ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କଠୋର ହେଲେ ଓଡ଼ିଶା ହାଇକୋର୍ଟ
  • ଜଷ୍ଟିସ୍ ସି ଆର୍ ଦାଶଙ୍କ ତତ୍ତ୍ୱାବଧାନରେ ଚାଲିବ ତଦନ୍ତ
  • ୫ ଦିନ ଭିତରେ ତଦନ୍ତ ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଓକିଲ-ପୋଲିସ ବିବାଦରେ ହାଇକୋର୍ଟ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ହାଇକୋର୍ଟ ବିଚାରପତି ଜଷ୍ଟିସ ସି ଆର୍ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ବିବାଦର ତଦନ୍ତ କରିବାକୁ ମୁଖ୍ୟ ବିଚାରପତି ଜଷ୍ଟିସ୍ କେ ଏସ୍ ଜାଭେରୀ ନିର୍ଦ୍ଦେଶ ଦେଇଛନ୍ତି।

ନଭେମ୍ବର ୯ ତାରିଖ ପୂର୍ବରୁ ତଦନ୍ତ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅସୁସ୍ଥତା ଦର୍ଶାଇ ଛୁଟିରେ ଥିବା ଏହି ମାମଲାର ତଦନ୍ତ ଅଫିସର କାର୍ଯ୍ୟରେ ଯୋଗ ଦେବାର ୫ ଦିନ ଭିତରେ ତଦନ୍ତ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରତିଦିନ ତଦନ୍ତ କେତେବାଟ ଆଗେଇଲା ସେ ସମ୍ପର୍କରେ ଜଷ୍ଟିସ ଦାଶଙ୍କୁ ଅବଗତ କରିବାକୁ ହାଇକୋର୍ଟ କହିଛନ୍ତି।

ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନର ସମ୍ମତିକ୍ରମେ ବରିଷ୍ଠ ଓକିଲ ବିଜନ ରାୟ ଜଣେ କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ୱାବାଧାନରେ ବିଚାର ଶେଷ କରିବାକୁ ଅନୁରୋଧ କରିଥିଲେ।

ରାଜ୍ୟ ସରକାର ନେଇଛନ୍ତି ପଦକ୍ଷେପ: ଆଇନ ମନ୍ତ୍ରୀ

ଓକିଲ-ପୋଲିସ ବିବାଦରେ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ବିରୋଧୀ ଅଭିଯୋଗ କରି ଆସୁଛନ୍ତି। ଏନେଇ ମଙ୍ଗଳବାର ଆଇନମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟ ରଖିଛନ୍ତି।

ସେ କହିଛନ୍ତି, “ରାଜ୍ୟ ସରକାର କିଛି କରୁ ନାହାନ୍ତି କହିବା ଠିକ୍ ନୁହେଁ। ବିବାଦ ସମାଧାନ ପାଇଁ ମୁଁ ନିଜେ ଆଇନଜୀବୀମାନଙ୍କ ସହ ଆଲୋଚନା କରିଥିଲି। କିନ୍ତୁ ଆଲୋଚନା ବିଫଳ ହୋଇଥିଲା। ସୁପ୍ରମକୋର୍ଟଙ୍କ ନିର୍ଦ୍ଦେଶରେ ଏହି ମାମଲାର ତଦନ୍ତ ଜଣେ ଆଇଜି ରାଙ୍କର ଅଫିସର କରୁଛନ୍ତି। ଏବେ ଏହି ମାମଲା ହାଇକୋର୍ଟରେ ବିଚାରାଧୀନ ରହିଥିବାରୁ ସରକାର କୋର୍ଟଙ୍କ ରାୟକୁ ଅପେକ୍ଷା କରିଛନ୍ତି।”

ହାଇକୋର୍ଟ ଓକିଲ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ପୋଲିସର ମାଡ଼ ପ୍ରତିବାଦରେ ୨ ମାସ ହେଲା କୋର୍ଟ କାର୍ଯ୍ୟ ଅଚଳ ହୋଇଯାଇଛି। ହାଇକୋର୍ଟ ବାର୍ ଆସୋସିଏସନ ଡାକରାରେ ଆଇନଜୀବୀମାନେ ସାରା ରାଜ୍ୟରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ତେବେ ବିଜେଡି ଲିଗାଲ ସେଲ୍ ଆନ୍ଦୋଳନରୁ ଓହରି ଯିବା ପରେ ଆଇନଜୀବୀ ସଂଘରେ ଫାଟ ସୃଷ୍ଟି ହୋଇଛି। ଏହାକୁ ନେଇ ସୋମବାର ଦିନ ହାଇକୋର୍ଟ ପରିସରରେ ଦୁଇ ଓକିଲ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।J

Comment