ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେକ୍ ଇନ୍ ଓଡ଼ିଶା କନକ୍ଲେଭ – ୨୦୧୮ ପରିପ୍ରେକ୍ଷୀରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅନେକଗୁଡ଼ିଏ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି।

ମଙ୍ଗଳବାର ଦିନ ‘ସ୍କିଲ୍‌ଡ ଇନ୍ ଓଡ଼ିଶା – ସ୍କିଲ୍‌ଡ ଫର୍ ଫ୍ୟୁଚର’ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭିକ ଅଧିବେଶନରେ ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ଆଇଟିଇଇଏସ୍‌, ସିଙ୍ଗାପୁର ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର ହୋଇଥିଲା।

ଆଇଟିଇଇଏସ୍ ସହାୟତାରେ ଭୁବନେଶ୍ୱରଠାରେ ‘ବିଶ୍ୱ ଦକ୍ଷତା କେନ୍ଦ୍ର’ ପ୍ରତିଷ୍ଠା ହେବାକୁ ଯାଉଛି। ଏହି କେନ୍ଦ୍ର ପ୍ରତିଷ୍ଠା ହେଲେ ଯୁବକ ଯୁବତୀମାନଙ୍କୁ ଅନ୍ତର୍ଜାତୀୟ ସ୍ତରର ବୈଷୟିକ ଓ ଧନ୍ଦାମୂଳକ ଟ୍ରେନିଂ ଦିଆଯିବ।

ଏହି ଦକ୍ଷତା କେନ୍ଦ୍ରରେ ଅତ୍ୟାଧୁନିକ ଓ ଭବିଷ୍ୟମୁଖି ଟ୍ରେଡ୍ ଯଥା ମେକାଟ୍ରୋନିକ୍ସ, ଭର୍ଟିକାଲ ମୋବିଲିଟି, ରବୋଟିକ୍‌ସ, ଆର୍ଟିଫିସିଆଲ, ଇଣ୍ଟେଲିଜେନ୍ସି ବିଭାଗରେ ଟ୍ରେନିଂ ଦିଆଯିବ।

ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ପାଇଁ ମଞ୍ଚେଶ୍ୱରଠାରେ ଥିବା ୧୮ ମହଲା ଇଡ୍‌କୋ ଟାୱାରକୁ ଓଏସ୍‌ଡିଏ ୧୪୦ କୋଟି ଟଙ୍କାରେ କିଣିବ।

ଏହି ଅଧିବେଶନରେ ୫ଟି ଏମ୍‌ଓୟୁ ସ୍ୱାକ୍ଷର ହୋଇଥିଲା।

ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଏବଂ ଟ୍ରେନିଂ ଦେବା ପାଇଁ ଏଫ୍‌ଆଇସିସିଆଇ ଏବଂ ଓଏସ୍‌ଡିଏ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ଆଇଟିଆଇ ଛାତ୍ରଛାତ୍ରୀମାନଙ୍କୁ ଟ୍ରେନିଂ ସହାୟତା ଯୋଗାଇ ଦେବା ପାଇଁ ବେଙ୍ଗାଳୁରୁର ସ୍ନେଇଡର ଇଲେକ୍ଟ୍ରିକ ଫାଉଣ୍ଡେସନ ସହ ଚୁକ୍ତି ସ୍ୱାକ୍ଷର ହୋଇଛି।

ଛାତ୍ରଛାତ୍ରୀମାନଙ୍କୁ ଅଗ୍ରଣୀ ଶିକ୍ଷାନୁଷ୍ଠାନମାନଙ୍କରେ ଡିପ୍ଲୋମା, ଆଇଟିଆଇରେ ଟ୍ରେନିଂ ସହାୟତା ଦେବା ପାଇଁ ଦିଲ୍ଲୀର ଇଏଏସ୍ କନସଲଟାଣ୍ଟ ସହ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି।

ଦେଶର ଖ୍ୟାତନାମା ଶିକ୍ଷାନୁଷ୍ଠାନରେ ଡିପ୍ଲୋମା ଶିକ୍ଷା ଏବଂ ଟ୍ରେନିଂ ଦେବା ପାଇଁ ଟେକ ମହିନ୍ଦ୍ରା ଲିମିଟେଡ୍‌ ସହ ଏମ୍‌ଓୟୁ ସ୍ୱାକ୍ଷର କରାଯାଇଛି।

ଏହାସହ ଇଲେକ୍ଟ୍ରୋନିକ୍ସ, ଆଇଟି ଏବଂ ମାନୁଫାକ୍ଚରିଂ କ୍ଷେତ୍ରରେ ଅଗ୍ରଣୀ ଅନୁଷ୍ଠାନ ଏମ୍ପ୍ଲଏବିଲିଟି ବ୍ରିଜ, ସରଦଫୋର୍ଦ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ସହ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି।

ଏହି ଅବସରରେ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ବିଭାଗ ଏବଂ ବିପିୟୁଟିର ମିଳିତ ଉଦ୍ୟମରେ ୩୬ ଘଣ୍ଟିଆ ସ୍ମାର୍ଟ ଓଡ଼ିଶା ହାକାଥନ ଅନଚୁଷ୍ଠିତ ହୋଇଥିଲା। ଏହାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଉଷା ଦେବୀ ଉଦଘାଟନ କରିଥିଲେ। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ଡକ୍ଟର ସୁବ୍ରତ ବାଗ୍‌ଚୀ ଉପସ୍ଥିତ ଥିଲେ। ଏଥିରେ୪ ହଜାର ଛାତ୍ରଛାତ୍ରୀ ରେଜିଷ୍ଟସନ୍ କରିଥିଲେ।

Comment