ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜୁ ସମତା କ୍ରାନ୍ତି ଦଳରେ ସାମିଲ ହେବାକୁ ବିଜୟ, ଦିଲ୍ଲୀପଙ୍କୁ ଦାମ ଦେଲେ ପ୍ରସ୍ତାବ।

ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ବିଜେପି ଛାଡ଼ିବା ପରେ ସେମାନେ କେଉଁ ଦଳରେ ଯୋଗ ଦେବେ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହି ଦୁଇ ନେତା ବିଜେଡି ଯିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଡାକ୍ତର ଦାମୋଦର ରାଉତ ଉଭୟଙ୍କୁ ବିଜୁ ସମତା କ୍ରାନ୍ତିକୁ ଡାକିଛନ୍ତି।

ବିଜୁ ସମତା କ୍ରାନ୍ତି ଦଳରେ ବିଜୟ ଏବଂ ଦିଲ୍ଲୀପ ଯୋଗ ଦିଅନ୍ତୁ ବୋଲି ଦାମ ଚାହୁଁଛନ୍ତି।

“ବିଜେପି ଛାଡ଼ିବା ପରେ ବିଜୟ ଏବଂ ଦିଲ୍ଲୀପ ବାବୁଙ୍କ ସହ ମୁଁ ଫୋନରେ କଥା ହୋଇଛି। ବିଜୁ ସମତା କ୍ରାନ୍ତି ଦଳରେ ସାମିଲ ହେବାକୁ ପ୍ରସ୍ତାବ ଦେଇଛି”, କହିଛନ୍ତି ଡାକ୍ତର ଦାମୋଦର ରାଉତ।

ବିଜେପିରୁ ଇସ୍ତଫା ଦେବା ପରେ ବିଜୟ ଏବଂ ଦିଲ୍ଲୀପ ବିଜେଡି ଯିବେ ବୋଲି ଚର୍ଚ୍ଚା ହେଉଛି। ଏ ପ୍ରସଙ୍ଗରେ ଦାମ କହିଛନ୍ତି ଯେ ଆତ୍ମସମ୍ମାନ ପାଇଁ ନିଜ ନିଜ ପଦ ପଦବୀରୁ ବଳି ପକାଇବା ଠିକ୍ ନୁହେଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପଦବୀକୁ ସୁରକ୍ଷିତ ରଖିବା ପାଇଁ ନିଜ ନୀତି ଏବଂ ଆଭିମୁଖ୍ୟକୁ ବଦଳାଇ ଦେଇଛନ୍ତି।

ବିଜୟ ମହାପାତ୍ର ଜଣେ ଚତୁର ନେତା। ସେ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇଛନ୍ତି ବୋଲି ବିଜୟ କହିଛନ୍ତି।

ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ଗତ ଶୁକ୍ରବାର ବିଜେପିରୁ ଇସ୍ତଫା ଦେଇଛନ୍ତି। ଦିଲ୍ଲୀପ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ଦିଲ୍ଲୀପ ବିଦେଶ ଗସ୍ତରେ ଯାଇଛନ୍ତି। ଏହି ଦୁଇ ଅଭିଜ୍ଞ ନେତାଙ୍କ ଆଗାମୀ ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି।

ଡାକ୍ତର ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ ହେବା ପରେ ବିଜୁ ସମତା କ୍ରାନ୍ତି ଦଳ ଗଠନ କରିଛନ୍ତି। ହେଲେ ତାଙ୍କ ଦଳରେ କୌଣସି ତୁଙ୍ଗ ନେତା ଯୋଗ ଦେଇ ନାହାନ୍ତି। ଦାମ ନିଜ ଦଳ ପାଇଁ ନେତା ଯୋଗାଡ଼ରେ ଅଛନ୍ତି। ବିଜୁ ସମତା କ୍ରାନ୍ତି ଗଠନ ହେବାର କିଛିଦିନ ପରେ ବିଜୟ, ଦିଲ୍ଲୀପ ବିଜେପି ଛାଡ଼ିଥିବାରୁ ଦାମ ତାଙ୍କ ଉପରେ ନଜର ପକାଇଛନ୍ତି।

Comment