ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୈଜୟନ୍ତ ପଣ୍ଡାଙ୍କୁ ଆଶ୍ୱସ୍ତି। ଡିଜିସିଏ ଦେଲେ କ୍ଲିନଚିଟ୍ ରିପୋର୍ଟ।

ବୈଜୟନ୍ତ ପଣ୍ଡା ଏବଂ ରାଜ୍ୟ ସରକାରଙ୍କ ଭିତରେ ଚାଲିଥିବା ହେଲିକପ୍ଟର ଉଡ଼ାଣ ବିବାଦ ଆଜି ଭିନ୍ନ ମୋଡ଼ ନେଇଛି। ସିଭିଲ ଏଭିଏସନ ମହାନିର୍ଦ୍ଦେଶକ (ଡିଜିସିଏ) ଆଜି ବୈଜୟନ୍ତଙ୍କୁ କ୍ଲିନଚିଟ୍ ଦେଇଛନ୍ତି। ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ବେଳେ କୌଣସି ନିୟମ ଉଲ୍ଲଂଘନ ହୋଇ ନଥିବା ଡିଜିସିଏ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

ଡିଜିସିଏଙ୍କ ରିପୋର୍ଟ ଭୁବନେଶ୍ୱର ଏୟାରପୋର୍ଟ ନିର୍ଦ୍ଦେଶକଙ୍କ ନିକଟକୁ ଆସିବା ପରେ ବୈଜୟନ୍ତଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ରାଜ୍ୟ ସରକାରଙ୍କୁ ଝଟ୍‌କା ଲାଗିଛି।

ଏନେଇ ବୈଜୟନ୍ତ ଟୁଇଟ୍ କରି ଡିଜିସିଏଙ୍କ ତଦନ୍ତ ରିପୋର୍ଟକୁ ସ୍ୱାଗତ କରିବା ସହ ସତ୍ୟର ଜୟ ହୋଇଛି ବୋଲି କହିଛନ୍ତି।

“ଦେଢ଼ ମାସ ହେଲା ଭୁବନେଶ୍ୱର ଏୟାରପୋର୍ଟ ହ୍ୟାଙ୍ଗରକୁ ସିଲ୍ କରି ତିନୋଟି ହେଲିକପ୍ଟରକୁ ଜବତ କରିଛନ୍ତି ରାଜ୍ୟ ସରକାର। ଗୋଟିଏ ହେଲିକପ୍ଟର ବିରୋଧରେ ଅଭିଯୋଗ ରହିଥିଲେ ମଧ୍ୟ ସରକାର ଆଉ ୨ଟିକୁ ଜବତ କରିଥିଲେ। ଆଜି ଡିଜିସିଏ କ୍ଲିନଚିଟ୍ ଦେଇଛନ୍ତି”, କହିଛନ୍ତି ବୈଜୟନ୍ତ ପଣ୍ଡା।

ସେପ୍ଟେମ୍ବର ୧୪ ତାରିଖରେ ବୈଜୟନ୍ତ ଦିଲ୍ଲୀରୁ ଆସିଥିବା ଅଭିଜିତ ଆୟାର ମିତ୍ର ଏବଂ ଆରତୀ ଟିକୋ ସିଂଙ୍କୁ ନେଇ ହେଲିକପ୍ଟର ଉଡ଼ାଣ କରିଥିଲେ। ଭୁବନେଶ୍ୱରରୁ ସେ ଚିଲିକା, ପୁରୀ, କୋଣାର୍କ ଦେଇ କେନ୍ଦ୍ରାପଡ଼ା ଯାଇଥିଲେ। ହେଲେ ବୈଜୟନ୍ତଙ୍କ ହେଲିକପ୍ଟର ଚିଲିକାର ନୋ ଫ୍ଲାଇଙ୍ଗ ଜୋନରେ ଲୋ ଫ୍ଲାଇଙ୍ଗ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ପୁରୀ ମେରାଇନ ଥାନାରେ ଏତଲା ଦେଇଥିଲେ।

ଏତଲା ପାଇବା ପରେ ପୁରୀ ପୋଲିସ ଭୁବନେଶ୍ୱର ବିମାନବନ୍ଦରରେ ଇମ୍ଫା ହ୍ୟାଙ୍ଗର ସିଜ୍ କରିଥିଲା। ଏହାକୁ ନେଇ ବୈଜୟନ୍ତ ତୃତୀୟ ମହଲାକୁ ତୀର ମାରିଥିଲେ। ବୈଜୟନ୍ତ ଏବଂ ରାଜ୍ୟ ସରକାରଙ୍କ ଭିତରେ ବିବାଦ ବଢ଼ିଥିଲା।

ବୈଜୟନ୍ତଙ୍କ ହେଲିକପ୍ଟର ଚିଲିକାରେ ନିୟମ ଉଲ୍ଲଂଘନ କରିଥିଲା କି ନାହିଁ ସେ ବିଷୟରେ ତଦନ୍ତ କରିବା ପାଇଁ ଡିଜିସିଏଙ୍କୁ ଚିଠି ଲେଖିଥିଲେ ଭୁବନେଶ୍ୱର ଏୟାରପୋର୍ଟ କର୍ତ୍ତୃପକ୍ଷ। ତଦନ୍ତ ରିପୋର୍ଟରେ ବୈଜୟନ୍ତଙ୍କୁ କ୍ଲିନଚିଟ ଦେଇଛନ୍ତି ଡିଜିସିଏ।

ଡିଜିସିଏ ତାଙ୍କ ରିପୋର୍ଟରେ ଲେଖିଛନ୍ତି ଯେ ହେଲିକପ୍ଟର କୌଣସିଠାରେ ଓହ୍ଲାଇ ନଥିଲା। ଭୁବନେଶ୍ୱରରୁ ପୁରୀ, କୋଣାର୍କ ଦେଇ କେନ୍ଦ୍ରାପଡ଼ା ଗରଦପୁର ଯାଇଥିଲା। ଚିଲିକା ଉପରେ କୌଣସି ବେଆଇନ ଉଡ଼ାଣ କରି ନଥିବା ଚିଠିରେ ଦର୍ଶାଯାଇଛି।

Comment