ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୪୨ ଦିନ ପରେ ଖୋଲିଲା ହ୍ୟାଙ୍ଗର
  • ହ୍ୟାଙ୍ଗରରେ ଥିଲା ତିନୋଟି ହେଲିକପ୍ଟର
  • ୨ଟି ହେଲିକପ୍ଟର ମୁକୁଳିଲା
  • ଅଭିଯୋଗ ଥିବା ହେଲିକପ୍ଟରକୁ ଛାଡ଼ିଲାନି ପୋଲିସ

ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଚିଲିକା ଉପରେ ହେଲିକପ୍ଟର ଉଡ଼ାଇବା ଘଟଣାରେ ନୂଆ ମୋଡ଼ ଆସିଛି। ୪୨ ଦିନ ପରେ ପୁରୀ ପୋଲିସ ଭୁବନେଶ୍ୱର ବିମାନବନ୍ଦରରେ ସିଲ୍ କରିଥିବା ହ୍ୟାଙ୍ଗର ଖୋଲିଛି।

ପୁରୀ ମେରାଇନ ଥାନା ଆଇଆଇସି ଏବଂ ଜଣେ ଏସ୍‌ଡିପିଓ ହ୍ୟାଙ୍ଗର ଖୋଲିଥିଲେ ମଧ୍ୟ ଗୋଟିଏ ହେଲିକପ୍ଟର ସିଜ୍ କରିଛନ୍ତି। ଦୁଇଟି ହେଲିକପ୍ଟରକୁ ଛାଡ଼ିଛନ୍ତି। ହ୍ୟାଙ୍ଗରରେ ତିନୋଟି ହେଲିକପ୍ଟର ରହିଥିଲା।

ସିଲ୍ ହୋଇଥିବା ହେଲିକପ୍ଟରଟି ଚିଲିକା ଉପରେ ଉଡ଼ାଣ କରିଥିଲା। ତେବେ ହେଲିକପ୍ଟରଟି ଚିଲିକାର କେତେ ଉଚ୍ଚରେ ଉଡ଼ିଥିଲା ସେନେଇ ଡିଜିସିଏ କୌଣସି ତଥ୍ୟ ଦେଇ ନଥିବାରୁ ହେଲିକପ୍ଟରକୁ ଛାଡ଼ିନି ପୁରୀ ପୋଲିସ। ହେଲିକପ୍ଟରଟି କେତେ ଉଚ୍ଚରେ ଉଡ଼ୁଥିଲା ସେନେଇ ଡିଜିସିଏକୁ ରିପୋର୍ଟ ମାଗିଛି ପୁରୀ ପୋଲିସ।

ଚିଲିକାରେ ବୈଜୟନ୍ତଙ୍କ ହେଲିକପ୍ଟର କୌଣସି ବେଆନ ଉଡ଼ାଣ କରି ନଥିବା ଡିଜିସିଏ ଗତ ଶୁକ୍ରବାର ଦିନ ତଦନ୍ତ ରିପୋର୍ଟ ଦେଇଥିଲେ। ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକଙ୍କ ପାଖକୁ ଆସିଥିବା ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା ଯେ ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ବେଳେ ଡିଜିସିଏର କୌଣସି ନିୟମ ଉଲ୍ଲଂଘନ ହୋଇନି।

ଗତ ସେପ୍ଟେମ୍ବର ୧୫ ତାରିଖରେ ଚିଲିକାର ନୋ ଫ୍ଲାଇଙ୍ଗ ଜୋନରେ ଲୋ ଫ୍ଲାଇଙ୍ଗ କରିବା ଅଭିଯୋଗରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ପୁରୀ ମେରାଇନ ଥାନାରେ ଏତଲା ଦେଇଥିଲେ।

ଏତଲାକୁ ଗ୍ରହଣ କରି ପୁରୀ ପୋଲିସ ସେପ୍ଟେମ୍ବର ୧୭ରେ ଭୁବନେଶ୍ୱର ବିମାନ ବନ୍ଦରରେ ଥିବା ଇମ୍ଫା ହ୍ୟାଙ୍ଗରକୁ ସିଲ୍ କରିଥିଲା। ଗୋଟିଏ ହେଲିକପ୍ଟର ନାଁରେ ଅଭିଯୋଗ ରହିଥିବା ବେଳେ ପୋଲିସ ତିନୋଟି ହେଲିକପ୍ଟର ସିଜ୍ କରିଥିଲା। ଏହାକୁ ନେଇ ବୈଜୟନ୍ତ ରାଜ୍ୟ ସରକାରଙ୍କ ଅଫିସରଙ୍କୁ ଟାର୍ଗେଟ କରିଥିଲେ। ବିବାଦ ବଢ଼ିବାରୁ ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ ଡିଜିସିଏଙ୍କୁ ତଦନ୍ତ କରିବା ଲାଗି ଚିଠି ଲେଖିଥିଲେ।

Comment