ଓଡ଼ିଶାଲାଇଭ୍‌ ବ୍ୟୁରୋ

କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ମହାକୁମ୍ଭର ସପ୍ତମ ଦିନରେ ଦୁଇଟି ମ୍ୟାଚ୍ ଖେଳାଯିବ। ପୁଲ ‘ବି’ର ପ୍ରଥମ ମ୍ୟାଚ୍ ଅପରାହ୍ନ ୫ଟାରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ପୁଲ ‘ବି’ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଆୟର୍ଲାଣ୍ଡ ଏବଂ ଚୀନ ଅଛନ୍ତି। ଗତ ଦୁଇ ଥରର ୱାର୍ଲ୍ଡକପ୍ ବିଜେତା ଅଷ୍ଟ୍ରେଲିଆ କଳିଙ୍ଗରେ ମଧ୍ୟ ଫାଇନାଲ ଟ୍ରଫି ହାତେଇବା ଲକ୍ଷ୍ୟରେ ରହିଛି। ପୁରୁଷ ବିଶ୍ୱକପ ହକି ପ୍ରତିଯୋଗିତାରେ ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିଛି କଙ୍ଗାରୁ ଟିମ୍।

ପ୍ରଥମ ମ୍ୟାଚରେ ଡିଫେଣ୍ଡି ଚାମ୍ପିଅନ୍ ଅଷ୍ଟ୍ରେଲିଆ ୨-୧ ଗୋଲରେ ଆୟର୍ଲାଣ୍ଡକୁ ପରାସ୍ତ କରିଥିଲା। ବିଜୟ ସହ ୩ ପଏଣ୍ଟ ପାଇ ପୁଲ-ବି ତାଲିକାର ଶୀର୍ଷ ସ୍ଥାନରେ ଅଷ୍ଟ୍ରେଲିଆ ରହିଥିବାବେଳେ ଆୟର୍ଲାଣ୍ଡ ନିମ୍ନରେ ରହିଛି। ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ପକ୍ଷରୁ ବ୍ଲାକ ଗୋଭର୍ସ, ଡିମୋଥି ବ୍ରାଣ୍ଡ ଭଲ ପ୍ରଦର୍ଶନ କରିଥିଲେ। ମଙ୍ଗଳବାର ମ୍ୟାଚରେ ଦମଦାର ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲ ଲକ୍ଷ୍ୟରେ ଖେଳିବ ଅଷ୍ଟ୍ରେଲିଆ।

ସେହିପରି ବିଶ୍ୱ ମାନ୍ୟତାର ସପ୍ତମ ସ୍ଥାନରେ ଥିବା ଇଂଲଣ୍ଡ ମଧ୍ୟ ଅଷ୍ଟ୍ରେଲିଆକୁ କଡ଼ା ଟକ୍କର ଦେବ। ଚୀନ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଇଂଲଣ୍ଡ ଲଢୁଆ ପ୍ରଦର୍ଶନ କରିଥିଲା। ୨-୨ ଗୋଲ କରି ମ୍ୟାଚ୍ ଡ୍ର ରହିବାରୁ ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି।

ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଇଂଲଣ୍ଡ। ଚୀନ ବିପକ୍ଷ ମ୍ୟାଚରେ ଇଂଲଣ୍ଡ ଖେଳାଳି ମାର୍କ ଗ୍ଲେଗହନ, ଲିଆମ୍ ଆନ୍ସେଲ ଦମଦାର ଗୋଲ ଦେଇ ଚାପ ପକାଇଥିଲେ। ସେହିପରି  ଇଂଲଣ୍ଡ ଅଧିନାୟକ ଫିଲ୍ ରୋପରଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଡିଫେଣ୍ଡି ଚମ୍ପିଆନ୍ ଅଷ୍ଟ୍ରେଲିଆକୁ ଚକମା ଦେବାକୁ ହେଲେ ଇଂଲଣ୍ଡକୁ ସ୍ୱତନ୍ତ୍ର ରଣନୀତି କରିବାକୁ ପଡ଼ିବ।

Comment