ଓଡ଼ଶାଲାଇଭ୍‌ ବ୍ୟୁରୋ

ସ୍ୱାଧୀନତା ପୂର୍ବରୁ ଆଜି ପର୍ଯ୍ୟନ୍ତ ଦେଶରେ କୁପୋଷଣର ଗମ୍ଭୀର ସମସ୍ୟା ଲାଗିରହିଛି। ଗ୍ଲୋବାଲ ନ୍ୟୁଟ୍ରିସନ ୨୦୧୮ ରିପୋର୍ଟ ଅନୁସାରେ ବିଶ୍ୱରେ ୧୫ କୋଟିରୁ ଅଧିକ ଶିଶୁ କୁପୋଷଣର ଶିକାର। ଆଶ୍ଚର୍ଯ୍ୟର କଥା ହେଉଛି ଭାରତରେ ଅଧିକ ଶିଶୁ କୁପୋଷଣର ଶିକାର ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ଭାରତର ୪ କୋଟି ୬୬ ଲକ୍ଷ ଶିଶୁ କୁପୋଷଣର ଶିକାର, ଯାହା ବିଶ୍ୱରେ ସର୍ବାଧିକ। ଏହି ମାମଲାରେ ନାଇଜେରିଆ ଏବଂ ପଡ଼ୋଶୀ ଦେଶ ପାକିସ୍ତାନ ଯଥାକ୍ରମେ ୧.୩୯ କୋଟି ଏବଂ ୧.୭ କୋଟି ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ଭାରତର ୬୦୪ ଜିଲ୍ଲାରୁ ୨୩୯ ଜିଲ୍ଲାରେ ଅବିକଶିତ ଶିଶୁଙ୍କ ସଂଖ୍ୟା ୪୦ ପ୍ରତିଶତରୁ ଅଧିକ ରହିଛି।

କୁପୋଷଣରେ ମରୁଛନ୍ତି ଶିଶୁ

କିଛି ଜିଲ୍ଲାରେ କୁପୋଷଣ ଶିଶୁଙ୍କ ସଂଖ୍ୟା ୧୨.୪ ପ୍ରତିଶତ ଥିଲା ବେଳେ ଆଉ କିଛି ସ୍ଥାନରେ ୬୫.୧ ପ୍ରତିଶତ ରହିଛି। ଲମ୍ବା ତୁଳନାରେ କମ୍ ଓଜନ ଶିଶୁଙ୍କ ସଂଖ୍ୟା ୨.୫୫ କୋଟି ରହିଛି, ଯାହା ନାଇଜେରିଆ ଏବଂ ଇଣ୍ଡୋନେସିଆଠାରୁ ବି ଅଧିକ। ରିପୋର୍ଟ ଅନୁସାରେ କମ୍ ଓଜନ ଶିଶୁଙ୍କ ସଂଖ୍ୟା ବିଶ୍ୱରେ ସବୁଠୁ ଅଧିକ ଦକ୍ଷିଣ ଏସିଆରେ ରହିଥାନ୍ତି। ଭାରତ ଏଭଳି ଦେଶ ସହ ସାମିଲ ରହିଛି, ଯେଉଁଠି ଦଶ ଲକ୍ଷରୁ ଅଧିକ ଶିଶୁ ମୋଟାପଣର ଶିକାର ହେଉଛନ୍ତି।

ଭାରତର ଜନସଂଖ୍ୟା ବୃଦ୍ଧି ହେବା କାରଣରୁ କୁପୋଷଣରୁ ସ୍ତର ବ୍ୟାପକ ହୋଇଛି। ଶିଶୁଙ୍କୁ ପୋଷକତତ୍ତ୍ୱ ପର୍ଯ୍ୟାପ୍ତ ପରିମାଣରେ ମିଳୁ ନଥିବାରୁ କୁପୋଷଣ ସଂଖ୍ୟା ବୃଦ୍ଧି ପାଉଛି। ପରିଣାମସ୍ୱରୂପ ବୟସ ଅନୁସାରେ ବ୍ୟକ୍ତିଙ୍କ ଉଚ୍ଚତା ଏବଂ ଓଜନ କମ୍ ହେବାରେ ଲାଗିଥାଏ। ଯେତେବେଳେ ଶରୀରରେ ପୋଷକତତ୍ତ୍ୱ ଅଧିକ ହୋଇଯାଇଥାଏ, ଅତିପୋଷଣ ରୂପେ ବ୍ୟକ୍ତି ମୋଟା ହେବାରେ ଲାଗିଥାନ୍ତି। ଯାହାଫଳରେ ହୃଦରୋଗ. ମଧୁମେହ ଏବଂ କ୍ୟାନସର ଭଳି ରୋଗ ମାଡ଼ି ବସିଥାଏ।

ଭାରତରେ ଶିଶୁଙ୍କ ସ୍ଥିତି

କମ୍ ବୟସର ଝିଅଙ୍କୁ ବିବାହ କରିବା ଭାରତୀୟ ଶିଶୁ ସର୍ବାଧିକ କୁପୋଷଣ ହେବାର କାରଣ। ଦେଶରେ ଆଜି ବି ୪୭ ପ୍ରତିଶତ ଝିଅ ୧୮ ବର୍ଷ ପୂର୍ବରୁ ବିବାହ କରୁଛନ୍ତି। ଏହି କାରଣରୁ ଜନ୍ମିତ ଶିଶୁ କୁପୋଷଣର ଶିକାର ହୋଇଥାନ୍ତି। ସେହିପରି ଜନ୍ମ ସମୟରେ ଶିଶୁକୁ ମା’ କ୍ଷୀର ଅନିବାର୍ଯ୍ୟ ହୋଇଥିଲା ବେଳେ ଦେଶର କେବଳ ୩୭.୧ ପ୍ରତିଶତ ନବଜାତ ଶିଶୁ ହିଁ ମା’ଙ୍କ ସ୍ତନ୍ୟପାନ କରିଥାନ୍ତି। ଦେଶରେ କୁପୋଷଣ ନେଇ ସଚେତନତାର ଅଭାବ ରହିଥିବା ନିଃସନ୍ଦେହରେ କୁହାଯାଇପାରିବ।

Comment