ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାକ୍ଷରତା ପରୀକ୍ଷାରେ ୧୦୦ ରୁ ୯୮ମାର୍କ ରଖି ଟପ୍ କରିଛନ୍ତି କେରଳର ୯୬ ବର୍ଷ ବୟସ୍କା କାର୍ଥୀୟାଣୀ ଆମ୍ମା।

କଥାରେ ଅଛି ଇଚ୍ଛାଶକ୍ତି ଆଗରେ ସବୁ ହାର ମାନିଥାଏ। କେରଳର ୯୬ ବର୍ଷ ବୟସ୍କା କାର୍ଥୀୟାଣୀ ଆମ୍ମା ସାକ୍ଷରତା ପରୀକ୍ଷାରେ ୧୦୦ ରୁ ୯୮ମାର୍କ ରଖି ଟପ୍ କରିଛନ୍ତି। ଏଥିପାଇଁ ତାଙ୍କୁ ମେରିଟ ସାର୍ଟିଫିକେଟ ମଧ୍ୟ ମିଳିଛି। ମୁଖ୍ୟମନ୍ତ୍ରୀ ପିନରାଇ ବିଜୟାନଙ୍କଠାରୁ ସେ ଏହି ସାର୍ଟିଫିକେଟ ଗ୍ରହଣ କରିଛନ୍ତି।

କେରଳର ସାକ୍ଷରତା ଅଭିଯାନ କର୍ତ୍ତୃପକ୍ଷ ଏହି ପରୀକ୍ଷା ଆୟୋଜନ କରିଥିଲେ। ଚତୁର୍ଥ ଶ୍ରେଣୀ ପାଇଁ ଆମ୍ମା ଏହି ପରୀକ୍ଷା ଦେଇ ସମସ୍ତଙ୍କଠୁ ଅଧିକ ନମ୍ବର ରଖି ପାସ କରିଛନ୍ତି।

ପରୀକ୍ଷା ରାଷ୍ଟ୍ରୀୟ ସ୍ତରରେ ୫ଟି ଶ୍ରେଣୀ ଯଥା – ଚତୁର୍ଥ, ସପ୍ତମ, ଦଶମ, ଏକାଦଶ ଏବଂ ଦ୍ୱାଦଶ ପାଇଁ ହୋଇଥିଲା। ୪୨,୯୩୩ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ପାସ ହୋଇଛନ୍ତି।

ଆମ୍ମା ତାଙ୍କ ଜୀବନ କାଳ ମଧ୍ୟରେ କେବେ ବି ସ୍କୁଲ ଯାଇନାହାନ୍ତି। ସେ ମନ୍ଦିର ସଫାସଫି କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ସାକ୍ଷରତା ଅଭିଯାନର ନିର୍ଦ୍ଦେଶକ ପି.ଏସ. ଶ୍ରୀଲଥା ଇଣ୍ଡିଆ ଟୁଡ଼େକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଛନ୍ତି, “ଆମ୍ମାଙ୍କ ପାଇଁ ଆମେ ସମସ୍ତେ ଗର୍ବିତ। ଆମ୍ମା ସ୍ୱଇଚ୍ଛାରେ ଏହି ପରୀକ୍ଷା ଦେଇଥିଲେ।”

ଆମ୍ମା ଯେ କେବଳ ୯୬ ବର୍ଷ ବୟସରେ ପରୀକ୍ଷା ଦେଇଛନ୍ତି ତା ନୁହେଁ, ବରଂ ସମସ୍ତ ପରୀକ୍ଷାର୍ଥୀଙ୍କ ମଧ୍ୟରେ ବି ସେ  ବୟସ୍କା। ୨୦୧୮ ସାଧାରଣତନ୍ତ୍ର ଦିବସରେ କେରଳର ରାଷ୍ଟ୍ରୀୟ ଲିଟେରାସି ମିଶନ ଅଥୋରିଟି ‘ଅକ୍ଷରଲକ୍ଷମ’ ନାମକ ଏକ ପ୍ରୋଜେକ୍ଟ ଆରମ୍ଭ କରିଥିଲା। ଏହି ପ୍ରୋଜେକ୍ଟ ଆଧାରରେ ସେମାନେ ୪୭୨୪୧ ଜଣ ନିରକ୍ଷରଙ୍କୁ ୧୦୦ ପ୍ରତିଶତ ନମ୍ବର ରଖି ପାସ କରିବା ପାଇଁ ତାଲିମ ଦେଇଥିଲେ।

ଆମ୍ମା ନିଜର କୃତିତ୍ୱକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଶେଷରେ ଲେଖିବା, ପଢିବା, ଗଣିତ ଆଦି ସେ ଶିଖିବାରେ ସକ୍ଷମ ହୋଇଛନ୍ତି।

Comment