ନୀଳାମ୍ବର ରଥ

କୋଣାର୍କର କାରୁକଳାକୁ ତାତ୍ସଲ୍ୟ କରି ଚର୍ଚ୍ଚିତ ହୋଇଥିବା ଅଭିଜିତ ଆୟାର ମିତ୍ର ହରଡ଼ଘଣାରେ ପଡ଼ିବା ପରେ ଏବେ ତୁହାକୁ ତୁହା କ୍ଷମା ମାଗି ମାମଲାକୁ ଦଫାରଫା କରିବାକୁ ଚାହୁଁଛନ୍ତି!

କୋଣାର୍କ ମନ୍ଦିର ଉପରେ ସୋସିଆଲ୍ ମିଡିଆରେ ଆପତ୍ତିଜନକ ଟିପ୍ପଣୀ ଦେଇ ସାମ୍ବାଦିକ ଅଭିଜିତ ଆୟାର ମିତ୍ର ଯେଉଁ ହଟ୍ଟଚମଟ ସୃଷ୍ଟି କରିବାକୁ ଚାହିଁଥିଲେ, ଶେଷରେ ନିଜେ ସେହି ଜାଲରେ ପଡ଼ିଛନ୍ତି। ଦିନେ ନିଜେ କହିଥିବା କଥାକୁ ଠିକ୍ ବୋଲି ଦର୍ଶାଇ ଦମ୍ଭ ଦେଖାଇଥିବା ବାବୁ ଅଭିଜିତ ଏବେ ମଉକା ପାଇଲେ ଥରକୁ ଥର ଭୁଲ ମାଗିବାକୁ ପଛାଉ ନାହାନ୍ତି।

ଏକ ମିଡିଆ ଏଜେନ୍ସିକୁ ବୁଧବାର ଦିନ ସାକ୍ଷାତକାର ଦେଇ ଅଭିଜିତ ଯାହା କହିଛନ୍ତି, ସେଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ କୌଣସି ପ୍ରକାରର କ୍ଷମା ମାଗି ମାମଲାକୁ ରଫାଦଫା କରିବାକୁ ସେ ଚାହୁଁଛନ୍ତି। ହେଲେ ଏହି ଭିଡିଓକୁ ଶୁଣି ଟିକେ ଗଭୀର ଭାବେ ଚିନ୍ତାକଲେ ମନେ ହେବ ଯେ ଅଭିଜିତ ଆୟାର ମିତ୍ର ଏବେ ବି ଗାଲୁଆମି ହିଁ କରୁଛନ୍ତି।

ଗୋଇଠା ମାରି ବିଷ୍ଣୁ କହିବା

ଅଭିଜିତ୍ କହିଛନ୍ତି ଯେ, ଯଦି (ହିନ୍ଦୀରେ ‘ଅଗର’) ତାଙ୍କ ମନ୍ତବ୍ୟରେ କାହାକୁ ଆଘାତ ଲାଗିଥାଏ ତେବେ ସେ କ୍ଷମା ପ୍ରାର୍ଥୀ। ସେ ବାସ୍ତବରେ କାହାକୁ ଅପମାନିତ କରିବାକୁ ଚାହିଁ ନଥିଲେ। କିନ୍ତୁ ବାବୁଙ୍କ କଥାକୁ ବିଶ୍ୱାସ କରିବ କିଏ? ତା’ଛଡ଼ା ଅଗର ମଗର ଭଳି ଶଦ୍ଦ ବ୍ୟବହାର ନକରି ସେ ସିଧା ସିଧା ହାତ ଟେକି କ୍ଷମା ମାଗିବା ଉଚିତ ହୁଅନ୍ତା। ‘ଯଦି’ ଶଦ୍ଦର ଅର୍ଥ ଲଗେଇବା ହେଉଛି, ଗୋଇଠା ମାରି ବିଷ୍ଣୁ କହିବା।

ଆପଣ ଯଦି ଅଭିଜିତଙ୍କ ଆଜିର ଭିଡିଓ ଦେଖିବେ ଜାଣିପାରିବେ, ସେ ନିଜକୁ ଜଣେ ଅତ୍ୟନ୍ତ ନରମ, ଭଦ୍ର ଏବଂ ଶାଳୀନ ବ୍ୟକ୍ତି ଭାବେ ଉପସ୍ଥାପନ କରିବାକୁ ଚାହୁଁଛନ୍ତି। କିନ୍ତୁ ଖୋଦ କୋଣାର୍କ ମନ୍ଦିର ଛାତି ଉପରେ ଠିଆ ହୋଇ ତା’ର ବିଶ୍ୱବିଖ୍ୟାତ କାରୁକାର୍ଯ୍ୟକୁ ଯୌନଉଦ୍ଦୀପକ, ହିନ୍ଦୁ ଧର୍ମ ବିରୋଧୀ ଏବଂ ମୁସଲମାନ ଚକ୍ରାନ୍ତ ବୋଲି ବର୍ଣ୍ଣନା କରିବା ବେଳେ ଅଭିଜିତଙ୍କ ଏହି ଶାଳୀନତା କେଉଁଠି ଥିଲା?

ମନୋରଞ୍ଜନ ପାଇଁ ସୋସିଆଲ୍ ମିଡିଆ?

ଏହି ଭିଡିଓରେ ଅଭିଜିତ୍ କହିଛନ୍ତି ଯେ, ସେ ଯେଉଁ ଟୁଇଟର ଆକାଉଣ୍ଟ ବ୍ୟବହାର କରନ୍ତି ତାହାର ମୂଳ ଉଦ୍ଦେଶ୍ୟ ହେଉଛି, ମନୋରଞ୍ଜନ। ତେଣୁ ଏହା ତାଙ୍କର ଏକାନ୍ତ ବ୍ୟକ୍ତିଗତ କଥା । ତା’ ମାନେ କ’ଣ ହେଉଛି, ସୋସିଆଲ୍ ମିଡିଆରେ ଯଦି ସେ କୌଣସି ଜାତିର, ସଂସ୍କୃତିର ବା ବ୍ୟକ୍ତିର ଚଉଦପୁରୁଷ ଉଦ୍ଧାର କରନ୍ତି ତେବେ ତାହା ଦୋଷ ନୁହେଁ। ବାବୁ ଅଭିଜିତଙ୍କୁ ସୋସିଆଲ୍ ମିଡିଆ ପରି ଏକ ଅତ୍ୟାଧୁନିକ ଏବଂ ପ୍ରଭାବଶାଳୀ ଗଣମାଧ୍ୟମରେ ମଜା କରିବା ପାଇଁ କୋଣାର୍କ ଛଡ଼ା ଆଉ କୌଣସି ବିଷୟ ମିଳିଲା ନାହିଁ? ଏହା ତାଙ୍କର ଗାଲୁଆମି ଏବଂ ମୂର୍ଖାମୀର ଗୋଟିଏ ତାହା ଉଦାହରଣ ବୋଲି କୁହାଯାଇପାରେ।

ଅଭିଜିତ କହିଛନ୍ତି ଯେ ସେ ତାଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟକୁ କୌଣସି ପେସାଦାର ବା ପ୍ରଫେସନାଲ୍ କାର୍ଯ୍ୟ ପାଇଁ ବ୍ୟବହାର କରନ୍ତି ନାହିଁ। ସେ ଆହୁରି ସ୍ପଷ୍ଟ କରିଛନ୍ତି ଯେ ସେ ସାମ୍ବାଦିକ ନୁହନ୍ତି ବରଂ ତାଙ୍କର ମୂଳ ବୃତ୍ତି ହେଉଛି ଗବେଷଣା। ଜଣେ ଗବେଷକ ହିସାବରେ ସେ କୁଆଡ଼େ ଭାରି ସିରିଅସ୍ ଏବଂ ଗବେଷଣା ମାମଲାରେ ସେ କୌଣସି ମଉଜ ବା ମନୋରଞ୍ଜନକୁ ପସନ୍ଦ କରନ୍ତି ନାହିଁ। ଚତ୍ମକାର! ଅସଲରେ ଅଭିଜିତଙ୍କ ଏହି ବୟାନର ଠିକଣା ଅର୍ଥ ବାହାର କରିବା ବୋଧହୁଏ ଆମ ଭଳି ସାଧାରଣ ସାମ୍ବାଦିକଙ୍କ ପକ୍ଷରେ ସମ୍ଭବ ନୁହେଁ। ଅଭିଜିତ ଆୟାର ମିତ୍ରଙ୍କ ଭଳି ଅସାଧାରଣ ବ୍ୟକ୍ତିମାନେ ହିଁ କେବଳ ନିଜ ବୟାନର ଠିକଣା ଅର୍ଥ ବର୍ଣ୍ଣନା କରିପାରିବେ।

ଓଡ଼ିଆ ଜାତିକୁ କ୍ଷମା ମାଗନ୍ତୁ ଅଭିଜିତ

ଅଭିଜିତ କହିଛନ୍ତି ଯେ ସେ ଜାରି କରିଥିବା ଭିଡିଓ ଯୋଗୁଁ ଓଡ଼ିଶା ବିଧାନସଭାକୁ ଆଘାତ ଲାଗିଛି। ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଆଘାତ ଲାଗିଥିବା କଥା ସେ ବୁଝିପାରିଛନ୍ତି। ତେଣୁ ଏ ବାବଦରେ ସେ କ୍ଷମା ମାଗିଛନ୍ତି। ତା’ଛଡ଼ା ଓଡ଼ିଶା ବିଧାନସଭା କମିଟି ତାଙ୍କୁ ସମନ କରିଥିବାରୁ ଆଗାମୀ ୨୩ ତାରିଖରେ ସେ ଭୁବନେଶ୍ୱର ପହଞ୍ଚି ସେଠାରେ କ୍ଷମା ପ୍ରାର୍ଥନା କରିବେ।

ଅଭିଜିତ କୋଣାର୍କ ମନ୍ଦିର ସମ୍ପର୍କରେ ମନ୍ତବ୍ୟ ଦେବାକୁ ନେଇ ସେତେବେଳେ ଦେଶ ବିଦେଶରେ ଥିବା ଓଡ଼ିଆମାନେ ତୀବ୍ର ପ୍ରତିବାଦ କରିଥିଲେ। ଗଣମାଧ୍ୟମରେ ଏ ବିଷୟରେ ଅଭିଜିତଙ୍କୁ ଉପରେ ଚାପ ପଡ଼ିଥିଲା। ତେବେ ସେ ନିଜର ଭୁଲକୁ ସ୍ୱୀକାର ନକରି ଓଲଟା ମନ୍ତବ୍ୟ ଦେଇଥିଲେ। ଏପରିକି ଓଡ଼ିଶା ବିଧାନସଭାରେ ଉଠିଥିବା ଝଡ଼ର ତୀବ୍ରତା ବୁଝିନପାରି ସେ ବିଧାୟକମାନଙ୍କୁ ‘ବୁଦ୍ଦୁ’ ବୋଲି କହିଥିଲେ। ଆଜି ପରିସ୍ଥିତି ଟଳମଳ ହେବାରୁ ସେ ଭୁଲ୍ ମାଗିବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ ଅଭିଜିତ ଭୁଲି ଯାଉଛନ୍ତି ଯେ କେବଳ ବିଧାନସଭା ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଫିସ ନିକଟରେ ଭୁଲ୍ ମାଗିଦେଲେ କଥା ସରିଯିବ ନାହିଁ। ଅସଲରେ ଅଭିଜିତଙ୍କ ଭଳି ଅଭ୍ୟାସଗତ କୁହାଳିଆ ଓଡ଼ିଶାର ସାଢ଼େ ଚାରିକୋଟି ଓଡ଼ିଆଙ୍କ ନିକଟରେ ହାତ ଯୋଡ଼ି କ୍ଷମା ମାଗିବା ଦରକାର। ନିଃସର୍ତ୍ତ କ୍ଷମା ପ୍ରାର୍ଥନା।

ଭଲ ବିଦ୍ୟା ପାଇଲେ ଅଭିଜିତ

ବୁଧବାର ଦିନ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଅଭିଜିତ ସ୍ୱୀକାର କରିଛନ୍ତି ଯେ ଗତ ୩୦ ଦିନ ଭିତରେ ସେ ବୁଦ୍ଧି ଶିଖିଛନ୍ତି। ତେଣୁ ସେ ଏହି ଯେଉଁ ନୂଆ ବିଦ୍ୟା ହାସଲ କଲେ ଆଗାମୀ ଦିନରେ ତାହା ତାଙ୍କ ସୋସିଆଲ ମିଡିଆ ଚରିତ୍ରକୁ ନିୟନ୍ତ୍ରଣ କରିବ।

ଏହି ମାମଲାରେ ଅଭିଜିତ ବୁଝି ଯାଇଛନ୍ତି ଯେ “ଅଗର୍ ହସି ମଜାକ୍ ଉଡାନା ହୋ ତୋ ଐସେ ହସି ମଜାକ୍ ଉଡାଓ ଜିସ୍‌ସେ ଲୋଗୋଁକୋ ଠେସ୍ ନା ପହଞ୍ଚେ”। ବାଃ ଭାଇ ବା। ବଢ଼ିଆ ଜ୍ଞାନ। ଆପଣଙ୍କ ଏହି ବିଦ୍ୟାରୁ ଅନ୍ୟମାନେ କିଛିଟା ଶିଖିବା ଦରକାର। ଅଭିଜିତ ଆହୁରି କହିଛନ୍ତି ଯଦି କେବେ ଜଣଙ୍କ ମନରେ ଏଭଳି କୌଣସି ମନ୍ତବ୍ୟ (ଯାହା ସେ କୋଣାର୍କ ସମ୍ପର୍କରେ ଦେଇଥିଲେ) ଆସେ ତେବେ ତାକୁ ସାଧାରଣରେ ପ୍ରକାଶ ନକରି ନିଜ ଘର ଭିତରେ ସୀମିତ କରି ରଖିବା ଦରକାର। ଆହୁରି ବଢ଼ିଆ। ଏତେବେଳକୁ ଅଭିଜିତ ବାଟକୁ ଆସିଲେ।

ଆମେ ଆଶା କରିବା ଯେ ଓଡ଼ିଶା ଅଭିଜିତଙ୍କୁ ବାଟକୁ ଆଣିବାରେ ଭଲ ଶିକ୍ଷା ଦେଇପାରିଛି, କଳିଙ୍ଗ ଯୁଦ୍ଧ ଚଣ୍ଡାଶୋକଙ୍କୁ ଧର୍ମାଶୋକ କଲାଭଳି! ତେବେ ଅଭିଜିତ ଏହି ବିବାଦୀୟ ବିଷୟରୁ ମୁକୁଳିବା ପରେ ଓଡ଼ିଶା ସମ୍ପର୍କରେ ସର୍ବସାଧାରଣରେ ବା ମିଡିଆରେ ତାଙ୍କର କ’ଣ ମନ୍ତବ୍ୟ ରହିବ ତାହା ଦେଖିବା କଥା।

“ମେଁ ଜୟ ପଣ୍ଡା ଜୀକୋ ଜାନ୍‌ତା ନହିଁ ହୁଁ”

ଆସନ୍ତୁ ଶୁଣିବା ଅଭିଜିତ ବାବୁ ପୂର୍ବତନ ସାଂସଦ ତଥା ପାଇଲଟ ବୈଜୟନ୍ତ ଓରଫ୍ ଜୟ ପଣ୍ଡାଙ୍କ ସମ୍ପର୍କରେ କ’ଣ କହୁଛନ୍ତି? ଯେଉଁ ଅଭିଜିତଙ୍କୁ ବୈଜୟନ୍ତ ବାବୁ ତାଙ୍କ ଘରୋଇ ହେଲିକପ୍ଟରରେ ବସାଇ ଚିଲିକା, ପୁରୀ, କୋଣାର୍କ ଏବଂ କେନ୍ଦ୍ରାପଡ଼ା ଆଦି ବୁଲି ଦେଖାଇଲେ ସେହି ଅଭିଜିତ କହୁଛନ୍ତି ଯେ ସେ ବୈଜୟନ୍ତଙ୍କୁ ଆଗରୁ ଜାଣି ନଥିଲେ। କେବଳ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ବେଳେ ଥରେ ଦୁଇ ଥର ତାଙ୍କର ବୈଜୟନ୍ତଙ୍କ ସହ ସାକ୍ଷାତ ହୋଇଥିଲା।

ଓଡ଼ିଶା ସମ୍ପର୍କରେ ଜାଣିବା ପାଇଁ ଅଭିଜିତଙ୍କର କୁଆଡ଼େ ବହୁତ ଆଗ୍ରହ। ଭାରତୀୟ ଇତିହାସରେ ଓଡ଼ିଶାର ବିରାଟ ଯୋଗଦାନ ରହିଛି। ତେବେ ଏ ସମ୍ପର୍କରେ ଇତିହାସ ବହିରେ ବିଶେଷ କଥା ପଢ଼ିବାର ସୁଯୋଗ ପାଇ ନଥିଲେ ଅଭିଜିତ। ସେ ବିଭିନ୍ନ ସୂତ୍ରରୁ ଗବେଷଣା କରି ଓଡ଼ିଶା ବିଷୟରେ ଜାଣିବାକୁ ଚାହାନ୍ତି ଏବଂ ସେହି କ୍ରମରେ ଓଡ଼ିଶା ବୁଲି ଆସିଥିଲେ। ଓଡ଼ିଶା ଆସିବା ପରେ ତାଙ୍କୁ ବୈଜୟନ୍ତଙ୍କ ନିମନ୍ତ୍ରଣ ମିଳିଥିଲା।

ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କୋଣାର୍କ ମନ୍ଦିର ପରିଦର୍ଶନ ଦିନ ତାଙ୍କ ସହିତ ବୈଜୟନ୍ତ ନଥିଲେ। ଏହି ମାମଲାରେ ଆଗରୁ ବୈଜୟନ୍ତ ଅଭିଜିତଙ୍କୁ ନିନ୍ଦା କରିଥିବା ବେଳେ ବୈଜୟନ୍ତଙ୍କୁ ସେ ଜାଣି ନାହାନ୍ତି କହି ଏବେ ଅଭିଜିତ ଖସି ଯିବାକୁ ଚାହୁଁଛନ୍ତି। ଅସଲରେ ଅଭିଜିତଙ୍କର ଏହି କାଣ୍ଡ ପାଇଁ ଓଡ଼ିଶାରେ ବୈଜୟନ୍ତଙ୍କ ନାକ କଟିଛି। ଡେରି ହେଲେ ମଧ୍ୟ ଅଭିଜିତ ଏକଥା ବୁଝି ପାରିଛନ୍ତି। ବୈଜୟନ୍ତଙ୍କ ପତିଆରା ରଖିବା ପାଇଁ ଅଭିଜିତ ଏଭଳି ବୟାନ ଦେଇଥିବା ଯେ କେହି ବୁଝିପାରିବ।

ବୈଜୟନ୍ତ ତାଙ୍କର ଜଣାଶୁଣା ବନ୍ଧୁ ନୁହନ୍ତି ବୋଲି ଅଭିଜିତ ଆଜି କହିବା ଲଙ୍କାରେ ହରି ଶବ୍ଦ ଭଳି ମନେହେଉଛି। ଯାହା ବି ହେଉ ମାମଲାର ଗମ୍ଭୀରତାକୁ ଦେଖି ବୈଜୟନ୍ତ ଓ ଅଭିଜିତ ଗଣମାଧ୍ୟମ ନଜରରେ ପରସ୍ପରଠାରୁ ଦୂରତା ବଜାୟ ରଖିବା ଏକ ତାତ୍କାଳିକ ଆବଶ୍ୟକତା ବୋଲି ବୁଝିହେଉଛି।

ଓଡ଼ିଶାରେ ବୈଜୟନ୍ତଙ୍କ ସୌଜନ୍ୟରୁ ମିଳିଥିବା ‘ହେଲିକପ୍ଟର ରାଇଡ୍’ ଅଭିଜିତଙ୍କ ପାଇଁ ଏତେବଡ଼ ବିବାଦ ଓ ବିପଦ ଡାକି ଆଣିବ ବୋଲି ସେ କେବେ ଭାବି ନଥିଲେ। ଏହାକୁ ଏକ ମହାଶିକ୍ଷା ବୋଲି ଅଭିଜିତ ବୁଝିପାରିଛନ୍ତି। ବିଶେଷକରି ସୋସିଆଲ ମିଡିଆରେ ବିଭିନ୍ନ ମତ ଓ ମନ୍ତବ୍ୟ ବା ପ୍ରତିକ୍ରିୟା ରଖିବା ବେଳେ କିଭଳି ସଂଯମ ଆଚରଣ କରିବା ଦରକାର ସେ ବାବଦରେ ବାବୁ ଅଭିଜିତଙ୍କର ବୋଧହୁଏ ଜ୍ଞାନ ଉଦୟ ହୋଇଛି।

ଓଡ଼ିଆରେ ଏକ ଲୋକପ୍ରିୟ କଥା ରହିଛି – ମାଡ଼କୁ ମହାଦେବଙ୍କ ଡର। ବାବୁ ଅଭିଜିତ ଏକଥାକୁ ବୁଝି ପାରିଛନ୍ତି। ଗତ କିଛିଦିନ ମଧ୍ୟରେ ଗଣମାଧ୍ୟମ ବିଶେଷକରି ସୋସିଆଲ ମିଡିଆରେ ତାଙ୍କ ଉପରେ ଯେଉଁ ମାଡ଼ ପଡ଼ିଛି ସେତିକିରେ ହୁଏତ କଥା ସୀମିତ ହୋଇ ନପାରେ। କାରଣ ଏବେ ବାବୁ ଭୁଲ୍ ମାଗିବାକୁ ଓଡ଼ିଶା ମାଟିରେ ପାଦ ପକାଇବାକୁ ଯାଉଛନ୍ତି। ଓଡ଼ିଶାକୁ ସେ ଯେଭଳି ଭାବରେ ଚିତ୍ରଣ କରିବାକୁ ଅପଚେଷ୍ଟା କରିଛନ୍ତି କେତେବେଳେ କ’ଣ ହେବ କାହାକୁ ଜଣା!

ସାଧୁ ସାବଧାନ!

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ)

Comment