ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଚଳିତବର୍ଷ ଏଯାଏଁ ବଲିଉଡରେ ରିଲିଜ୍‌ ହୋଇଛି କେତୋଟି ସରପ୍ରାଇଜ୍‌ ହିଟ୍ ସିନେମା। ଯାହା ଛୋଟ ବଜେଟ୍‌ରେ ନିର୍ମାଣ ହୋଇଥିଲେ ମଧ୍ୟ ପରଦାରେ ବଡ଼ ଧମାକା କରିଛି। ଆସନ୍ତୁ ଜାଣିବା ସେହି ଫିଲ୍ମଗୁଡ଼ିକ ସମ୍ପର୍କରେ…

ବଲିଉଡରେ ପ୍ରତିବର୍ଷ ଶତାଧିକ ହିନ୍ଦୀ ସିନେମା ରିଲିଜ୍ ହୁଏ। ସେଥି ଭିତରୁ କେତେକ ବିଗ୍‌ ବଜେଟ୍‌ ଓ ଆଉ କେତେକ ଖୁବ୍‌ କମ୍‌ ବଜେଟ୍‌ରେ ସିନେମା ଏଠି ବଡ଼ ବଜେଟ୍ ସିନେମା ଫ୍ଲପ୍‌ ହେବାର ନଜିର ତ ଅନେକ ରହିଛି, କିନ୍ତୁ ଛୋଟ ବଜେଟ୍‌ର କମ୍‌ ସିନେମା ବ୍ଲକବଷ୍ଟର ହେବାର ଦେଖିବାକୁ ମିଳେ।

ଏ ଦୃଷ୍ଟିରୁ ୨୦୧୮ ବର୍ଷଟି ଏକ ବଡ଼ ବ୍ୟତିକ୍ରମ। କାରଣ ବିଗତ ଦଶମାସ ଭିତରେ ଅନେକଗୁଡ଼ିଏ କମ୍‌ ବଜେଟ୍‌ର ସିନେମା ବକ୍ସ ଅଫିସରେ ସରପ୍ରାଇଜ୍‌ ଦେଇଛନ୍ତି।

୨୦୧୮ର ପ୍ରଥମ ସରପ୍ରାଇଜ୍‌ ମୁଭି ହେଲା ‘ସୋନୁ କି ଟିଟୁ କି ସ୍ୱିଟି’। ଏହା ଏକ ନନ୍‌ଷ୍ଟାରର୍‌ ଫିଲ୍ମ। କିନ୍ତୁ ଏହା ୧୦୮.୯୫ କୋଟିର ବ୍ୟବସାୟ କରିଛି।

ଟାଇଗର ଶ୍ରଫ୍ ଓ ଦିଶା ପଟ୍ଟାନୀ ଷ୍ଟାରର୍‌ ଆକସନ୍‌ ମୁଭି ‘ବାଗୀ- ଟୁ’ର ବଜେଟ୍ ବି କମ୍ ଥିଲା। ହେଲେ ଏହା ୧୬୪.୩୮ କୋଟିର ବ୍ୟବସାୟ କରି ବ୍ଲକବଷ୍ଟର ଫିଲ୍ମର ମାନ୍ୟତା ଲାଭ କରିଛି।

ଅମିତାଭ ବଚ୍ଚନ ଓ ଋଷି କପୁରଙ୍କ ଅଭିନୀତ ‘୧୦୨ ନଟ୍ ଆଉଟ୍’ ବି ଏହି ଶ୍ରେଣୀଭୁକ୍ତ। ଏହା ୫୨.୦୪୫ କୋଟି ଟଙ୍କାର ବ୍ୟବସାୟ କରିଛି।

୨୦୧୮ର ଆଉ ଏକ ସରପ୍ରାଇଜ୍‌ ହେଲା ଆଲିଆ ଭଟ୍ଟ ଷ୍ଟାରର୍‌ ‘ରାଜି’। ଖୁବ୍‌ କମ୍‌ ବଜେଟ୍‌ରେ ପ୍ରସ୍ତୁତ ଏହି ଫିଲ୍ମଟି ଯେ ଦର୍ଶକଙ୍କୁ ଏତେ ପସନ୍ଦ ଆସିବ ଓ ଏହା ୧୨୩. ୮୪ କୋଟି ଟଙ୍କା ଆୟ କରିବ, ତାହା ସମସ୍ତଙ୍କ କଳ୍ପନା ବାହାରେ ଥିଲା। ମାତ୍ର ତାହା ସତ ହୋଇଛି।

ଠିକ୍‌ ସେହିପରି ଆୟୁଷ୍ମାନ୍‌ ଖୁରାନା ଷ୍ଟାରର୍ ଛୋଟ ବଜେଟ୍‌ର ସିନେମା ‘ଅନ୍ଧାଧୁନ୍‌’ ପ୍ରାୟ ୬୬ କୋଟି ୧୦ ଲକ୍ଷ ଟଙ୍କାର ବ୍ୟବସାୟ କରିଥିବା ଜଣାଯାଇଛି। ସେହି ଆୟୁଷ୍ମାନଙ୍କ ଅଭିନୀତ ଅନ୍ୟ ଏକ କମ୍‌ ବଜେଟର ସିନେମା ‘ବଧାଇ ହୋ ବଧାଇ’ ଏଯାଏଁ ୯୭ କୋଟି ଟଙ୍କାର କଲେକ୍ସନ୍ କରିଥିବା କୁହାଯାଇଛି।

ଏହା ଶହେ କୋଟିର କ୍ଲବ୍‌ରେ ସାମିଲ୍ ହେବା ଥୟ। ଏ ଦୃଷ୍ଟିରୁ ଏ ବର୍ଷର ଚମତ୍କାରୀ ହିରୋ ଆୟୁଷ୍ମାନ୍‌ ଖୁରାନା। ଅବଶ୍ୟ ଫିଲ୍ମର ସଫଳତା ପଛରେ ଏହାର କାହାଣୀ ଓ ନିର୍ଦ୍ଦେଶକଙ୍କ ଭୂମିକା ବି ଗୁରୁତ୍ୱପୂର୍ଣ୍ଣ।

ଠିକ୍ ସେହିପରି ଋଷି କପୁର ଓ ତାପସୀ ପାନୁ ଅଭିନୀତ ‘ମୁଲକ’ ମଧ୍ୟ ସରପ୍ରାଇଜ୍ ହିଟ୍ ସାବ୍ୟସ୍ତ ହୋଇଛି। ଏହି ସିନେମାର ବଜେଟ୍ କମ୍ ହେଲେ ବି ଏହା ୨୦.୫ କୋଟିର ଆୟ କରିଛି।

ରାଣୀ ମୁଖାର୍ଜୀଙ୍କ ଅଭିନୀତ ଫିଲ୍ମ ‘ହିଚ୍‌କି’ର ବଜେଟ୍ ଥିଲା ୨୦ କୋଟି, ମାତ୍ର ଏହା ୪୨.୭୫ କୋଟିର ବ୍ୟବସାୟ କରି ଅନେକଙ୍କୁ ବିସ୍ମିତ କରିଛି। ଏହା ହିଟ୍ ତାଲିକାଭୁକ୍ତ ହୋଇଛି।

ତେବେ ଅନେକ ଛୋଟ ବଜେଟ୍‌ର ଫିଲ୍ମ ରିଲିଜ୍‌ ପୂର୍ବରୁ ବେଶ୍‌ ଚର୍ଚ୍ଚାରେ ଥାଇ ବି ଫ୍ଲପ୍‌ ହୋଇଛି। ଏଭଳି ଫିଲ୍ମ ମଧ୍ୟରେ ରହିଛି ସଲମାନ୍‌ ଖାନ୍‌ଙ୍କ ଭିଣୋଇ ଆୟୁଷ ଶର୍ମାଙ୍କ ଡେବ୍ୟୁ ଫିଲ୍ମ ‘ଲଭ୍‌ରାତ୍ରି’, ଜେ. ପି. ଦତ୍ତାଙ୍କ ‘ପଲଟନ୍’ ଓ କାଜୋଲ୍‌ଙ୍କ ଅଭିନୀତ ‘ହେଲିକପ୍ଟର- ଇଲା’ ଆଦି।

Comment