ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା: ଯୌତୁକ ଜୁଇରେ ଜଳିଗଲେ ଅନିତା! କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ପୋଲିସ ହାବୁଡ଼ରେ ପଡ଼ିଲା ଅନିତାଙ୍କର ଅଭିଯୁକ୍ତ ସ୍ୱାମୀ ସ୍ମୃତିରଞ୍ଜନ। ଅନିତାଙ୍କର ଶବକୁ ଶ୍ମଶାନକୁ ନେବା ବାଟରେ ପୋଲିସ କଲା ନାକାବନ୍ଦି। ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ସ୍ୱାମୀ ସ୍ମୃତିରଞ୍ଜନକୁ ଗିରଫ କଲା ପୋଲିସ।
ଆଗଉଛି ସମାଜ। ଶିକ୍ଷିତ ହେଉଛନ୍ତି ଲୋକେ। କିନ୍ତୁ ଦୂର ହୋଇପାରୁନି ସାମାଜିକ କୁ-ସଂସ୍କାର। ଯୌତୁକ ବିରୋଧରେ ସରକାର ଅନେକ ଆଇନ ପ୍ରଣୟନ କରିଥିଲେ ମଧ୍ୟ ଏହା ଆମ ସମାଜରୁ ଦୂର ହୋଇପାରୁନି।
କେଉଁଠି ଯୌତୁକ ପାଇଁ ନବବଧୂ ଶାଶୂ, ନଣନ୍ଦଙ୍କ ନିର୍ଯାତନା ସହି ନପାରି ଜୀବନ ହାରୁଛି ତ କେଉଁଠି ପିଲାଛୁଆଙ୍କର ମା’ ହେବା ପରେ ବଧୂ ହତ୍ୟା ହେଉଛି। ପ୍ରତିଦିନ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରିବାରେ ଲାଗିଛି ଏହି ଯୌତୁକ ବ୍ୟାଧିର କରୁଣ କାହାଣୀ। ଆଜି ଏହି କରୁଣ କାହାଣୀରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଇଟିପୁର ଗାଁର ବୋହୂ ଅନିତା ଯୌତୁକ ନିର୍ଯାତନାର ଶିକାର ହୋଇଛନ୍ତି। ଅନିତାଙ୍କୁ ତାଙ୍କ ସ୍ୱାମୀ ସ୍ମୃତିରଞ୍ଜନ ବେହେରା କଲିକତାରେ ମାରିଦେଇ ଶବକୁ ଲୁଚାଇ ନିଜ ଗାଁକୁ ନେଇ ଆସି ପୋଡ଼ି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଅନିତାଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ପୋଲିସ ଶବକୁ ଜବତ କରିବା ସହିତ ଅଭିଯୁକ୍ତ ସ୍ୱାମୀ ସ୍ମୃତିରଞ୍ଜନକୁ ଗିରଫ କରିଛି।
କେନ୍ଦ୍ରାପଡ଼ା ଜିଲ୍ଲା ନିଳିକଣା କାନପୁର ଗାଁର ମଧୁସୂଦନ ପ୍ରଧାନଙ୍କ ଝିଅ ଅନିତା। ୭ ବର୍ଷ ତଳେ ନିକିରାଇ ଥାନା ଅନ୍ତର୍ଗତ ଇଟିପୁର ଗାଁର ସୁରେନ୍ଦ୍ର ବେହେରାଙ୍କ ପୁଅ ରଶ୍ମିରଞ୍ଜନକୁ ପ୍ରେମ ବିବାହ କରିଥିଲେ। ସୁରେନ୍ଦ୍ରଙ୍କ ପରିବାର ଏହି ପ୍ରେମ ବିବାହକୁ ଗ୍ରହଣ କରିପାରୁ ନଥିଲେ। ବିବାହର ଦୁଇ ବର୍ଷ ପରେ ଉଭୟ ପରିବାରଙ୍କ ମଧ୍ୟରେ ସମ୍ପର୍କ ଆସ୍ତେ ଆସ୍ତେ ସୁଧୁରିଥିଲା। ବିବାହ ସମୟରେ ଅନିତା କିଛି ଯୌତୁକ ଆଣି ନଥିବାରୁ ତାଙ୍କ ଉପରେ ଆରମ୍ଭ ହୋଇଥିଲା ଯୌତୁକ ନିର୍ଯାତନା।

ଶାଶୂଘର ଲୋକେ ଅନିତାଙ୍କୁ ବାଧ୍ୟ କରିଥିଲେ ଖଟ ପଲଙ୍କ, ସୋଫା ସେଟ୍ ଆଦି ଯୌତୁକ ଆଣିବାକୁ। ପ୍ରେମ ବିବାହ କରିଥିବା ଅନିତା ବାପାଙ୍କ ପାଖରେ ଏସବୁ ଦାବି କରିବାକୁ ସାହସ କରିପାରି ନଥିଲା। ନା ବାପ ଘରକୁ ଯୌତୁକ ପାଇଁ ମୁହଁ ଖୋଲି କହି ପାରୁଥିଲା ନା ସ୍ୱାମୀ ଶ୍ୱଶୁରଙ୍କ ନିକଟରେ ଉତ୍ତର ଦେଇ ପାରୁଥିଲା? ଇତି ମଧ୍ୟରେ ସ୍ୱାମୀ ରଶ୍ମିରଞ୍ଜନ ଅନିତାଙ୍କୁ କଲିକତା ନେଇ ଯାଇଥିଲେ। ରଶ୍ମିରଞ୍ଜନ କଲିକତାର ବେଲୁରୀ ଘାଟରେ ପାଣିପାଇପ୍ ମିସ୍ତ୍ରୀ ଭାବରେ କାମ କରୁଥିଲା। ଭଲରେ ଚଲୁଥିଲା ତାଙ୍କସ ସଂସାର। ହେଲେ ଅନିତାଙ୍କର ପିଛା ଛାଡ଼ୁ ନଥିଲା ଯୌତୁକ ରାକ୍ଷସ। ଶାଶୂଘରଠାରୁ ଦୂରରେ ରହିଲେ ମଧ୍ୟ ସେହି ଖଟ ପଲଙ୍କ ଆଉ ସୋଫା ସେଟର ଗଞ୍ଜଣା ମାନସିକ ଭାରକ୍ରାନ୍ତ କରୁଥିଲା ଅନିତାଙ୍କୁ।
ହଠାତ୍ ଗତକାଲି ଅନିତାଙ୍କ ବାପଘରକୁ ରଶ୍ମିରଞ୍ଜନ ଖବର ଦେଲା କି ଅନିତାଙ୍କର ଜ୍ୱରରେ ମୃତ୍ୟୁ ହୋଇଛି। ଡାକ୍ତରଖାନା ନନେଇ ଘରେ ଚିକିତ୍ସା କରୁକରୁ ତାଙ୍କର ମୃତ୍ୟୁ ହୋଇଗଲା ବୋଲି କହୁଥିବା ରଶ୍ମିରଞ୍ଜନର ସଫେଇକୁ ଗ୍ରହଣ କରିପାରି ନାହାନ୍ତି ଅନିତାଙ୍କ ବାପ ଘର ଲୋକେ।
କଲିକତାରେ ତାଙ୍କ ଭଉଣୀ ଅନିତାଙ୍କୁ ଭିଣୋଇ ରଶ୍ମିରଞ୍ଜନ ହତ୍ୟା କରି ଗାଁକୁ ନେଇ ପୋଡ଼ି ଦେବାକୁ ଉଦ୍ୟମ କରୁଥିବା ନିକିରାଇ ଥାନାରେ ଅଭିଯୋଗ କରିଥିଲେ ଅନିତାଙ୍କ ଭାଇ ଜନ୍ମେଜୟ ପ୍ରଧାନ। ଶ୍ମଶାନରେ ଶବ ପହଞ୍ଚିବା ଆଗରୁ ଗତ କାଲି ବିଳମ୍ବିତ ରାତିରେ ଶବକୁ ଅଧାବାଟରୁ ପୋଲିସ ଫୋର୍ସ ନେଇ ଜବତ କରିଛନ୍ତି ନିକିରାଇ ଥାନା ଆଇଆଇସି ଗୁଣମଣି ନାୟକ।

ଆଇଆଇସି ଗୁଣମଣି ନାୟକ କହିଛନ୍ତି, “କଲିକତାରେ ଅନିତାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ।”
ସାଧାରଣରେ ଚର୍ଚ୍ଚା ହେଉଛି ଯେ ଯଦି ଅନିତାଙ୍କୁ ଜ୍ୱର ହୋଇଥିଲା ତେବେ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାନଯାଇ ଘରେ କାହିଁକି ଚିକିତ୍ସା କରାଯାଉଥିଲା? ଏହାଛଡ଼ା ଯଦି ଅନିତାଙ୍କର ଅପମୃତ୍ୟୁ ଘଟିଲା ତେବେ ନିକଟଦସ୍ଥ ଥାନାରେ ଅଭିଯୋଗ କରା ନଯାଇ କିମ୍ବା ଶବ ବ୍ୟବଚ୍ଛେଦ କାହିଁକି ଗରାଗଲଶନି? ତରବରିଆ ଭାବରେ କଲିକତାରୁ ଶବକୁ ଏକ ବୋଲେରୋରେ ଲୁଚାଇ ନିଜ ଗାଁରେ ପୋଡ଼ିଦେବାକୁ କାହିଁକି ଉଦ୍ୟମ କରାଯାଉଥିଲା?
ଏସବୁ ପ୍ରଶ୍ନର ଉତ୍ତର ତଦନ୍ତ ପରେ ସ୍ପଷ୍ଟ ହୋଇଯିବ। କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ସରକାରୀ ଡାକ୍ତରଖାନରେ ବ୍ୟବଚ୍ଛେଦ କରିଛି। ଅଭିଯୁକ୍ତ ରଶ୍ମିରଞ୍ଜନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ର ଧାରା ୪୯୮ ଏ , ୫୦୬, ୩୦୨, ୩୦୪-ବି ଓ ୩୪ ଦଫା ସହିତ ଯୌତୁକ ନିବାରଣ ଦଫା ୪ ରେ ମାମଲା ରୁଜୁ କରାଯାଇଛି।


















