ଓଡ଼ିଶାଲାଇଭ୍‌ ବ୍ୟୁରୋ

ହେଲିକପ୍ଟର ସିଲ୍ ମାମଲାରେ ପୋଲିସ ଡିଜିଙ୍କ ହସ୍ତକ୍ଷେପ ଲୋଡ଼ିଲେ ବୈଜୟନ୍ତ ପଣ୍ଡା।

ପୂର୍ବତନ ସାଂସଦ ବୈଜୟନ୍ତପଣ୍ଡା ଶୁକ୍ରବାର ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଚିଠି ଲେଖିଛନ୍ତି। ଡିଜିସିଏ କ୍ଲିନଚିଟ୍ ଦେବା ପରେ କାହିଁକି ଗୋଟିଏ ହେଲିକପ୍ଟରକୁ ପୁରୀ ପୋଲିସ ସିଲ୍ କଲା ବୋଲି ପ୍ରଶ୍ନ କରିଛନ୍ତି। ଏହି ଘଟଣାରେ ଡିଜିପି ହସ୍ତକ୍ଷେପ କରିବାକୁ ବୈଜୟନ୍ତ ଚିଠିରେ ଦର୍ଶାଇଛନ୍ତି।

ବୈଜୟନ୍ତ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, “ପୁରୀ ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ହେଲିକପ୍ଟର ସିଲ୍ କରିଛି। ହେଲିକପ୍ଟରଟି ସିଲ୍ କରାଯାଇଥିବାରୁ ତାର ରକ୍ଷଣା ବେକ୍ଷଣ ହୋଇପାରୁ ନାହିଁ। ବିନା ରକ୍ଷଣା ବେକ୍ଷଣରେ ହେଲିକପ୍ଟରର ଯାନ୍ତ୍ରିକ ତ୍ରୁଟି ଦେଖାଦେଇପାରେ। ଫଳରେ ବଡ଼ ମରାମତି କରିବାର ଆବଶ୍ୟକ ପଡ଼ିପାରେ। ଏଥିପାଇଁ ପୁରୀ ପୋଲିସ ଦାୟୀ ରହିବ।”

ଚିଲିକା ଉପରେ ବୈଜୟନ୍ତଙ୍କ ହେଲିକପ୍ଟର କୌଣସି ବେଆଇନ ଉଡ଼ାଣ କରି ନଥିବା ଡିଜିସିଏ ରିପୋର୍ଟ ଦେଇଥିଲେ। ହେଲେ ପୁରୀ ପୋଲିସ ଏହାକୁ ମାନିବାକୁ ନାରାଜ। ହେଲିକପ୍ଟରଟି କେତେ ଉଚ୍ଚରେ ଉଡ଼ୁଥିଲା ସେନେଇ ଡିଜିସିଏକୁ ତଥ୍ୟ ମାଗିଛି ପୁରୀ ପୋଲିସ।

ଡିଜିସିଏଙ୍କ ରିପୋର୍ଟ ପାଇବା ପରେ ପୁରୀ ପୋଲିସ ଭୁବନେଶ୍ୱର ବିମାନବନ୍ଦରରେ ସିଲ୍ ହୋଇଥିବା ହ୍ୟାଙ୍ଗର ଖୋଲିଥିଲା। ହ୍ୟାଙ୍ଗରରେ ମୋଟ ୩ଟି ହେଲିକପ୍ଟର ରହିଥିଲା। ହେଲେ ପୁରୀ ପୋଲିସ ଦୁଇଟି ହେଲିକପ୍ଟରକୁ ଛାଡ଼ି ଦେଇଥିବା ବେଳେ ଗୋଟିଏ ହେଲିକପ୍ଟରକୁ ସିଲ୍ କରିଛି। ଏହାକୁ ନେଇ ବୈଜୟନ୍ତ ପ୍ରତିକ୍ରିୟା ପ୍ରକାଶ କରିବା ସହ ପୋଲିସ ଡିଜିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

Comment