ଓଡ଼ିଶାଲାଇଭ୍‌ ବ୍ୟୁରୋ

ରଙ୍ଗାରଙ୍ଗ ପରିବେଶରେ ହକି ପୁରୁଷ ବିଶ୍ଵକପ୍‌ର ଉଦଘାଟନୀ ସମାରୋହ ଶେଷ ହୋଇଛି। ବୁଧବାରଠାରୁ ଆରମ୍ଭ ହେବ ଅସଲ ଲଢ଼େଇ। ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା। ଜାଣନ୍ତୁ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଦମ୍ କେତେ।

୧୫ତମ ସ୍ଥାନରେ ଦକ୍ଷିଣ ଆଫ୍ରିକା

ବିଶ୍ୱ ମାନ୍ୟତାରେ ଏବେ ଦକ୍ଷିଣ ଆଫ୍ରିକା ୧୫ତମ ସ୍ଥାନରେ ରହିଛି। କିଛି ବର୍ଷ ଧରି ସାଧାରଣ ପ୍ରଦର୍ଶନ ଦେଖାଇବା ପରେ ଏବେ ଉଚ୍ଚଶ୍ରେଣୀୟ ହକି ଖେଳିବ ବୋଲି ଆଶା କରାଯାଉଛି।

୨୦୧୭ ମସିହାର ଆଫ୍ରିକା କପ୍‌ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ଇଜିପ୍ଟକୁ ହରାଇ ଦକ୍ଷିଣ ଆଫ୍ରିକା ବିଶ୍ୱବିଜେତା ହେବା ସହ ଷଷ୍ଠ ଥର ପାଇଁ ବିଶ୍ୱକପ୍ ଯୋଗ୍ୟତା ଅର୍ଜନ କରିଥିଲା। ୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିନଥିଲେ ମଧ୍ୟ ପ୍ରଶିକ୍ଷକ ସେଲଡନ୍ ରଷ୍ଟ୍ରନଙ୍କ ଦଳ ଏବେ ଶୀର୍ଷ ଶ୍ରେଣୀୟ ହକି ଖେଳୁଛି।

ଅଲିମ୍ପିକ୍ସ ଇତିହାସରେ ଦ୍ୱିତୀୟ ଥର ପାଇଁ ଦକ୍ଷିଣ ଆଫ୍ରିକା ବଞ୍ଚିତ ହୋଇଥିଲା। ୧୯୯୪ ମସିହାରୁ ବିଶ୍ୱକପ୍ ଖେଳିଆସୁଛି ଦକ୍ଷିଣ ଆଫ୍ରିକା। ୧୯୯୪ ଏବଂ ୨୦୧୦ରେ ଦୁଇ ଥର ଦଶମ, ୨୦୦୬ରେ ଦ୍ୱାଦଶ, ୨୦୧୪ରେ ଏକାଦଶ ସ୍ଥାନରେ ରହିଥିଲା ଦକ୍ଷିଣ ଆଫ୍ରିକା।

ଟିମରେ ଜୁଲିୟସ, ଟେଲର ଡାର୍ଟ, ଅଷ୍ଟିନ ସ୍ମିଥ୍ ଏବଂ ଲାନ୍ସ ଲୁଙ୍କ ଭଳି ପ୍ରତିଭାଙ୍କୁ ନେଇ ଦଳ ମଧ୍ୟ ସନ୍ତୁଳିତ ରହିଛି। ଅଭିଜ୍ଞ ଗୋଲରକ୍ଷକ ରାସି ପିଟର୍ସି ଏବଂ ଅଧିନାୟକ ଟିମ୍ ଡ୍ରମଣ୍ଡ ମଧ୍ୟ ଦଳର ମେରୁଦଣ୍ଡ ପାଲଟିବେ।

ଭାରତୀୟ ଟିମ୍ ଉପରେ ନଜର

ହକି ଇତିହାସରେ ଭାରତ ହେଉଛି ସବୁଠୁ ସଫଳତମ ଦଳ। ୮ଥର ସ୍ୱର୍ଣ୍ଣ ସହିତ ମୋଟ ୧୧ଟି ଅଲିମ୍ପିକ୍ ପଦକ ଜିତିଛି ଭାରତ। ଭାରତ ହକି ବିଶ୍ୱକପକୁ ମାତ୍ର ଥରେ ଜିତିଛି। ୧୯୭୧ରେ କାଂସ୍ୟ ଏବଂ ୧୯୭୩ରେ ରୌପ୍ୟ ପଦକ ଜିତିଥିଲା ବେଳେ ୧୯୭୫ରେ କ୍ୱାଆଲାଲମ୍ପୁର ସଂସ୍କରଣରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୨-୧ ଗୋଲରେ ହରାଇ ବିଶ୍ୱ ବିଜେତା ହୋଇଥିଲା।

ମାଲେସିଆରେ ଅର୍ଜନ କରିଥିବା ଏହି ସଫଳତା ଏବେ ଅତୀତ ପୃଷ୍ଠାରେ ରହିଛି। ସେବେଠୁ ଲଗାତାର ୪୩ ବର୍ଷ ଧରି ଭାରତ ବିଶ୍ୱକପରେ ପଦକ ଶୂନ୍ୟ ରହିଛି। ୨୦୧୫ ଓ ୨୦୧୭ରେ ଭାରତ ବିଶ୍ୱ ହକି ଲିଗ୍ ଫାଇନାଲ ପର୍ଯ୍ୟାୟରେ ଦୁଇ ଥର କାଂସ୍ୟ ପଦକ ଜିତିଥିବା ବେଳେ ୨୦୧୬ ଚାମ୍ପିୟନ ଟ୍ରଫିରେ ରୌପ୍ୟ ପଦକ ଜିତିଥିଲା।

୧୯୮୨ରେ ବମ୍ବେ ସହରରେ ବିଏଚଏ ଷ୍ଟାଡିୟମରେ ୧୨ଟି ଦଳକୁ ନେଇ ହକି ବିଶ୍ୱକପ୍ ଆରମ୍ଭ ହୋଇଥିଲା। ଏଥିରେ ପାକିସ୍ତାନ ସମସ୍ତଙ୍କୁ ପଛରେ ପକାଇ ତୃତୀୟ ଥର ପାଇଁ ବିଶ୍ୱ ମୁକୁଟ ପିନ୍ଧିଥିଲା। ଡିସେମ୍ବର ୨୯, ୧୯୮୧ରୁ ୧୨ ଜାନୁଆରୀ ୧୯୮୨ ପର୍ଯ୍ୟନ୍ତ ଖେଳାଯାଇଥିବା ବିଶ୍ୱକପର ଏହି ପଂଚମ ସଂସ୍କରଣରେ ଆୟୋଜକ ଭାରତ ପଂଚମ ସ୍ଥାନରେ ରହିଥିଲା। ବମ୍ବେ ବିଶ୍ୱକପର ୫ଟି ଲିଗ୍ ମ୍ୟାଚରୁ ଭାରତ ୩ଟିରେ ବିଜୟ ଏବଂ ୨ଟିରେ ପରାଜୟ ପାଇଥିଲା। ଫଳରେ ତୃତୀୟ ସ୍ଥାନରେ ରହି ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଥିଲା।

ଚଳିତ ବର୍ଷ ହକି ବିଶ୍ଵକପ୍‌ ଘରୋଇ ମାଟିରେ ଖେଳାଯାଉଥିବାରୁ  ଫାଇନାଲ ଖେଳିବାକୁ ଲକ୍ଷ୍ୟ ରଖିଛି ଭାରତ। ବିଶେଷକରି ୨ ଓଡ଼ିଆ ପୁଅଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଦଳର ମଙ୍ଗ ସମ୍ଭାଳିବେ। ବୀରେନ୍ଦ୍ର ଦ୍ୱିତୀୟ ଥର ଏବଂ ଅମିତ ପ୍ରଥମ ଥର ପାଇଁ ବିଶ୍ୱକପ୍ ମଇଦାନକୁ ଓହ୍ଲାଇବେ।

ସେହିପରି ଦଳରେ ସୁମିତ, ନୀଳକଣ୍ଠ ଶର୍ମା, ଗୁରିନ୍ଦର ସିଂହ, ସୁରେନ୍ଦ୍ର କୁମାର, ଆକାଶଦୀପ ସିଂହ ଓ ମିଡଫିଲ୍ଡର ହରମାନପ୍ରୀତ ସିଂହଙ୍କ ଉପରେ ସମସ୍ତଙ୍କ ନଜର ରହିଛି।

Comment