ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡିଜିସିଏ ରିପୋର୍ଟକୁ ଗ୍ରହଣ କରୁନି ପୁରୀ ପୋଲିସ। ବୈଜୟନ୍ତଙ୍କ ହେଲିକପ୍ଟର ଉଡ଼ାଣ ବିବାଦ ନୂଆ ମୋଡ଼ ନେଇଛି।

ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଉଡ଼ାଣ ବିବାଦରେ ଆସିଲା ନୂଆ ଟୁଇଷ୍ଟ। ଡିଜିସିଏ ବୈଜୟନ୍ତଙ୍କୁ କ୍ଲିନଚିଟ୍ ଦେବା ପରେ ବି ବିବାଦ ଥଣ୍ଡା ପଡ଼ୁନି। ପୁରୀ ପୋଲିସ ଡିଜିସିଏ ରିପୋର୍ଟକୁ ଗ୍ରହଣ କରିବାକୁ ରାଜି ହେଉ ନଥିବାରୁ ବିବାଦ ଭିନ୍ନ ମୋଡ଼ ନେଉଛି। ଫଳରେ ପୁରୀ ପୋଲିସ କବଳରୁ ବୈଜୟନ୍ତଙ୍କ ହେଲିକପ୍ଟର କେବେ ମୁକୁଳିବ ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି।

ଚିଲିକାରେ ବୈଜୟନ୍ତଙ୍କ ହେଲିକପ୍ଟର କୌଣସି ବେଆନ ଉଡ଼ାଣ କରି ନଥିବା ଡିଜିସିଏ ଶୁକ୍ରବାର ଦିନ ତଦନ୍ତ ରିପୋର୍ଟ ଦେଇଥିଲେ। ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକଙ୍କ ପାଖକୁ ଆସିଥିବା ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ବେଳେ ଡିଜିସିଏର କୌଣସି ନିୟମ ଉଲ୍ଲଂଘନ ହୋଇନି। ଏହି ରିପୋର୍ଟ ଆସିବା ପରେ ବୈଜୟନ୍ତ ସତ୍ୟର ଜୟ ହୋଇଛି ବୋଲି ଟୁଇଟ୍ କରିଥିଲେ। ଆଶା କରାଯାଉଥିଲା ଡିଜିସିଏଙ୍କ ରିପୋର୍ଟ ଆସିବା ପରେ ପୁରୀ ପୋଲିସ ସିଜ୍ କରିଥିବା ହ୍ୟାଙ୍ଗର ଖୋଲିବ। ହେଲେ ପୁରୀ ଏସ୍‌ପି ଆଜି ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ପୁଣି ଏକ ବିବାଦ ଛିଡ଼ା କରିଛି।

“ଡିଜିସିଏ ଯେଉଁ ରିପୋର୍ଟ ଦେଇଛନ୍ତି ସେଥିରେ ହେଲିକପ୍ଟର ଚିଲିକାର କେତେ ଉଚ୍ଚରେ ଉଡ଼ୁଥିଲା ତାହା ସ୍ପଷ୍ଟ କରାଯାଇନି। ଏନେଇ ଡିଜିସିଏଙ୍କଠାରୁ ତଥ୍ୟ ମଗାଯିବ। ଡିଜିସିଏ ତଥ୍ୟ ଦେବା ପରେ ବିଚାର କରାଯିବ”, କହିଛନ୍ତି ସାର୍ଥକ ଷଡ଼ଙ୍ଗୀ।

ପୁରୀ ଏସ୍‌ପି ଏହି ବୟାନ ଦେବା ପରେ ହେଲିକପ୍ଟର ମୁକୁଳିବା ନେଇ ଅନିଶ୍ଚିତତା ଦେଖାଦେଇଛି।

ଡିଜିସିଏ ରିପୋର୍ଟ ଅସିବା ପରେ ବିଜେପି ଏବଂ କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହିଥିବା ବେଳେ ବିଜେପି ନେତା ସୁରେଶ ପୂଜାରୀ ସମାଲୋଚନା କରିଛନ୍ତି। ପୁରୀ ପୋଲିସ ତଦନ୍ତକୁ ଭିନ୍ନ ମୋଡ଼ ଦେବାକୁ ଚାହୁଁଥିଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।

ଗତ ଦେଢ଼ ମାସ ହେଲା ଚିଲିକା ଉପରେ ହେଲିକପ୍ଟର ଉଡ଼ାଣକୁ ନେଇ ପୁରୀ ପୋଲିସ ଏବଂ ବୈଜୟନ୍ତଙ୍କ ଭିତରେ ଛକାପଞ୍ଝା ଲାଗି ରହିଥିଲା। ଗତ ସେପ୍ଟେମ୍ବର ୧୫ ତାରିଖରେ ଚିଲିକାର ନୋ ଫ୍ଲାଇଙ୍ଗ ଜୋନରେ ଲୋ ଫ୍ଲାଇଙ୍ଗ କରିବା ଅଭିଯୋଗରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ପୁରୀ ମେରାଇନ ଥାନାରେ ଏତଲା ଦେଇଥିଲେ।

ଏତଲାକୁ ଗ୍ରହଣ କରି ପୁରୀ ପୋଲିସ ଭୁବନେଶ୍ୱର ବିମାନ ବନ୍ଦରରେ ଥିବା ଇମ୍ଫା ହ୍ୟାଙ୍ଗରକୁ ସିଲ୍ କରିଛି। ଗୋଟିଏ ହେଲିକପ୍ଟର ନାଁରେ ଅଭିଯୋଗ ରହିଥିବା ବେଳେ ପୋଲିସ ତିନୋଟି ହେଲିକପ୍ଟର ସିଜ୍ କରିଥିଲା। ଏହାକୁ ନେଇ ବୈଜୟନ୍ତ ରାଜ୍ୟ ସରକାରଙ୍କ ଅଫିସରଙ୍କୁ ଟାର୍ଗେଟ କରିଥିଲେ। ବିବାଦ ବଢ଼ିବାରୁ ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ ଡିଜିସିଏଙ୍କୁ ତଦନ୍ତ କରିବା ଲାଗି ଚିଠି ଲେଖିଥିଲେ।

ପୁରୀ ମେରାଇନ ଥାନା ପକ୍ଷରୁ ବୈଜୟନ୍ତଙ୍କୁ ହାଜର ହେବା ପାଇଁ ନୋଟିସ ଦିଆଯାଇଥିଲା। ହେଲେ ଇମ୍ଫା ଅଧିକାରୀ ସମସ୍ତ କାଗଜପତ୍ର ନେଇ ମେରାଇନ ଥାନରେ ହାଜର ହୋଇଥିଲେ। କିନ୍ତୁ ବୈଜୟନ୍ତ ହାଜର ହୋଇ ନଥିବାରୁ ପୁଣି ନୋଟିସ ଦେଇଥିଲା ମେରାଇନ ଥାନା ପୋଲିସ। ଫଳରେ ବୈଜୟନ୍ତ ପୁରୀ ପୋଲିସକୁ ଟାର୍ଗେଟ କରିଥିଲେ। ନୋଟିସ ଦେଇ ପୁରୀ ପୋଲିସ ତାଙ୍କୁ କନଫ୍ୟୁଜନ କରୁଥିବା ସେ ଅଭିଯୋଗ କରିଥିଲେ।

Comment