ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେ’ ୧୨ରେ ଆରଜେଡି ବିଧାୟକ ଚନ୍ଦ୍ରିକା ରାୟଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କୁ ବିବାହ କରିଥିଲେ ଲାଲୁଙ୍କ ପୁଅ ତେଜପ୍ରତାପ।

ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେବେ। ଏନେଇ ଫ୍ୟାମିଲ୍ କୋର୍ଟରେ ଆବେଦନ ମଧ୍ୟ କରିଛନ୍ତି ତେଜପ୍ରତାପ। ୬ ମାସ ତଳେ ୧୨ ମେ’ ରେ ଆରଜେଡି ବିଧାୟକ ଚନ୍ଦ୍ରିକା ରାୟଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କୁ ବିବାହ କରିଥିଲେ ତେଜପ୍ରତାପ। ସେମାନଙ୍କ ବିବାହକୁ ନେଇ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିଲା।

ଐଶ୍ୱର୍ଯ୍ୟା ରାଜନୀତିରେ ପାଦ ଦେବାକୁ ନେଇ ଅନେକ ଖବର ମଧ୍ୟ ଶୁଣିବାକୁ ମିଳିଥିଲା। କିନ୍ତୁ ଏବେ ତେଜପ୍ରତାପ କାହିଁକି ଐଶ୍ୱର୍ଯ୍ୟାଙ୍କୁ ଛାଡ଼ପତ୍ର ଦେବାକୁ ଚାହୁଁଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ବିବାହ ପରଠାରୁ ସେମାନଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲୁ ନଥିବା ତାଙ୍କର ଜଣେ ନିକଟତମ ସମ୍ପର୍କୀୟଙ୍କଠୁ ଜଣାପଡ଼ିଛି।

ବିବାହର ୧୫ ଦିନ ପରେ ହିଁ ପାରିବାରିକ କଳହ ଆରମ୍ଭ ହୋଇଯାଇଥିଲା। ତେବେ ତେଜପ୍ରତାପ ପାଟଣାର ଫ୍ୟାମିଲ୍ କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି। ଏହି ମାମଲାର ଶୁଣାଣି ଆସନ୍ତା ୨୯ ହେବ ବୋଲି ସୂଚନା ମିଳିଛି। ନିଜ ପତ୍ନୀଙ୍କ ସହ କଳହ ଲାଗି ରହିଥିବାରୁ ଶେଷରେ ଏପରି ନିଷ୍ପତ୍ତି ତେଜପ୍ରତାପ ନେଇଛନ୍ତି ବୋଲି ଶୁଣିବାକୁ ମିଳୁଛି।

ଐଶ୍ୱର୍ଯ୍ୟାଙ୍କ ଦୁଇ ଭାଇଭଉଣୀଙ୍କ ମଧ୍ୟରେ ଜଣେ ଇଞ୍ଜିନିୟର ଏବଂ ଜଣେ ଓକିଲ ଅଛନ୍ତି। ଅନ୍ୟପକ୍ଷରେ ତେଜପ୍ରତାପ ୨୦୧୫ ରେ ବିଧାୟକ ପଦ ଜିତି ପାଟଣାର ବିଧାୟକ ଆସନରେ ରହି ବିହାରର ସ୍ୱାସ୍ଥ୍ୟମନ୍ତ୍ରୀ ପଦରେ ରହିଛନ୍ତି।

ଅନ୍ୟପଟେ ଛାଡ଼ପତ୍ର ଆବେଦନ କରିଥିଲେ ମଧ୍ୟ ତେଜପ୍ରତାଙ୍କୁ ଭଉଣୀ ମିସା ଭାରତୀ ବୁଝାସୁଝା କରୁଛନ୍ତି। ଏବେ ସମସ୍ତଙ୍କ ନଜର ତେଜପ୍ରତାପଙ୍କ ଉପରେ ରହିଛି। ତେବେ ମାମଲାର ଆପୋଷ ସମାଧାନ ପାଇଁ ଉଦ୍ୟମ ଚାଲିଛି।

LEAVE A REPLY

Please enter your comment!
Please enter your name here