ଓଡ଼ିଶାଲାଇଭ୍ ବ୍ୟୁରୋ

କୌନ ବନେଗା କରୋଡପତି ସୋ’ରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସହ ନଜର ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆଉ କେଇଟା ସପ୍ତାହ ପରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ପୁରୁଷ ହକି ବି୍ଶ୍ୱକପ୍। ହକି ବିଶ୍ୱକପ୍‌ର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଏଥିରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ହକି ବିଶ୍ୱକପ୍‌ର ପ୍ରଚାର ପାଇଁ ନବୀନ ସୋନି ଟିଭିରେ ପ୍ରସାରିତ ‘କୌନ ବନେଗା କରୋଡପତି’ (କେବିସି) ସୋ’ରେ ନଜର ଆସିବେ। ଶୁକ୍ରବାର ରାତି ୯ଟାରେ ଏହି ସୋ’ ପ୍ରସାରଣ କରାଯିବ। ଏହି ସୋ’ରେ ନବୀନ ହକି ବିଶ୍ୱକପ୍ ସମ୍ପର୍କରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଗୋଟି ଗୋଟି ପ୍ରଶ୍ନର ଉତ୍ତର ରଖିବେ। ହକି ବିଶ୍ୱକପ୍‌ ପାଇଁ ସୋନି ଟିଭି ପକ୍ଷରୁ କେବିସିରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ସୋନି ଟିଭି ପକ୍ଷରୁ ୫୦ ସେକେଣ୍ଡର ଏକ ପ୍ରମୋସନାଲ ଭିଡିଓ ଜାରି କରାଯାଇଛି। ଯେଉଁଥିରେ ନବୀନ ଭାରତୀୟ ହକି ଟିମ୍‌କୁ ଶୁଭେଚ୍ଛା ଜଣାଉଛନ୍ତି।

ଏହି ଭିଡିଓରେ ନବୀନ କହିଛନ୍ତି, “ହକି ହେଉଛି ଓଡ଼ିଶାର ଲୋକପ୍ରିୟ ଖେଳ। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପିଲାମାନେ ହକିକୁ ବହୁ ଗୁରୁତ୍ୱ ଦେଇଥାନ୍ତି। ପାଢ଼ ପଢ଼ିବା ସହ ସେମାନେ ହକି ଖେଳିବାକୁ ପସନ୍ଦ କରିଥାନ୍ତି।”

ଭାରତୀୟ ହକି ଟିମ୍‌ର ଅଧିନାୟକ ପିଆର୍‌ ଶ୍ରୀଜେଶ୍, ମନୀପ୍ରିତ ସିଂଙ୍କ ସମତେ ପ୍ରମୁଖ ଖେଳାଳିମାନେ କେବିସି ସୋ’ରେ ଖୁବ୍‌ଶୀଘ୍ର ନଜର ଆସିବେ।

ହକି ବିଶ୍ୱକପ୍‌ ପାଇଁ ରାଜ୍ୟ ସରକାର କେମିତି ପ୍ରସ୍ତୁତି ଚଳାଇଛନ୍ତି ସେ ସମ୍ପର୍କରେ ନବୀନ ଏହି ସୋ’ରେ କହିବେ।

ନଭେମ୍ବର ୨୭ରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍। ୨୭ରେ ଉଦଘାଟନୀ ଉତ୍ସବ ହେବା ପରେ ୨୮ରୁ ଡିସେମ୍ବର ୧୬ ଯାଏଁ ମ୍ୟାଚ ଚାଲିବ। ଏଥିପାଇଁ ସାରା ବିଶ୍ୱର ନଜର ରହିଛି ଓଡ଼ିଶା ଉପରେ।

ଏହି ବିଶ୍ୱକପ୍‌ରେ ମୋଟ ୧୬ଟି ଦେଶ ଭାଗ ନେଉଛନ୍ତି। ଲିଗ୍ ପର୍ଯ୍ୟାୟରେ ପ୍ରତ୍ୟେକ ଟିମ୍ ତିନୋଟି ଲେଖାଏଁ ମ୍ୟାଚ ଖେଳିବେ।

ଉଦଘାଟନୀ ସମାରୋହକୁ ରଙ୍ଗିନ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ଓଡ଼ିଶାର କଳା, ସଂସ୍କୃତିର ଝଲକ ଏହି ଉଦଘାଟନୀ ସମାରୋହରେ ଦର୍ଶକମାନେ ଦେଖିବାକୁ ପାଇବେ। ଏହାସହ ଓସ୍କାର ବିଜେତା ଏ ଆର୍‌ ରେହମାନ ବିଶ୍ୱକପ୍‌ରେ ଉଦଘାଟନୀ ସଙ୍ଗୀତ ପରିବେଷଣ କରିବେ। ବଲିଉଡ ବାଦଶାହ ଶାହାରୁ ଖାନ୍ ମଧ୍ୟ ଉଦଘାଟନୀ ସମାରୋହରେ ସାମିଲ ହେବେ।

Comment