ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତୁ ଜାଣିବା ଭାରତର ପ୍ରଥମ ନ୍ୟୁଜ୍ ରିଡର ପ୍ରତିମା ପୁରୀଙ୍କ ବିଷୟରେ କିଛି ଅଜଣା କଥା।
ଆଜିକାଲିର ମୋବାଇଲ ଯୁଗରେ ସାରା ଦୁନିଆର ଖବର ହାତମୁଠାରେ ମିଳି ପାରୁଛି। ଭାରତରେ ଟେଲିଭିଜନର ସେବା ଆରମ୍ଭ ହେବା ପରେ ଖବର ଓ ମନୋରଞ୍ଜନ ପାଇଁ ଲୋକେ କେବଳ ଦୂରଦର୍ଶନ ଚ୍ୟାନେଲ ଉପରେ ନିର୍ଭର କରୁଥିଲେ। ଯାହାକୁ ଅଲ୍ ଇଣ୍ଡିଆ ରେଡ଼ିଓ ଅନ୍ତର୍ଗତ ଭାରତରେ ଆରମ୍ଭ କରାଯାଇଥିଲା।
୧୯୬୫ ମସିହାଅଗଷ୍ଟ ୧୫ରେ ଆକାଶବାଣୀ ଭବନ ଷ୍ଟୁଡିଓରୁ ପ୍ରଥମ କରି ଦୂରଦର୍ଶନ ର ପ୍ରସାରଣ ଆରମ୍ଭ ହୋଇଥିଲା। ଏହି ପ୍ରସାରଣରେ ଦେଶର ପ୍ରଥମ ନ୍ୟୁଜ୍ ବୁଲେଟିନକୁ ପରିବେଷଣ କରିଥିଲେ ପ୍ରତିମା ପୁରୀ। ଏହାର ସମୟ ବ୍ୟବଧାନ ଥିଲା ୫ ମିନିଟ।
ହିମାଚଳ ପ୍ରଦେଶର ସିମଲା ସହରର ଏକ ଗୋର୍ଖା ପରିବାରରେ ଜନ୍ମ ଗ୍ରହଣ କରିଥିଲେ ପ୍ରତିମା। ତାଙ୍କ ଅସଲି ନାମ ହେଉଛି ବିଦ୍ୟା ରାୱତ୍। ଯେଉଁ ସମୟରେ ମହିଳାମାନଙ୍କୁ ଓଢ଼ଣା ତଳେ ରହିବାର ପ୍ରଥା ଥିଲା, ସେହି ସମୟରେ ଛୋଟ ପରଦାରେ ଦେଖାଯାଉଥିବା ପ୍ରଥମ ମହିଳା ଥିଲେ ପ୍ରତିମା ପୁରୀ।
ପ୍ରତିମା ପ୍ରଥମେ ଅଲ୍ ଇଣ୍ଡିଆ ରେଡ଼ିଓରେ ନିଜ କ୍ୟାରିଅର ଗଢ଼ିବାକୁ ଚାହୁଁଥିଲେ। ସେଥିପାଇଁ ସେ ନିଜ ଘରୋଇ ସହର ସିମଲାର ଅଲ୍ ଇଣ୍ଡିଆ ରେଡ଼ିଓ ଷ୍ଟେସନରେ ପାଦ ଥାପିଥଲେ। ଏହା ପରେ ତାଙ୍କୁ ଦିଲ୍ଲୀ ପଠାଯାଇଥିଲା ଓ ସେ ଦେଶ ପାଇଁ ପଢ଼ିଥିଲେ ପ୍ରଥମ ନ୍ୟୁଜ୍ ବୁଲେଟିନ୍।
ନିଜ କ୍ୟାରିଅର ଭିତରେ ଅନେକ ମାନ୍ୟଗନ୍ୟ ଲୋକଙ୍କ ଇଣ୍ଟରଭ୍ୟୁ କରିଛନ୍ତି ପ୍ରତିମା। ନିଜ ମିଠା ସ୍ୱର ମାଧ୍ୟମରେ ସାରା ଭାରତକୁ ବାନ୍ଧି ରଖିଥିଲେ ସେ। ପ୍ରତିମାଙ୍କ ସ୍ୱର ଶୁଣିବାକୁ ସମସ୍ତେ ପସନ୍ଦ କରୁଥିଲେ।
ପରବର୍ତ୍ତୀ ସମୟରେ ପ୍ରତିମାଙ୍କ ଅନୁସରଣ କରି ବହୁ ମହିଳା ତଥା ପୁରୁଷ ମାନେ ନ୍ୟୂଜ ରିଡର କ୍ଷେତ୍ରରେ ଯୋଗ ଦେଇଥିଲେ। କର୍ମମୟ ଜୀବନରୁ ଅବସର ନେବା ପରେ ପ୍ରତିମା ନ୍ୟୁଜ ରିଡର ହେବାକୁ ଚାହୁଁଥିବା ଲୋକମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ।