ଓଡ଼ିଶାଲାଇଭ୍‌ ବ୍ୟୁରୋ

ନଭେମ୍ବର ୨୭ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍। ବିଶ୍ୱକପକୁ କ୍ରୀଡ଼ାପ୍ରେମୀମାନେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥିବା ବେଳେ ରାଜ୍ୟ ସରକାର ମଧ୍ୟ ଏହାକୁ ଆଡ଼ମ୍ବରପୂର୍ଣ୍ଣ କରିବା ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି।

ବିଶ୍ୱକପ୍ ଆରମ୍ଭ ହେବାର ୧୪ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ରଫି ଉନ୍ମୋଚନ କରିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ରଙ୍ଗାରଙ୍ଗ ପରିବେଶ ଭିତରେ ଏହି ଟ୍ରଫି ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ।

“ଓଡ଼ିଶାରୁ ଅଧିକରୁ ଅଧିକ ସ୍ୱର୍ଣ୍ଣପଦକ ବିଜେତା ଖେଳାଳି ବାହାରନ୍ତୁ। ଓଡ଼ିଶା ସମେତ ସାରା ଦେଶ ପାଇଁ ଗୌରବ ଆଣନ୍ତୁ। ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରସ୍ତୁତ ଅଛନ୍ତି। ଓଡ଼ିଶାରେ କ୍ରୀଡ଼ା କ୍ଷେତ୍ରର ବିକାଶ ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ହକି ବିଶ୍ୱକପକୁ ସଫ ଳତାର ସହ ଆୟୋଜନ କରିବା ପାଇଁ ପ୍ରସ୍ତୁତି ଜାରି ରହିଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ।

ଟ୍ରଫି ଉନ୍ମୋଚନ ବେଳେ କଳିଙ୍ଗ ଷ୍ଟାଡିୟମରେ ଦର୍ଶକଙ୍କ ଭିଡ଼ ଲାଗି ରହିଥିଲା। ମୁଖ୍ୟମନ୍ତ୍ରୀ ଟ୍ରଫି ଉନ୍ମୋଚନ କରିବା ବେଳେ ଦର୍ଶକଙ୍କ କରତାଳିରେ ଫାଟି ପଡ଼ିଥିଲା ସାରା ପରିବେଶ। ଆତସବାଜିରେ କମ୍ପିଥିଲା ଷ୍ଟାଡିୟମ।

କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କ ସମେତ ପ୍ରଶାସନିକ ଅଧିକାରୀ, କ୍ରୀଡ଼ାପ୍ରେମୀମାନେ ଉପସ୍ଥିତ ଥିଲେ।

Comment