ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଏବେ ଓଲିଉଡରେ ଡେବ୍ୟୁ କରୁଛନ୍ତି ଆଉ ଜଣେ ନବାଗତ ନାୟକ। ଯାହାଙ୍କ ନାମ ଶୁଭମ୍‌। ପୂର୍ବରୁ ମଧ୍ୟ ସେହି ନାଁରେ ଆଉ ଜଣେ ଓଲିଉଡ ନାୟକ ଅଛନ୍ତି। ଆସନ୍ତୁ ଓଲିଉଡର ଦୁଇ ନାୟକ ଶୁଭମଙ୍କ ବିଷୟରେ କିଛି ରୋଚକ କଥା ଜାଣିବା…

ଫେରୁଛନ୍ତି ଶୁଭମ୍‌

ଶୁଭମ୍ ନାଁରେ ଆଉ ଜଣେ ନାୟକ ଅଛନ୍ତି। ନାୟକଙ୍କ ନାଁ ହେଲା ଶୁଭମ୍‌ ନାୟକ। ଶୁଭମଙ୍କୁ ଦର୍ଶକ ଆଗରୁ ୨୦୧୬ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ ସିନେମାରେ ଦେଖିବାକୁ ପାଇଛନ୍ତି। ଏହି ସିନେମା ହେଲା ‘ପ୍ରେମ ନିଶା ନିଆରା ନିଆରା’।

‘ପ୍ରେମର ନିଶା ନିଆରା ନିଆରା’ ସିନେମାରେ ଶୁଭମଙ୍କ ସହିତ ଜୀନା, ଝାନ୍‌ସୀ ଓ ମନୋଜ ମିଶ୍ର ପ୍ରମୁଖ ଅଭିନୟ କରିଥିଲେ। ଫିଲ୍ମଟି ଆକ୍ସନ୍‌ ଭିତ୍ତିକ ରୋମାଣ୍ଟିକ୍‌ ମୁଭି ଥିଲା। ଏହାର ନିର୍ଦ୍ଦେଶନା ଦେଇଥିଲେ ସରୋଜ କାନ୍ତ ଓ ପ୍ରଯୋଜନା କରିଥିଲେ ଭାରତୀ ନାୟକ। ସୌମିତ୍ରୀ ପଲାଇ ଓ ଶୈଳେନ୍ଦ୍ର ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

‘ପ୍ରେମର ନିଶା ନିଆରା ନିଆରା’ ପରେ ପୁଣି ଶୁଭମ୍‌ ଏକ ନୂଆ ଓଡ଼ିଆ ସିନେମାରେ ନାୟକ ଭୂମିକାରେ ଆସୁଛନ୍ତି। ଏହି ଫିଲ୍ମର ଟାଇଟଲ୍‌ ହେଲା ‘ଚାହିଁଥିବି ତେତେ ହଜାରେ ବରଷ’। ଏଥିରେ ଶୁଭମଙ୍କ ବିପକ୍ଷରେ ଦୁଇ ଜଣ ନାୟିକା ଅଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ହେଲେ ସୁଶ୍ରୀ ଓ ଅନ୍ୟ ଜଣକ ଝାନ୍‌ସୀ।

ସୁଶ୍ରୀ ଆଗରୁ ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ହେଲୋ’ ସିନେମାରେ ଡେବ୍ୟୁ କରିଥିଲେ। ତା’ ପରେ ସେ ଅନ୍ୟ ଏକ ଫିଲ୍ମ ‘ଡାର୍ଲିଂ’ରେ କାମ କରୁଛନ୍ତି, ଯେଉଁଥିରେ ତାଙ୍କର ନାୟକ ଭୂମିକାରେ ଅଛନ୍ତି ନବାଗତ ବରଦା ପ୍ରସନ୍ନ ଜେନା। ଏହାର ନିର୍ଦ୍ଦେଶକ ହେଲେ ମନୋରଞ୍ଜନ ପାଲ୍। ଅନ୍ୟପକ୍ଷରେ ଝାନ୍‌ସୀଙ୍କୁ ଦର୍ଶକ ପୂର୍ବରୁ ପ୍ରେମର ନିଶା ନିଆରା ନିଆରା, ଗୁଣ୍ଡା ଓ ‘ମୁଁ ଗୋଟେ ଦୁଷ୍ଟ ପିଲା’ ଆଦି ସିନେମାରେ ଦେଖିଛନ୍ତି।

‘ଚାହିଁଥିବି ତତେ ହଜାରେ ବରଷ’ରେ ମିହିର ଦାସ, ସଲିଲ ମିତ୍ର ଓ ଯୋଗେଶ ଜୋଜୋ ପ୍ରମୁଖ ମଧ୍ୟ ଅଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ। ଏହାର ସଙ୍ଗୀତ ନିର୍ଦ୍ଦେଶକ ହେଲେ ସୌମିତ୍ରୀ ପଲାଇ ଓ ଶୈଳେନ୍ଦ୍ର।

ନବାଗତ ଶୁଭମ୍‌

କିଛି ବର୍ଷ ତଳେ ଏକ ଓଡ଼ିଆ ସିନେମା ନିର୍ମାଣ ହୋଇଥିଲା, ଯାହାର ଟାଇଟଲ୍‌ ଥିଲା ‘ଡ୍ରିମଗାର୍ଲ’। ପ୍ରସାଦ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି। ଏହି ସିନେମାରେ ସବ୍ୟସାଚୀଙ୍କ ଡ୍ରିମଗାର୍ଲ ବନି ପରଦାକୁ ଓହ୍ଲାଇଥିଲେ ପ୍ରଥମ ଥର ପାଇଁ ଚୁଲୁବୁଲି ନାୟିକା ପ୍ରିୟା ଚୌଧୁରୀ। ଏହା ଅବଶ୍ୟ ଭିନ୍ନ କଥା ଯେ, ‘ଡ୍ରିମଗାର୍ଲ’ ଫିଲ୍ମଟି ହିଟ୍ ହୋଇ ନଥିଲା।

ଏବେ ଆଉ ଜଣେ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ‘ତୁ ମୋ ଡ୍ରିମଗାର୍ଲ’ ଟାଇଟଲରେ ଏକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ଜିଡିଏସ୍ ଫାଉଣ୍ଡେସନ୍ ଟ୍ରଷ୍ଟ ବ୍ୟାନରରେ ନିର୍ମିତ ଏହି ସିନେମାର କାହାଣୀ ଓ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ରଶ୍ମୀ ରଞ୍ଜନ ସାମଲ। ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଛନ୍ତି ପି. ପ୍ରଭାକର। ଏହାର ସଂଳାପକାର ହେଲେ ଡକ୍ତର ରଜନୀ ରଞ୍ଜନ ଓ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସ।

‘ତୁ ମୋ’ ଡ୍ରିମଗାର୍ଲ’ରେ ଜଣେ ନାୟକ ଓ ତିନିଜଣ ନାୟିକା ଥିବା ଜଣାଯାଇଛି। କାହାଣୀ ଅନୁଯାୟୀ, ନାୟକ ତିନି ଜଣ ଯୁବତୀଙ୍କ ପ୍ରେମରେ ବିଭିନ୍ନ ସମୟରେ ପଡ଼ୁଛି। ତଥାପି ସେ ତିନି ଜଣଙ୍କ ଭିତରେ ନିଜର ମନର ମାନସୀ ବା ଡ୍ରିମଗାର୍ଲକୁ ପାଉନାହିଁ। ତେବେ ଏମାନଙ୍କୁ ଭିତରୁ ସେହି ଡ୍ରିମଗାର୍ଲ ଜଣକ ଅଛନ୍ତି, ନା ନାହିଁ, ତାହା ଜାଣିବାକୁ ହେଲେ ଆପଣଙ୍କୁ ‘ତୁ ମୋ’ ଡ୍ରିମ୍‌ଗାର୍ଲ’ର ରିଲିଜ୍‌ ଯାଏଁ ଅପେକ୍ଷା କରିବାକୁ ପଡ଼ିବ।

ଏହି ରୋମାଣ୍ଟିକ୍‌ ସିନେମାରେ ନବାଗତ ଶୁଭମ୍ ଅଛନ୍ତି ନାୟକ ଭୂମିକାରେ। ତାଙ୍କ ବିପକ୍ଷରେ ଏହି ଓଡ଼ିଆ ଛବିରେ ନଜର ଆସିବେ ଅନନ୍ୟା ମିଶ୍ର। ଅନନ୍ୟା ମିଶ୍ରଙ୍କୁ ଦର୍ଶକ ରମେଶ ରାଉତଙ୍କ ନିର୍ଦ୍ଦେଶିତ ‘ଗଡ଼ଫାଦର୍’ରେ ପ୍ରଥମେ ଦେଖିବାକୁ ପାଇଥିଲେ ନାୟିକା ଭୂମିକାରେ। ଏହା ପରେ ସେ ‘ବଜରଙ୍ଗୀ’ରେ ଆଇଟମ୍ ଗର୍ଲ ଭାବେ ନଜର ଆସିଥିଲେ।

Comment