ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇଟି, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ବିକାଶ ପାଇଁ ସ୍ୱାକ୍ଷର ହେଲା ଏମଓୟୁ

ଏଗ୍ରି ମାର୍କେଟିଂ ବା କୃଷି ବ୍ୟବସାୟରେ ଓଡିଶାରେ ନିବେଶ ହେବ ୧୪୧୨ କୋଟି ଟଙ୍କା। ଏନେଇ ବିଭିନ୍ନ କମ୍ପାନି ପୁଞ୍ଜି ନିବେଶ କରିବାକୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଚତୁର୍ଥ ଦିନରେ ପ୍ରତିଶ୍ରୁତି ଦେଇଛନ୍ତି।

ରିଲାଏନ୍ସ ୩ ଶହ କୋଟି ଟଙ୍କା ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ଆଇଟିସି ୫୨୦ କୋଟି, ୱାଏର ହାଉସିଂ ୩ ଶହ କୋଟି ଏବଂ କଂଟ୍ରାକ୍ଟ ଫାର୍ମିଙ୍ଗରେ ୧୧୨ କୋଟି ନିବେଶ କରିବାକୁ ପ୍ରତିଶ୍ରୁତି ମିଳିଛି। ବୁଧବାର ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଆଇଟି, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ବିକାଶ ଉପରେ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ କମ୍ପାନିର ପ୍ରତିନିଧି ଯୋଗଦେଇ ଏସବୁ କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

 

ଓଡ଼ିଶାରେ ଖୁବଶୀଘ୍ର କଂଟ୍ରାକ୍ଟ ଫାର୍ମିଙ୍ଗ ଆଇନ ଆସିବ। ହରିଆଣା ପରେ ଓଡ଼ିଶାରେ ମଧ୍ୟ ଏହି ଆଇନ ଅଣାଯିବ। ଏହି ଆଇନ ଅନୁସାରେ ଚାହିଦାକୁ ନେଇ ଚାଷୀ  ଉତ୍ପାଦନ କରିବ ଏବଂ ଦର ବି ଆଗୁଆ ଧାର୍ଯ୍ୟ କରାଯିବ। ଓଡ଼ିଶାର ଚାଷୀମାନଙ୍କ ପାଖରୁ ନାଫେଡ୍ ମୁଗ, ବିରି, ସୂର୍ଯ୍ୟ ମୁଖି ଫୁଲ କିଣିବ। ଏନେଇ ନାଫେଡ ସହ ଏମଓୟୁ ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର।

ଏହା ବ୍ୟତୀତ ୱାଏର ହାଉସିଂ ଡେଭେଲପମେଣ୍ଟ ରେଗୁଲୋଟରି ଅଥରିଟି ସହ ମଧ୍ୟ ଏମଓୟୁ ସ୍ୱାକ୍ଷର ହୋଇଛି।

ଆଇଟି ଓ ଇଲୋଟ୍ରୋନିକ୍ସ କ୍ଷେତ୍ରରେ ୩ ହଜାର ୯୦୦ କୋଟି

ଓଡ଼ିଶାରେ ଆଇଟି ଓ ଇଲୋଟ୍ରୋନିକ୍ସ କ୍ଷେତ୍ରର ବିକାଶ ପାଇଁ ୩ ହଜାର ୯୦୦ କୋଟିର ପ୍ରତିଶ୍ରୁତି ମିଳିଛି। ରିଲାଏନ୍ସ ୩ ହଜାର କୋଟି ପୁଞ୍ଜିନିବେଶ କରିବା ସହ ରଶ୍ମି ଏଣ୍ଟର ପ୍ରାଇଜେସ୍ ୫୦୦ କୋଟି ଓ ସାକ୍ ରୋବୋଟିକ୍ ୩୦୦ କୋଟି, ସିଟେଲ୍ ଇନଫ୍ରାଷ୍ଟ୍ରକଚର ୬୫କୋଟି , ମିଟେସ୍ ଟେକ୍ନୋଲୋଜି ୩୩ କୋଟି, ସିରମା ଟେକ୍ନୋଲୋଜି ୨୦କୋଟି ପୁଞ୍ଜିନିବେଶ ପ୍ରତିଶ୍ରୁତି ଦେଇଥିବା ଆଇଟି ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ସୂଚନା ଦେଇଛନ୍ତି।

ଏହା ବ୍ୟତୀତ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଦୁଇଟି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ରାୟଗଡାରେ ଥିବା ମିଟିସ୍ ମେଗା ଫୁଡ୍ ପାର୍କ ପରିସରରେ ଜୁସ୍ ପ୍ଲାଣ୍ଟ ସ୍ଥାପନ ପାଇଁ ସୋଲୋକମ୍ ବାୟୋଭେଞ୍ଚର୍ସ ସହିତ ମିଟିସ୍ର ଚୁକ୍ତିନାମା ହୋଇଛି। ଏଥିରେ ୧୫କୋଟି ଟଙ୍କାର ପୁଞ୍ଜିନିବେଶ ହେବ।

କେଣ୍ଟଲେ କମ୍ପାନି ସହ ମିଟିସ୍ ମେଗା ଫୁଡର ମକା ପ୍ରସେସିଙ୍ଗ ପ୍ଲାଣ୍ଟର ଚୁକ୍ତି ହୋଇଛି। ଏଥିରେ ୧୦କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରାଯିବ। ଉଭୟ କରଖାନାରେ ୨୦୦ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ।

Comment