ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖେଳ ଶିକ୍ଷକଙ୍କ ଖେଳ ଖତମ। ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଚାକିରିରୁ ନିଳମ୍ବିତ ହେଲେ ମହାକାଳପଡ଼ା ଅଞ୍ଚଳର ଖେଳ ଶିକ୍ଷକ।

ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଚାକିରିରୁ ନିଲମ୍ବିତ ହୋଇଛନ୍ତି ମହାକାଳପଡ଼ା ବ୍ଲକ ଅଞ୍ଚଳର ଖେଳ ଶିକ୍ଷକ ବିଦ୍ୟାପତି ଜେନା। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ବେହେରା। ଏହାସହ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଦଫାରେ ମାମଲା ରୁଜୁ କରିଛି ତନ୍ତିଆପାଳ ସାମୁଦ୍ରିକ ଥାନା ପୋଲିସ।

ଗତ ମାସ ୨୭ ତାରିଖରେ ମହାକାଳପଡ଼ା ବ୍ଲକରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷ ହେବା ପରେ ଜଣେ ଛାତ୍ରୀଙ୍କୁ ତାଙ୍କ ଘରେ ଛାଡ଼ିଦେବାକୁ ନେବା ବାଟରେ ଶିକ୍ଷକ ଅସଦାଚରଣ ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଛାତ୍ରୀ ଜଣକ ଅଭିଯୋଗ କରିଥିଲେ। ଘଟଣାକୁ ଦଫାରଫା କରିବାକୁ ସ୍କୁଲ ପ୍ରଧାନ ଶିକ୍ଷକ ଓ ସମ୍ପୃକ୍ତ ଶିକ୍ଷକଙ୍କ ପରିବାର ପକ୍ଷରୁ ଉଦ୍ୟମ କରାଯାଇଥିଲା। ତେବେ କୌଣସି ସମାଧାନର ବାଟ ନବାହାରିବାରୁ ଗୁରୁବାର ଛାତ୍ରୀଙ୍କ ବାପା ତନ୍ତିଆପାଳ ସାମୁଦ୍ରିକ ଥାନାରେ ଏତଲା ଦେଇଥିଲେ।

ସ୍ଥାନୀୟ ଗ୍ରାମବାସୀ ସ୍କୁଲ ଘେରାଉ କରିବା ସହିତ ପ୍ରଧାନ ଶିକ୍ଷକଙ୍କୁ କୈଫିୟତ ମାଗିଥିଲେ। ଏହି ଘଟଣାରେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ମହାକାଳପଡ଼ା ବ୍ଲକ ଶିକ୍ଷା ଅଧିକାରୀ ଅକ୍ଷୟ ପରିଡ଼ାଙ୍କୁ ରିପୋର୍ଟ ମାଗିଥିଲେ।

ତଦନ୍ତ କରି ମହାକାଳପଡା ବିଇଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦେବା ପରେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କୁ ରାଜନଗର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ବିନା ଅନୁମତିରେ ରାଜନଗର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନଛାଡ଼ିବାକୁ ତାଗିଦ କରାଯାଇଛି।

ତନ୍ତିଆପାଳ ସାମୁଦ୍ରିକ ଥାନାରେ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୩୭୬ -୨ଏନ୍ ଓ ୪ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି। ତନ୍ତିଆପାଳ ସାମୁଦ୍ରିକ ଥାନା ଦାୟିତ୍ୱରେ ରହିଥିବା ମହାକାଳପଡ଼ା ଥାନା ଅଧିକାରୀ ମନୋରଞ୍ଜନ ଚୌଧୁରୀ ତଦନ୍ତ ଜାରି ରଖିଛନ୍ତି।

ଗ୍ରାମବାସୀ ସ୍କୁଲ ଘେରାଉ କରିବା ପରେ ପ୍ରଧାନ ଶିକ୍ଷକ ପୋଲିସ ସୁରକ୍ଷା ଲୋଡ଼ିଛନ୍ତି।

Comment