ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟର ଟିଟୋର ବେଆଇନ ପେଟ୍ରୋଲ ପମ୍ପ ଉପରେ ତଦନ୍ତ ଆରମ୍ଭ କଲା ସିବିଆଇ। ପୂର୍ବରୁ ଏସ୍‌ଟିଏଫ୍ ଟିଟୋର ଅପରାଧିକ ସାମ୍ରାଜ୍ୟ ଉପରେ ଚଢ଼ାଉ କରି ଗ୍ୟାଙ୍ଗଷ୍ଟର ଟିଟୋକୁ ଏବଂ ତାର ବହୁ  ସହଯୋଗୀମାନଙ୍କୁ ଗିରଫ କରି ସାରିଛି। ବହୁ ଆୟ ବହିର୍ଭୁତ ସମ୍ପତ୍ତି ଠାବ କରିଛି।

କେନ୍ଦ୍ରାପଡା ସହରର କୋର୍ଟ ଛକ ଓ ପାରାଦୀପ ଆଓସିଏଲ୍ ନିକଟରେ ଥିବା ଦୁଇଟି ବେଆଇନ ପେଟ୍ରୋଲ ପମ୍ପ କିପରି ଜଣେ ଗ୍ୟାଙ୍ଗଷ୍ଟର ହାତକୁ ଯାଇଥିଲା ତାହର ତଦନ୍ତ ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିବିଆଇକୁ ତଦନ୍ତଭାର ଦେଇଥିଲେ। ଆଜି ସିବିଆଇର ଏକ ଟିମ୍ ଟିଟୋର ସ୍ତ୍ରୀ ନାମରେ ରହିଥିବା ପେଟ୍ରୋଲ ପମ୍ପର ଯାଞ୍ଚ ଆରମ୍ଭ କରିଛି।

କେନ୍ଦ୍ରାପଡ଼ା କୋର୍ଟ ଛକ ନିକଟରେ କେନ୍ଦ୍ରାପଡ଼ା ପୌରସଂସ୍ଥାର ଜମି ଉପରେ ରହିଛି ଟିଟୋର ଏକ ନୂଆ ପେଟ୍ରୋଲ ପମ୍ପ। ଏହାଛଡ଼ା ପାରାଦୀପରେ ଆଇଓସିଏଲ୍ ତୈଲ ବିଶୋଧନାଗାର ନିର୍ମାଣହେବା ପରେ ଟିଟୋକୁ  ସେଠାରେ ଏକ ପେଟ୍ରୋଲ ପମ୍ପ ତିଆରି କରିବାର ସୁଯୋଗ ମିଳିଥିଲା। ଏହିସବୁ ସୁବିଧା ସୁଯୋଗ ଟିଟୋ କିପରି ହାସଲ କରିଥିଲା ତାକୁନେଇ ସବୁ ମହଲରେ ଉଠିଥିଲା ପ୍ରଶ୍ନ। ଏହିସବୁ ପେଟ୍ରୋଲ ପମ୍ପ ଟିଟୋର ସ୍ତ୍ରୀ ବେନଜିର ବିବିଙ୍କ ନାମରେ ରହିଛି ।

ଗତ ଜୁନ ମାସ ୩୦ ତାରିଖରେ ସ୍ପେଶାଲ ଟାସ୍କ ଫୋର୍ସ ଟିଟୋକୁ ଗିରଫ କରିବା ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଟିଟୋର ସବୁ ଅପରାଧିକ ଗୁମର ଫିଟାଇ ଚାଲିଛି। ଟିଟୋର ବହୁ ସହଯୋଗୀଙ୍କୁ ଗିରଫ ମଧ୍ୟ ହୋଇଛନ୍ତି ରାଜ୍ୟର ବିଭିନ୍ନ ଜିଲ୍ଲାରୁ। ବହୁ ବେଆଇନ ସମ୍ପତ୍ତି ମଧ୍ୟରେ ଟିଟୋର ବେଆଇନ ପେଟ୍ରୋଲ ପମ୍ପ ମଧ୍ୟ ରହିଥିଲା। ତଦନ୍ତ ବେଳେ ଏହି ପେଟ୍ରୋଲ ପମ୍ପ ନିର୍ମାଣ ପାଇଁ ଗୋବରୀ ନଦୀ କୁଳରେ ଥିବା କେନ୍ଦ୍ରାପଡ଼ା ପୌର ସଂସ୍ଥାର ଜମିକୁ କିପରି ଦୀର୍ଘ ମିଆଦି ଲିଜ ସୂତ୍ରରେ ହାତେଇଥିଲା ତାହାର ଖୋଳତାଡ଼ କରିଥିଲା ଏସ୍‌ଟିଏଫ୍।

କେନ୍ଦ୍ରାପଡା ପୌରସଂସ୍ଥା ଓ କେନ୍ଦ୍ରାପଡ଼ା ତହସିଲ ଉପରେ ଚଢ଼ାଉକରି ବହୁ ଗୁରୁତ୍ୱପୂର୍ଣ୍ଣ ତଥା ଆପତ୍ତିଜନକ କାଗଜପତ୍ର ମଧ୍ୟ ଜବତ କରିଛି।

ପେଟ୍ରୋଲ  ପମ୍ପଗୁଡ଼ିକ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣାଧିନ ରହିଛି। ତେଣୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେତେବେଳେ ଏହି ତଦନ୍ତ ଦାୟିତ୍ୱ ସିବିଆଇ ହାତକୁ ଦେଇଥିଲେ। ଏହି କ୍ରମରେ ସିବିଆଇର ଆଣ୍ଟି କରପ୍‌ସନ ବିଭାଗର ଏକ ଟିମ୍ କେନ୍ଦ୍ରାପଡ଼ା ଆସି ତଦନ୍ତ ଆରମ୍ଭ କରିଛି। ସିବିଆଇର ଛାନଭିନ ସମ୍ପର୍କରେ କେହି ପତ୍ତା ପାଇ ନାହାନ୍ତି।  କେନ୍ଦ୍ରାପଡ଼ା ସମେତ ଏହି ଟିମ୍ ମଧ୍ୟ ପାରାଦୀପ ଗସ୍ତ କରି ଫେରି ଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଟିଟୋର ଏହି ପେଟ୍ରୋଲ ପମ୍ପକୁ ନେଇ ସେତବେଳେ ବିଜେଡି-ବିଜେପି ଭିତରେ ଆରୋପ ପ୍ରତ୍ୟାରୋପ ଚାଲିଥିଲା।

Comment