ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୁଷ ହକି ବିଶ୍ୱକପ ପୂର୍ବରୁ ସମସ୍ତ ହକି ଅଧିନାୟକଙ୍କ ସହ ସେଲ୍ଫି ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସମସ୍ତ ହକି ଦଳର ଅଧିନାୟକଙ୍କ ସହ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ୧୬ଟି ଦେଶର ଅଧିନାୟକଙ୍କୁ ମୁକ୍ତେଶ୍ୱର ମନ୍ଦିରରେ ଭେଟିବା ସହ ସେମାନଙ୍କ ସହ ମନ୍ଦିର ବୁଲିଛନ୍ତି।
ଏଥିସହ ନବୀନ ୧୬ ଦେଶର ଅଧିନାୟକଙ୍କ ସହ ସେଲଫି ମଧ୍ୟ ଉଠାଇଛନ୍ତି। ମୋ ସାଇକେଲ ଉଦ୍ଘାଟନ ପରେ ନବୀନ ମୁକ୍ତେଶ୍ୱର ମନ୍ଦିରରେ ପହଞ୍ଚି ଅଧିନାୟକଙ୍କୁ ସାକ୍ଷାତ କରିଥିଲେ। ଖାସ୍ ସେଥିପାଇଁ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।

ଗୋଟିଏ ଦିନ ପରେ ଅର୍ଥାତ୍ ମଙ୍ଗଳବାର ପୁରୁଷ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ। ସେଥିପାଇଁ ରାଜଧାନୀ ଯେତିକି ଝଲସୁଛି, ଲୋକଙ୍କ ଉତ୍କଣ୍ଠା ମଧ୍ୟ ସେତିକି ବଢ଼ିବାରେ ଲାଗିଛି।
ଭୁବନେଶ୍ୱରରେ ସମସ୍ତ ପ୍ରତିଯୋଗୀ ଦଳ ଆସି ପହଞ୍ଚି ଯାଇଛନ୍ତି। ଏଥିସହ ସୋମବାର କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିବେ ସମସ୍ତ ପ୍ରତିଯୋଗୀ।

ଏହାଛଡ଼ା ମଙ୍ଗଳବାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ହକି ମହାକୁମ୍ଭରେ ୧୬ଟି ଦଳର ପାଖାପାଖି ୨୮୮ ଖେଳାଳି ସାମିଲ ହୋଇଛନ୍ତି।
ହକି ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିବା ଲାଗି ପ୍ରସ୍ତୁତ ରହିଛି କଳିଙ୍ଗ ଷ୍ଟାଡିୟମ। ଖାସ୍କରି ମଙ୍ଗଳବାର ଅନୁଷ୍ଠିତ ହେବାକୁ ଥିବା ଉଦ୍ଘାଟନୀ ଉତ୍ସବ ଦେଖିବା ପାଇଁ ସମସ୍ତେ ଚାହିଁ ବସିଛନ୍ତି। ଏଥିସହ ଏହି ଉତ୍ସବରେ ଶାହାରୁଖ ଖାନ, ମାଧୁରୀ ଦୀକ୍ଷିତ ଓ ଏ.ଆର ରେହେମାନ ମୁଖ୍ୟ ଆକର୍ଷଣ ହେବ।

















