ଅଭିଷେକ ରାୟ

ରାଜ୍ୟସ୍ତରୀୟ ଦକ୍ଷତା ପ୍ରତିଯୋଗିତା ‘ଓଡ଼ିଶା ସ୍କିଲ୍ସ’ ୨୦୨୩-୨୪ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ବିଷୟରେ ଓଡ଼ିଶାର ଯୁବପିଢ଼ିଙ୍କୁ ସେମାନଙ୍କ ଦକ୍ଷତାର ପ୍ରଦର୍ଶନ କରିବା ସହ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଫଳିତ କରିବା ପାଇଁ ଏହା ଏକ ଉପଯୁକ୍ତ ପ୍ଲାଟଫର୍ମ ପ୍ରଦାନ କରିଛି। ରାଜ୍ୟ ସରକାରଙ୍କ ‘ସ୍କିଲ୍ଡ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।  

ଚଳିତବର୍ଷ ‘ଓଡ଼ିଶା ସ୍କିଲ୍ସ’ ପ୍ରତିଯୋଗିତା ମାର୍ଚ୍ଚ ୧୨ ତାରିଖରୁ ୧୪ ତାରିଖ ଯାଏଁ ଚାଲିଥିଲା। ବିଶ୍ୱ ଦକ୍ଷତା କେନ୍ଦ୍ର ସହିତ ଭୁବନେଶ୍ୱର ଓ କଟକର ମୋଟ ୮ଟି ଅନୁଷ୍ଠାନରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ରାଜ୍ୟର ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ୮୦୦ରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ୬ଟି ପ୍ରମୁଖ କ୍ଷେତ୍ରର ମୋଟ ୪୫ଟି ସ୍କିଲକୁ ନେଇ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

‘ଓଡ଼ିଶା ସ୍କିଲ୍ସ’ ୨୦୨୩-୨୪ରେ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ୧୬ଟି ସ୍କିଲକୁ ନେଇ ପ୍ରତିଯୋଗିତା ହୋଇଥିଲା। ଏହାସହ ଭୁବନେଶ୍ୱରର ସି ଭି ରମଣ ଗ୍ଲୋବାଲ ୟୁନିଭର୍ସିଟିରେ ୫ଟି, ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟରେ ୫ଟି, ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟରେ ୨ଟି, ସିଟିଟିସିରେ ୬ଟି ଏବଂ ଏନଆଇଏଫଟିରେ ୨ଟି ବିଷୟରେ ପ୍ରତିଯୋଗିତା କରାଯାଇଥିଲା। ସେହିପରି କଟକ ଖପୁରିଆସ୍ଥିତ ସରକାରୀ ଆଇଟିଆଇରେ ୫ଟି ଏବଂ ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍ ଇଞ୍ଜିନିୟରିଂରେ ୨ଟି ବିଷୟରେ ପ୍ରତିଯୋଗିତା ହୋଇଥିଲା।  

ଚଳିତ ବର୍ଷ ଓଡ଼ିଶା ସ୍କିଲ୍ସ ପ୍ରତିଯୋଗିତାରେ ପାରମ୍ପରିକ ଦକ୍ଷତା ବିଷୟ ସହ ମୋବାଇଲ ଗେମ ଆର୍ଟ, ରୋବଟ ସିଷ୍ଟମ୍ ଇଣ୍ଟିଗ୍ରେସନ, ମେକାଟ୍ରୋନିକ୍ସ, ୱାଟର ଟେକ୍ନୋଲୋଜି ଭଳି ଅତ୍ୟାଧୁନିକ ଦକ୍ଷତା ବିଷୟକୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହାସହ ବେକେରି, ବିୟୁଟି ଥେରପି, ହୋଟେଲ ରିସେପ୍ସନ ତଥା ରେସ୍ତୋରାଁ ସର୍ଭିସ ଭଳି ବିଷୟକୁ ମଧ୍ୟ ପ୍ରତିଯୋଗିତାରେ ସାମିଲ କରାଯାଇଥିଲା।   

“ଆମର ଦକ୍ଷତାକୁ ବିଶ୍ୱସ୍ତରୀୟ କରିବା ପାଇଁ ‘ଓଡ଼ିଶା ସ୍କିଲ୍ସ’ ପ୍ରତିଯୋଗିତା ଏକ ଭଲ ସୁଯୋଗ ପ୍ରଦାନ କରିଛି। ଏଠାକୁ ଆସି ଆମେ ନୂଆ ନୂଆ ବିଷୟରେ ଜାଣିବାକୁ ପାଉଛୁ। ଏହି ପ୍ରତିଯୋଗିତାରେ ମିଳିଥିବା ଅଭିଜ୍ଞତା ଆମକୁ ଭବିଷ୍ୟତରେ ମଧ୍ୟ ବହୁତ ସହାୟକ ହେବ”, କହିଥିଲେ ୱାଟର ଟେକ୍ନୋଲୋଜିରେ ଅଂଶଗ୍ରହଣ କରିଥିବା ସି ଭି ରମଣ ଗ୍ଲୋବାଲ ୟୁନିଭରସିଟିର ଛାତ୍ର ଆକାଶ କୁମାର।   

“‘ଓଡ଼ିଶା ସ୍କିଲ୍ସ’ ଭଳି ଏତେ ବଡ଼ ପ୍ରତିଯୋଗିତାରେ ଆସିପାରିଥିବାରୁ ମୁଁ ନିଜକୁ ଗର୍ବିତ ମନେ କରୁଛି। ଏଠାରେ ମୁଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସହ ପ୍ରତିଦ୍ଵନ୍ଦ୍ଵିତା କରିଛି। ଏହି ପ୍ରତିଯୋଗିତା ମତେ ମୋ ଦକ୍ଷତାକୁ ସମସ୍ତଙ୍କ ଆଗରେ ପ୍ରଦର୍ଶିତ କରିବାର ମଉକା ପ୍ରଦାନ କରିଛି”, କହିଥିଲେ ଇଣ୍ଡଷ୍ଟ୍ରି ୪.୦ରେ ଅଂଶଗ୍ରହଣ କରିଥିବା ସି ଭି ରମଣ ଗ୍ଲୋବାଲ ୟୁନିଭରସିଟିର ଛାତ୍ରୀ ଯଶସ୍ଵିନୀ ସାହୁ।

‘ଓଡ଼ିଶା ସ୍କିଲ୍ସ’ ପ୍ରତିଯୋଗିତାର ପ୍ରଥମ ଦିନରେ ପ୍ରିଲିମିନାରି ରାଉଣ୍ଡ ଅନୁଷ୍ଠିତ ହୋଇଥିଲା। ଏଥିରେ ଭଲ ପ୍ରଦର୍ଶନ କରିଥିବା ପ୍ରତିଯୋଗୀମାନେ ମାର୍ଚ୍ଚ ୧୪ ତାରିଖରେ ହୋଇଥିବା ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାକୁ ଉତ୍ତୀର୍ଣ୍ଣ ହୋଇଥିଲେ।

ତେବେ ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟ ବେଶ ପ୍ରତିଦ୍ଵନ୍ଦ୍ଵିତାମୂଳକ ରହିଥିଲା। ଏଥିରେ ପ୍ରତିଯୋଗୀମାନେ ଉତ୍ତମ ପ୍ରଦର୍ଶନ କରିଥିଲେ। ପ୍ରଦର୍ଶନକୁ ଦୃଷ୍ଟିରେ ରଖି ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ବଛା ଯାଇଥିଲା।  

‘ଓଡ଼ିଶା ସ୍କିଲ୍ସ’ରେ ଆୟୋଜିତ ବିଭିନ୍ନ ଦକ୍ଷତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଶୁକ୍ରବାର ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଦକ ଓ ସାର୍ଟିଫିକେଟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ୫୧ ଜଣ ସ୍ୱର୍ଣ୍ଣ, ୪୪ ଜଣ ରୌପ୍ୟ ଏବଂ ୪୭ ଜଣ ବ୍ରୋଞ୍ଜ ପଦକ ପାଇଥିଲେ। ଏହାସହ ସେମାନଙ୍କୁ ଅର୍ଥ ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯାଇଥିଲା।

“‘ଓଡ଼ିଶା ସ୍କିଲ୍ସ’ର ‘ହୋଟେଲ ରିସେପ୍ସନ’ ପ୍ରତିଯୋଗିତାରେ ମୁଁ ପ୍ରଥମ ସ୍ଥାନରେ ରହି ସ୍ଵର୍ଣ୍ଣ ପଦକ ହାସଲ କରିଛି। ମତେ ବହୁତ ଗର୍ବ ଅନୁଭବ ହେଉଛି। ଏଥିପାଇଁ ମୁଁ ବହୁତ ପରିଶ୍ରମ କରିଥିଲି। ଆଗକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ମଧ୍ୟ ଭଲ କରି ରାଜ୍ୟ ପାଇଁ ସୁନାମ ଆଣିବି ବୋଲି ଲକ୍ଷ୍ୟ ରଖିଛି”, କହିଛନ୍ତି ଆଇଏଚଏମ ଭୁବନେଶ୍ୱରର ଛାତ୍ର ଆଶିଷ କୁମାର ଗୁପ୍ତା।

“ମୁଁ ଓଡ଼ିଶା ସ୍କିଲ୍ସ’ର ବିୟୁଟି ଥେରପି ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ହାସଲ କରିଥିବାରୁ ମତେ ବହୁତ ଖୁସି ଲାଗୁଛି। ଆମର ଫାଇନାଲ ରାଉଣ୍ଡ ବହୁତ ପ୍ରତିଦ୍ଵଦ୍ଵିତାମୂଳକ ରହିଥିଲା। ଏଥିରେ ଜୁରୀମାନେ ଆମ ପ୍ରଦର୍ଶନ ଉପରେ ଟିକି ନିଖି ଭାବେ ନଜର ରଖିଥିଲେ। ଏଠାରେ ମୋର ପ୍ରଦର୍ଶନ ଭଲ ରହିଥିଲା। ଏହା ମୋ ପାଇଁ ଏକ ଭଲ ଅନୁଭୂତି ରହିଲା”, କହିଛନ୍ତି ବିଶ୍ଵ ଦକ୍ଷତା କେନ୍ଦ୍ରର ଛାତ୍ରୀ ପଦ୍ମଜା ଆଚାର୍ଯ୍ୟ।

ଏହି କାର୍ଯ୍ୟକ୍ରମରେ ‘୫-ଟି ଓ ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଯୋଗଦେଇ ‘ଓଡ଼ିଶା ସ୍କିଲ୍ସ’ର ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହାସହ ସେ ବିଭିନ୍ନ ଦକ୍ଷତା ବିଷୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୧୦ ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲେ।

ଏହି ଅବସରରେ ସେ କହିଥିଲେ, “ରାଜ୍ୟ ସରକାର ଓଡ଼ିଶାକୁ କ୍ରୀଡ଼ା ରାଜଧାନୀରେ ପରିଣତ କରିଛନ୍ତି। ଆଗାମୀ ଦିନରେ ରାଜ୍ୟକୁ ‘ସ୍କିଲ୍ କ୍ୟାପିଟାଲ’ରେ ପରିଣତ କରିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ରହିଛି। ଏହାକୁ ପୂରଣ କରିବା ଦିଗରେ ରାଜ୍ୟର ଦକ୍ଷତା ବିକାଶ ଛାତ୍ରଛାତ୍ରୀମାନଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିବ। ସେମାନେ ଦେଶ ବିଦେଶରେ କାମ କରି ଓଡ଼ିଶା ପାଇଁ ସୁନାମ ଆଣିବେ।’’

ଏହି କାର୍ଯ୍ୟକ୍ରମରେ ଓଏସଡିଏ ଅଧ୍ୟକ୍ଷା ଅଳକା ମିଶ୍ର, ବିଭାଗୀୟ ସଚିବ ଊଷା ପାଢ଼ୀ, କ୍ରୀଡ଼ା ଓ ଯୁବସେବା ବିଭାଗର ସଚିବ ଆର୍ ଭିନିଲକ୍ରିଷ୍ଣା, ଓଏସଡିଏ ସିଇଓ ରେଘୁ ଜି ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ପିନାକୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।

‘ଓଡ଼ିଶା ସ୍କିଲ୍ସ’ରେ ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀମାନେ ଆସନ୍ତା ଏପ୍ରିଲ ମାସରେ ଜାତୀୟ ସ୍ତରରେ ହେବାକୁ ଥିବା ‘ଇଣ୍ଡିଆ ସ୍କିଲ୍ସ’ ଏବଂ ସେଠାରୁ ଉତ୍ତୀର୍ଣ୍ଣ ହୋଇ ସେପ୍ଟେମ୍ବର ମାସରେ ଫ୍ରାନ୍ସରେ ହେବାକୁ ଥିବା ‘ୱାର୍ଲ୍ଡ ସ୍କିଲ୍ସ’ ପ୍ରତିଯୋଗିତାରେ ନିଜର ଦକ୍ଷତା ଦେଖାଇବାର ସୁଯୋଗ ପାଇବେ।

ରାଜ୍ୟ ସରକାରଙ୍କ ‘ସ୍କିଲ୍ଡ ଇନ୍ ଓଡ଼ିଶା’ ଅଭିଯାନ ଅଧୀନରେ ଭୁବନେଶ୍ୱରଠାରେ ୨୦୨୧ରୁ ଚାଲିଛି ବିଶ୍ୱ ଦକ୍ଷତା କେନ୍ଦ୍ର। ଫିନିସିଙ୍ଗ୍ ସ୍କୁଲ ଢାଞ୍ଚାରେ ପରିଚାଳିତ ଏହି କେନ୍ଦ୍ର ଓଡ଼ିଶାର ଯୁବକ ଯୁବତୀମାନଙ୍କୁ ବିଭିନ୍ନ ବିଷୟରେ ତାଲିମ ଦେଇ ସେମାନଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ କାମ କରିବା ପାଇଁ ପ୍ରସ୍ତୁତ କରୁଛି। ଏଠାରେ ବର୍ତ୍ତମାନ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଓ ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗ ଅଧୀନରେ ମୋଟ ୭ଟି ବିଷୟରେ ବିଭିନ୍ନ ତାଲିମ ପାଠ୍ୟକ୍ରମ ରହିଛି। ଆଇଟିଇଇଏସର ସହଯୋଗରେ ବିଶ୍ୱ ଦକ୍ଷତା କେନ୍ଦ୍ରର ତାଲିମ ପାଠ୍ୟକ୍ରମ ପରିଚାଳନା କରାଯାଉଛି।

Tags: #OdishaSkills2023-24 #SkillCompetition #SkillDevelopment #WorldSkillCenter #OSDA #Odisha

LEAVE A REPLY

Please enter your comment!
Please enter your name here