ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଶୁକ୍ରବାର ସନ୍ଧ୍ୟାରେ ଇଡ୍‌କଲ୍ ଅଡିଟୋରିୟମ୍‌ରେ ଟକ୍ ଶୋ’
  • ଶାସ୍ତ୍ରୀୟ ସଙ୍ଗୀତ ପ୍ରେମୀ ଓ ଯୁବପିଢ଼ିଙ୍କ ସହିତ ହେବ ଆଲୋଚନା
  • ଶନିବାର ସନ୍ଧ୍ୟାରୁ ଶାସ୍ତ୍ରୀୟ ସଙ୍ଗୀତ, ନୃତ୍ୟର ଆସର
  • ଯୋଗ ଦେବେ ୫ ଜଣ ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତବିତ୍

ସ୍ପିକ୍‌ମାକେ’ ପକ୍ଷରୁ ଭୁବନେଶ୍ୱରରେ ୨୬ ତାରିଖ ସନ୍ଧ୍ୟାରୁ ଆରମ୍ଭ ହେବାକୁ ଯାଉଛି ଅଲ୍‌-ନାଇଟ୍‍ କନ୍‌ସର୍ଟ ‘ୟାମିନି’। ଶୁକ୍ରବାର ସନ୍ଧ୍ୟାରେ ଇଡକଲ୍ ଅଡିଟୋରିୟମରେ ଏକ ‘ଟକ୍ ଶୋ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଶନିବାର ସନ୍ଧ୍ୟାରୁ ଆଚାର୍ଯ୍ୟବିହାରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‍ ଅଫ୍‍ ଫିଜିକ୍‌ସ ଅଡିଟୋରିୟମ୍‌ରେ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ରାତି ତମାମ୍ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରାଯିବ।

ଇଡ୍‌କଲ୍ ଅଡିଟୋରିୟମ୍‌ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସମ୍ପର୍କରେ ସୂଚନା ଦେଇଛନ୍ତି ସ୍ପିକ୍‌ମାକେ ଓଡ଼ିଶା ଚାପ୍‌ଟରର ସଂଯୋଜିକା ବବିତା ମିଶ୍ର।

ସ୍ପିକ୍‌ମାକେ ଓଡ଼ିଶା ଚାପ୍‍ଟର ଗତ କିଛି ବର୍ଷ ଧରି ବେଶ୍‍ ସକ୍ରିୟ ରହିଛି। ଶୁକ୍ରବାର ସନ୍ଧ୍ୟାରେ ସ୍ପିକ୍‌ମାକେର ଫାଉଣ୍ଡର ଚେୟାରମ୍ୟାନ୍ ପ୍ରଫେସର ଡକ୍ତର କିରଣ ସେଠ୍‌ ଏବଂ ଓଡ଼ିଶା ସ୍କିଲ ଡେଭଲପମେଣ୍ଟ ଅଥରିଟିର ଅଧ୍ୟକ୍ଷ ତଥା ମାଇଣ୍ଡିଟ୍ରିର ସହ ସଂସ୍ଥାପକ ସୁବ୍ରତ ବାଗ୍‌ଚି ଶାସ୍ତ୍ରୀୟ ସଙ୍ଗୀତ ସମ୍ପର୍କରେ ଯୁବପିଢ଼ି ଓ ସଙ୍ଗୀତପ୍ରେମୀଙ୍କ ସହିତ ଭାବବିନିମୟ କରିବେ।

spic_macay_yamini_2018 poster

ଦୀର୍ଘ ଚାଳିଶ ବର୍ଷରୁ ଅଧିକ ସମୟ ଧରି ଭାରତ ଏବଂ ଭାରତ ବାହାରେ ୪୦ଟି ଦେଶରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଲୋକକଳା ଏବଂ ସଂସ୍କୃତି, ବିଶେଷକରି ବିଭିନ୍ନ ପର୍‌ଫର୍ମିଂ ଆର୍ଟ୍‌ସ ଧାରାକୁ ନୂଆ ଯୁବପିଢ଼ିଙ୍କ ସହିତ ଯୋଡ଼ିବା ପାଇଁ ପ୍ରଚେଷ୍ଟା ଚଲାଇଛି ‘ସ୍ପିକ୍‌ମାକେ’।

ସଙ୍ଗୀତପ୍ରେମୀଙ୍କ ପାଇଁ ଏହା ଏକ ଅପୂର୍ବ ସୁଯୋଗ। କାରଣ ଭାରତ ତଥା ବିଶ୍ୱବିଖ୍ୟାତ ଏହି ଶାସ୍ତ୍ରୀୟ ସ୍ୱର ସାଧକ/ସାଧିକାମାନେ ସ୍ମାର୍ଟ ଯୁବପିଢ଼ିଙ୍କ ସହିତ ଭାବବିନିମୟ କରି ସେମାନଙ୍କର ନିକଟତର ହେବାର ସୁଯୋଗ ସୃଷ୍ଟି କରିଛନ୍ତି।

ଚଳିତବର୍ଷ ‘ୟାମିନି’ରେ ଦେଶର ୫ ଜଣ ପ୍ରତିଷ୍ଠିତ କଳାସାଧକ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିବେ। ସେମାନଙ୍କ ମଧ୍ୟରେ ଅଛନ୍ତି ଘଟମ୍‌ବାଦକ ବିଦ୍ୱାନ ଭିକୁ ବିନାୟକ ରାମ୍, ସୀତାରବାଦକ ପୂର୍ବାୟନ ଚାଟାର୍ଜୀ, ହିନ୍ଦୁସ୍ଥାନୀ କଣ୍ଠଶିଳ୍ପୀ ବିଦୁଷୀ ଭିଡେ ଦେଶପାଣ୍ଡେ, ସାରଙ୍ଗୀ ବାଦକ ଉସ୍ତାଦ ସବିର ଖାନ୍‌, ହିନ୍ଦୁସ୍ଥାନୀ କଣ୍ଠଶିଳ୍ପୀ ଉସ୍ତାଦ ରାଜା ମିଆଁ। ଏହି ଶିଳ୍ପୀମାନେ ନିଜ ନିଜ କ୍ଷେତ୍ରରେ ସେମାନଙ୍କର ଦକ୍ଷତା ଓ ବିରଳ ସାଧନା ପାଇଁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ବେଶ୍‌ ନାଁ କମାଇଛନ୍ତି।

ରାଜ୍ୟର ଅନେକ କଳା ଓ ସଂସ୍କୃତିପ୍ରେମୀ ବ୍ୟକ୍ତି ଏହା ସହିତ ଯୋଡ଼ି ହୋ‌ଇଛନ୍ତି। ବିଶେଷକରି ସ୍ପିକ୍‌ମାକେ ସହିତ ସମ୍ପୃକ୍ତ ଛାତ୍ର-ସ୍ୱେଚ୍ଛାସେବୀମାନେ ଏହାର ପ୍ରସାର ଓ ପରିଚାଳନା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି।

ଦେଶବିଦେଶରେ ଥିବା ଦର୍ଶକମାନେ ସ୍ପିକ୍‌ମାକେର ଫେସବୁକ ପେଜ୍ (www.facebook.com/spicmacay) ଏବଂ ଓଡ଼ିଶା ଲାଇଭ୍‌ର ନ୍ୟୁଜ୍‌ ପୋଟାଲ (www.odisha.live) ମାଧ୍ୟମରେ ଏହି କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ଲାଇଭ୍‌ଷ୍ଟ୍ରିମିଂ(ସିଧା ପ୍ରସାରଣ) ମଧ୍ୟ ଦେଖିପାରିବେ। ଡିଜିଟାଲ ମିଡିଆ ପାର୍ଟନର ଓଡ଼ିଶାଲାଇଭ୍‍ ପକ୍ଷରୁ ଏହି ଷ୍ଟ୍ରିମିଂ ସେବା ଯୋଗାଇ ଦିଆଯାଉଛି।

Comment