ଓଡ଼ିଶାଲାଇଭ୍ ବ୍ୟୁରୋ
ତିତ୍ଲି ପ୍ରଭାବରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ବିଭିନ୍ନ ନଦୀରେ ଜଳପତ୍ତନ ବୃଦ୍ଧି ପାଇଛି। ବନ୍ୟା ପାଣି ରାସ୍ତାରେ ପ୍ରବାହିତ ହେଉଛି। ଭଞ୍ଜନଗରରେ ଅଡ଼ାଙ୍ଗି ନଦୀରେ ବନ୍ୟା ଆସିବାରୁ ଗୋଟିଏ ଘର ଭାସି ଯାଇଛି।
ଏହି ଘରେ ଥିବା ୬ ଜଣ ସଦସ୍ୟ ମଧ୍ୟ ଭାସି ଯାଇଛନ୍ତି। ଘଟଣାଟି ଘଟିଛି ଭାଜଲବାଡ଼ି ପଞ୍ଚାୟତର ଭୂତପଙ୍କାଳ ଗାଁରେ।
ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଏବଂ ପୁଅ, ବୋହୂ ପାଣିରେ ଭାସି ଯାଇଥିବା ବେଳେ ବର୍ଷା ଯୋଗୁଁ ଆଶ୍ରୟ ନେଇଥିବା ଅନ୍ୟ ପରିବାରର ଦୁଇ ଜଣ ମଧ୍ୟ ବନ୍ୟା ପାଣିରେ ଭାସି ଯାଇଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ୍ ଉଦ୍ୟମ ଜାରି ରଖିଛନ୍ତି।
ମଧ୍ୟାହ୍ନ ୧୨ଟାରୁ ନିଖୋଜ ହୋଇଥିଲେ ମଧ୍ୟ ସେମାନଙ୍କ ପତ୍ତା ମିଳିପାରି ନାହିଁ। ପ୍ରବଳ ବର୍ଷା ଲାଗି ରହିଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏପଟେ ଆସିକାଠାରେ ବିପଦସଙ୍କେତ ଛୁଇଁଛି ଋଷିକୂଲ୍ୟା। ମୋହନର ରାମନଦୀ ପୋଲି ଉପରେ ୧୨ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯାତାୟତ ଠପ୍ ହୋଇଯାଇଛି।














