରେ ଶୋଇବାକୁ ଗଲେ ମୀନତି, ହିମାଂଶୁ ଏବଂ କୁନି ଝିଅ ଶୁଭଶ୍ରୀ। ରାତି ପ୍ରାୟ ୧୨ଟା ପରେ ହଠାତ୍ ଚିତ୍କାର କରି ଉଠିଲେ ହିମାଂଶୁ। ଜଳିଗଲି ଜଳିଗଲି ବୋଲି ବାଡେଇ କଚାଡ଼ି ହେଲେ। କୁନି ଝିଅ ମଧ୍ୟ ରଡ଼ି ଛାଡ଼ିବାକୁ ଲାଗିଲା। ଘରର ଆଲୁଅ ଜଳାଇ ମୀନତି ଦେଖିଲେ ଯେ ହିମାଂଶୁ ଆଖିକୁ ଚାପି ଧରି ଚିତ୍କାର କରୁଛନ୍ତି।

ମୀନତିଙ୍କ ଦେହରେ ପଡିଥିବା ଏସିଡ୍ ଛିଟକା ମଧ୍ୟ ଜଳାପୋଡ଼ା ଆରମ୍ଭ କରିଥାଏ। ଘରର କବାଟ ଖୋଲି ବଡ଼ ପାଟିରେ ଡାକ ପକାଇଲେ ମୀନତି। ପାଖ ପଡିଶା ଲୋକେ ରୁଣ୍ଡ ହେଲେ। ଜଣା ପଡ଼ିଲାକି ଝରକା ବାଟଦେଇ କେହି ଦୁର୍ବୃତ୍ତ ଏମାନଙ୍କୁ ଜୀବନରେ ମାରିଦେବାକୁ ଏସିଡ୍ ପକାଇବାକୁ ଯୋଜନା କରିଥିଲା। ଏଥିରେ ହିମାଂଶୁ କେବଳ ଶିକାର ହୋଇଗଲେ। ସାମାନ୍ୟ ଆହତ ହୋଇ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ହିମାଂଶୁଙ୍କ ସ୍ତ୍ରୀ ଓ ଝିଅ। ପଡ଼ିଶା ଲୋକେ ହିମାଂଶୁ ଏବଂ ତାଙ୍କ ପରିବାରକୁ ପାରାଦୀପ ଇଫକୋ ସାରକାରଖାନା ଡାକ୍ତରଖାନାକୁ ନେଇଯାଇଥିଲେ।

ହିମାଂଶୁଙ୍କ ଆଖିର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୀନତି ଓ ତାଙ୍କ ଝିଅ ଅବସ୍ଥା ଭଲ ଥିବା ବେଳେ ହିମାଂଶୁଙ୍କ ଅବସ୍ଥା ଭଲନାହିଁ। ତାଙ୍କର ଦୁଇ ଆଖିରେ ଅସ୍ତ୍ରୋପଚାର କରାଯିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଅସ୍ତ୍ରୋପଚାର ପରେ ହିମାଂଶୁ ତାଙ୍କ ଆଖିରେ ଆଉ ଦେଖିପାରିବେ କି ନାହିଁ ତାହା କହିବା ଡାକ୍ତରଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି କହିଛନ୍ତି ଡାକ୍ତର।

ତେବେ ହିମାଂଶୁଙ୍କ ପ୍ରତି ଏପରି ଆକ୍ରମଣ ପଛର ରହସ୍ୟ କଣ ଖୋଜି ପାଉ ନାହାନ୍ତି ତାଙ୍କ ପରିବାର ଲୋକେ। ସାହି ବିବାଦ ଆଡକୁ ଗାଁ ଲୋକ ମାନଙ୍କ ସନ୍ଦେହର ଅଙ୍ଗୁଠି ଉଠୁଥିବା ବେଳେ ହିମାଂଶୁ କିମ୍ବା ତାଙ୍କ ବାପା ବୈଷ୍ଣବ ବାରିକ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ଆଣି ନାହାନ୍ତି । ମାର୍ଶାଘାଇ ଥାନାରେ ଏପର୍ଯ୍ୟନ୍ତ ଅଭିଯୋଗ ହୋଇ ନଥିବାରୁ ପୋଲିସ କୌଣସି ତଥ୍ୟ ଦେବାକୁ ମନା କରିଦେଇଛି। ଜୀବନରେ ମାରିବାକୁ ଉଦ୍ୟମ କରି ବିଫଳ ହୋଇଥିବା ଦୁର୍ବୁତ୍ତ ହିମାଂଶୁଙ୍କୁ ସାରା ଜୀବନ ଛଟପଟ ହୋଇ ମରିବାର ବାଟରେ ଛିଡା କରିଦେଇଛି। ତୁରନ୍ତ ଏହି ନର ପିଶାଚର ଚକ୍ରାନ୍ତକୁ ପଦାକୁ ଆଣିବା ସହିତ ତାକୁ ଉଚିତ ଦଣ୍ଡରେ ଦଣ୍ଡିତ କରିବାକୁ ଗ୍ରାମବାସୀମାନେ ଜିଲା ଏସ୍‌ପିଙ୍କ ନିକଟରେ ଦାବି କରିଛନ୍ତି।

Comment