ଓଡ଼ିଶାଲାଇଭ୍‌ ବ୍ୟୁରୋ

ଢେଙ୍କାନାଳ ସଦର ଫରେଷ୍ଟ ରେଞ୍ଜରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଏକ ଦୁଃଖଦ ଘଟଣା। କମଳାଙ୍ଗ ଗାଁ ନିକଟରେ ୭ ହାତୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ଏହାପରେ ପିସିସିଏଫ୍ ଏବଂ ବିଦ୍ୟୁତ ବିଭାଗ (ସେସୁ)ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଦାୟିତ୍ୱରେ ଅବହେଳା ପାଇଁ ୬ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଜଣଙ୍କୁ ବହିଷ୍କୃତ କରାଯାଇଛି।

ଇଲେକ୍ଟ୍ରିକାଲ ଜେନେରାଲ ମ୍ୟାନେଜର ନରେଶ ପଟ୍ଟନାୟକଙ୍କ ସମେତ ଚାଇଁପାଳ ଏସ୍‌ଡିପିଓ ଆର୍ତ୍ତତ୍ରାଣ ନାୟକ, ମେରାମୁଣ୍ଡଳୀ ଲାଇନ ମ୍ୟାନ ଫିରୋଜ ପଣ୍ଡା, ଢେଙ୍କାନାଳ ରେଞ୍ଜ ଅଫିସର ପ୍ରସନ୍ନ ବିଶ୍ୱାଳ, ମେରାମୁଣ୍ଡଳୀ ଫରେଷ୍ଟର ପ୍ରଭାକର ରଣା, ଫରେଷ୍ଟଗାର୍ଡ ଗିରିଶ ଚନ୍ଦ୍ର ବେହୁରା ପ୍ରମୁଖ ନିଲମ୍ବିତ ହୋଇଛନ୍ତି।

ମେରାମୁଣ୍ଡଳୀ ବିଦ୍ୟୁତ ବିଭାଗ କନିଷ୍ଠ ଅଧିକାରୀ ସଞ୍ଜୟ ମହାନ୍ତିଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।

ଶୁକ୍ରବାର ରାତିରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ ହାତୀଙ୍କର ମୃତ୍ୟୁ ହେବା ପରେ ବନ ବିଭାଗ ସେସୁକୁ ଦୋଷ ଦେଇଥିଲା। ୧୧ କେଭି ବିଦ୍ୟୁତ ତାର ଓହଳିକି ରହିଥିବାରୁ ଏଭଳି ଅଘଟଣ ଘଟିଥିବା ବନବିଭାଗ ପକ୍ଷରୁ କୁହାଯାଇଥିଲା।

ଏନେଇ ବନ ବିଭାଗ ଏବଂ ବିଦ୍ୟୁତ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା। ଢେଙ୍କାନାଳ ଜିଲ୍ଲାପାଳ ରେଳ ବିକାଶ ନିଗମ, ବନ ବିଭାଗ ଓ ବିଦ୍ୟୁତ ବିଭାଗକୁ ରିପୋର୍ଟ ତଲବ କରିଥିଲେ।

Comment