ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ରାଉରକେଲା ବିଧାନସଭା ଆସନ ଏଥର କାହାର ହେବ, ପୁଣି ବିଜେଡିକୁ ସମର୍ଥନ ମିଳିବ ନା ବାଜି ମାରିବେ ବିଜେପି-କଂଗ୍ରେସ?

ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି, ଓଡ଼ିଶାର ରାଜନୈତିକ ପାଣିପାଗ ସେତିକି ସରଗରମ ହେବାରେ ଲାଗିଛି। ଚାରିଆଡ଼େ ଏବେ ଜୋରଦାର୍ ପ୍ରଚାର ଚାଲିଛି। ଏହାରି ଭିତରେ ରାଉରକେଲା ବିଧାନସଭା ଆସନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଚଳିତ ଥର ରାଉରକେଲା ଆସନରୁ କିଏ ହେବେ ବିଧାୟକ ତା’ ଉପରେ ରହିଛି ସାରା ରାଜ୍ୟର ନଜର।

ରାଉରକେଲା, ଓଡ଼ିଶାର ଦ୍ୱିତୀୟ ସ୍ମାର୍ଟ ସିଟି। ଏହା ଇସ୍ପାତ ନଗରୀ ଭାବେ ମଧ୍ୟ ଜଣା। ସୁନ୍ଦରଗଡ଼ ଜିଲ୍ଲାର ଏହି ପ୍ରମୁଖ ବିଧାନସଭା ଆସନରେ ବିଜେଡିର ପ୍ରାର୍ଥୀ ହୋଇଛନ୍ତି ସାରଦା ପ୍ରସାଦ ନାୟକ। ସେହିପରି ବିଜେପି ଏଥର ଭେଟେରାନ୍ ଦିଲ୍ଲୀପ ରାୟଙ୍କୁ ପ୍ରାର୍ଥୀ କରିଥିବାବେଳେ ବୀରେନ୍ଦ୍ରନାଥ ପଟ୍ଟନାୟକଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି କଂଗ୍ରେସ। ଏହି ତିନି ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡି ଓ ବିଜେପି ଭିତରେ ପ୍ରମୁଖ ଲଢ଼େଇ ହେବ ବୋଲି ଚର୍ଚ୍ଚା ହେଉଛି। ତେବେ କିଏ କେତେ ଭୋଟ ବ୍ୟବଧାନରେ ରାଉରକେଲାର ବିଜୟ ମୁକୁଟ ପିନ୍ଧିବେ ଦେଖିବାର କଥା।

‘ଣ କହୁଛି ରାଉରକେଲାର ଗଣିତ

ରାଉରକେଲା ସହର ସହିତ କଲୁଙ୍ଗା ଶିଳ୍ପାଞ୍ଚଳ ଏବଂ ବିଶ୍ରା ବ୍ଲକର ଦୁଇଟି ଗ୍ରାମପଞ୍ଚାୟତକୁ ନେଇ ରାଉରକେଲା ବିଧାନସଭା ଆସନ ଗଠିତ। ଏଠାରେ ଶିକ୍ଷିତ ଏବଂ ସଚେତନ ଭୋଟରଙ୍କ ସଂଖ୍ୟା ଅଧିକ ବୋଲି କୁହାଯାଇପାରିବ। ତେଣୁ ଏଠାକାର ଭୋଟର, ନିର୍ବାଚନ ବେଳେ ଦଳ ଅପେକ୍ଷା ବ୍ୟକ୍ତିତ୍ୱକୁ ଦେଖି ଭୋଟ ଦେଇଥାନ୍ତି। ଏହାର ପ୍ରମାଣ ୧୯୬୭ରୁ ୨୦୧୯ ପର୍ଯ୍ୟନ୍ତ ହୋଇଥିବା ନିର୍ବାଚନ ଫଳାଫଳକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି।

୧୯୬୭ ନିର୍ବାଚନରେ ପ୍ରଜା ସୋସାଲିଷ୍ଟ ପାର୍ଟିରୁ ରାଜକିଶୋର ସାମନ୍ତରାୟ ରାଉରକେଲା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ତାଙ୍କ ପରେ ୧୯୭୧ରେ ଓଡ଼ିଶା ଜନ କଂଗ୍ରେସରୁ ଶ୍ୟାମ ସୁନ୍ଦର ମହାପାତ୍ର, ୧୯୭୪ରେ କଂଗ୍ରେସରୁ ଧନଜା ମହାନ୍ତି, ୧୯୭୭ରେ ଜନତା ପାର୍ଟିରୁ ବ୍ରଜ କିଶୋର ମହାନ୍ତି, ୧୯୮୦ରେ କଂଗ୍ରେସ (ଆଇ)ରୁ ଗୁରୁପଦ ନନ୍ଦ ରାଉରକେଲା ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ସେହିପରି ଦିଲ୍ଲୀପ ରାୟ ୧୯୮୫ରେ ପ୍ରଥମେ ଜନତା ପାର୍ଟିରୁ ଏବଂ ୧୯୯୦ରେ ଜନତା ଦଳରୁ ଲଢ଼ି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୫ରେ ରାଉରକେଲା ଆସନରେ ଖାତା ଖୋଲିଥିଲା କଂଗ୍ରେସ। ପ୍ରଭାତ ମହାପାତ୍ର ହୋଇଥିଲେ ବିଧାୟକ। ଏହାପରେ ୨୦୦୦ ମସିହାରେ ରାଉରକେଲା ଆସନ ବିଜେଡି ଖାତାକୁ ଯାଇଥିଲା। ରାଉରକେଲାରେ ଅଜିତ ଦାସ ହୋଇଥିଲେ ବିଜେଡିର ପ୍ରଥମ ବିଧାୟକ।

୨୦୦୪ ନିର୍ବାଚନରେ ଏଠି ବିଜେଡି ପ୍ରାର୍ଥୀ ବଦଳାଇ ସାରଦା ପ୍ରସାଦ ନାୟକଙ୍କୁ ଟିକେଟ୍ ଦେଇଥିଲା। ସେ ୨୦୦୪ ଓ ୨୦୦୯ରେ ବିଧାୟକ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୧୪ରେ ଏହି ଆସନ ବିଜେପି ହାତକୁ ଯାଇଥିଲା । ଦିଲ୍ଲୀପ ରାୟ ବିଜେଡି ପ୍ରାର୍ଥୀଙ୍କୁ ହରାଇ ବିଧାନସଭାକୁ ଯାଇଥିଲେ।

୨୦୧୯ରେ ପ୍ରାର୍ଥୀ ବଦଳାଇଥିଲା ବିଜେପି। ବିଜେପି ପ୍ରାର୍ଥୀଙ୍କୁ ପଛରେ ପକାଇ ପୁଣିଥରେ ବିଜେଡିରୁ ସାରଦା ନାୟକ ଜିତିଥିଲେ। ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରର ଶେଷ ଭାଗରେ ସେ ମନ୍ତ୍ରୀ ପଦ ମଧ୍ୟ ପାଇଥିଲେ।

ପୁଣି ସାରଦା – ଦିଲ୍ଲୀପ ଲଢ଼େଇ

ଦିଲ୍ଲୀପ ରାୟ ରାଉରକେଲାର ଜଣେ ଜଣାଶୁଣା ନେତା। ବିଜୁ ପଟ୍ଟନାୟକଙ୍କ ସମୟରୁ ରାଜ୍ୟ ରାଜନୀତିରେ ତାଙ୍କର ଭଲ ପ୍ରଭାବ ରହିଛି। ପୂର୍ବରୁ ସେ କେନ୍ଦ୍ରମନ୍ତ୍ରୀ ରହିବା ସହିତ ରାଉରକେଲାରୁ ତିନି ତିନି ଥର ବିଧାୟକ ମଧ୍ୟ ହୋଇଛନ୍ତି। ଏପରିକି ବିଜୁ ଜନତା ଦଳ ଗଠନ ବେଳେ ପ୍ରମୁଖ ଭୂମିକା ନେଇଥିଲେ ଦିଲ୍ଲୀପ ରାୟ।

ହେଲେ ୨୦୦୦ ମସିହା ପରେ ଦିଲ୍ଲୀପ ବିଜେଡିରୁ ନିଲମ୍ବିତ ହେବା ପରେ ରାଉରକେଲା ରାଜନୀତିରେ ପଟ୍ଟ ପରିବର୍ତ୍ତନ ହୋଇଥିଲା। ଦିଲ୍ଲୀପଙ୍କ ପରେ ରାଉରକେଲା ରାଜନୀତିରେ ସାରଦାଙ୍କ ଭାଗ୍ୟ ଉଦୟ ହୋଇଥିଲା।

ବିଜେଡିରୁ ନିଲମ୍ବିତ ହେବା ପରେ ରାଉରକେଲା ରାଜନୀତିଠାରୁ ବହୁ ଦୂରରେ ରହିଥିଲେ ଦିଲ୍ଲୀପ ରାୟ। କିନ୍ତୁ ୨୦୧୪ ନିର୍ବାଚନରେ ସେ ବିଜେପି ଟିକେଟ ନେଇ ପୁଣି ରାଉରକେଲାକୁ ଫେରିଥିଲେ। ସଙ୍ଗଠନ ସଜାଡ଼ି ବିଜେଡି ପ୍ରାର୍ଥୀ ସାରଦା ନାୟକଙ୍କ ସହ ଲଢ଼େଇ କରିଥିଲେ। ଦୁଇ ପ୍ରାର୍ଥୀଙ୍କ ଭିତରେ କଡ଼ା ଟକ୍କର ହୋଇଥିଲା। ଶେଷରେ ଦିଲ୍ଲୀପ ରାୟ ୧୧ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।

୨୦୧୯ରୁ ୨୦୨୪ ପାଞ୍ଚ ବର୍ଷର ବ୍ୟବଧାନ ପରେ ପୁଣି ସକ୍ରିୟ ରାଜନୀତିକୁ ଓହ୍ଲାଇଛନ୍ତି ଦିଲ୍ଲୀପ ରାୟ। ତାଙ୍କ ଉପରେ ବିଜେପି ନେତୃତ୍ୱ ଭରସା କରିଥିବାରୁ ଏଥର ରାଉରକେଲାରେ ଲଢ଼େଇ ଜୋରଦାର ହେବ ବୋଲି କୁହାଯାଉଛି।

କେତେ ପ୍ରଭାବ ପକାଇବ କଂଗ୍ରେସ?

ରାଉରକେଲା ଆସନରେ ଏଥର ପୁଣି ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ୨୦୧୯ରେ ବୀରେନ ସେନାପତି ଏହି ଆସନରୁ ପ୍ରାର୍ଥୀ ହୋଇ ୧୩ ହଜାରରୁ ଅଧିକ ଭୋଟ ପାଇଥିଲେ। ହେଲେ ଏଥର ବୀରେନ୍ଦ୍ରନାଥ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିଛି।

ଗତ କିଛି ମାସ ତଳେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ସୁନ୍ଦରଗଡ଼ ଜିଲ୍ଲା ଛୁଇଁଥିଲା। ତେଣୁ ଏହାର ପ୍ରଭାବ ଚଳିତ ନିର୍ବାଚନରେ ପଡ଼ିବ ବୋଲି କୁହାଯାଉଥିଲେ ମଧ୍ୟ ରାଉରକେଲାର ମୁଖ୍ୟ ଲଢ଼େଇ ବିଜେଡ଼ି ଏବଂ ବିଜେପି ମଧ୍ୟରେ ହେବ ବୋଲି କୁହାଯାଉଛି।

ନବୀନଙ୍କ ଯୋଜନା ବନାମ ମୋଦୀ ଫ୍ୟାକ୍ଟର

ରାଉରକେଲା ବିଧାନସଭା ଆସନରେ ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ୟାକ୍ଟରର ଏକ ଲଢ଼େଇ ହେବ ବୋଲି କୁହାଯାଉଛି।

ଗତ ପାଞ୍ଚ ବର୍ଷ ରାଜ୍ୟ ସରକାର ରାଉରକେଲା ସହରରେ ଯେଉଁସବୁ ଜନକଲ୍ୟାଣ ଯୋଜନା କରିଛନ୍ତି ତାକୁ ଆଧାର କରି ବିଜେଡି, ଭୋଟରଙ୍କ ପାଖକୁ ଯିବ ବୋଲି ରଣନୀତି ପ୍ରସ୍ତୁତ କରିଛି। ଏଥିରେ ରହିଛି ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ, ରାଉରକେଲା ବିମାନ ବନ୍ଦର, ବେଦବ୍ୟାସ ପୀଠର ଉନ୍ନତିକରଣ ଏବଂ ସ୍ମାର୍ଟ ସିଟି ପ୍ରକଳ୍ପ ଭଳି ଯୋଜନା।

ଅନ୍ୟପଟେ ବ୍ରାହ୍ମଣୀ ନଦୀ ଉପରେ ରାଉରକେଲାକୁ ଯୋଡୁଥିବା ଦ୍ୱିତୀୟ ସେତୁ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକପ୍ରିୟ ଯୋଜନାକୁ ନେଇ ବିଜେପି ଏଥର ଭୋଟରଙ୍କ ପାଖକୁ ଯାଉଛି। ସେହିପରି କଂଗ୍ରେସ, ବିଜେଡି ଓ ବିଜେପି ସରକାରର ବିଫଳତାକୁ ଅସ୍ତ୍ର କରିଛି।

ମେ’ ୨୦ ତାରିଖରେ ରାଉରକେଲା ବିଧାନସଭା ଆସନ ପାଇଁ ଭୋଟ ପଡ଼ିବ। ୫ ବର୍ଷ ପାଇଁ ବିଧାୟକ ବାଛିବେ ଭୋଟର। ଜୁନ୍ ୪ ତାରିଖରେ ଫଳାଫଳ ପ୍ରକାଶ ପାଇବା ପରେ ଏଥର ଭୋଟର କାହା ମୁଣ୍ଡରେ ବିଧାୟକ ପଗଡ଼ି ବାନ୍ଧିଲେ ତାହା ସ୍ପଷ୍ଟ ହୋଇଯିବ।

Tags: #Politics #OdishaPolitics #OdishaAssemblyElections2024 #Odisha #BJP #BJD #Congress #RourkelaPolitics

LEAVE A REPLY

Please enter your comment!
Please enter your name here