ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

‘ମହାଭାରତ’ରେ ଅଜୁର୍ନ ଭୂମିକା ପାଇଁ କଳାକାର ଖୋଜିବାକୁ ନିର୍ମାତାଙ୍କୁ ବହୁ କଷ୍ଟ କରିବାକୁ ପଡ଼ିଥିଲା। ତା’ପରେ ଅଭିନେତା ଫିରୋଜ ଖାନ ଏହି ଚରିତ୍ରରେ ଅଭିନୟ କରିଥିଲେ।

ଦୂରଦର୍ଶନରେ ପୁରୁଣା ସିରିଏଲଗୁଡ଼ିକ ପ୍ରସାରିତ ହେବାପରେ ‘ରାମାୟଣ’ ‘ମହାଭାରତ’କୁ ସବୁଠୁ ଅଧିକ ଭଲପାଇବା ମିଳିଛି। ଏହି ସମୟରେ ‘ମହାଭାରତ’ରେ ଅଭିନୟ କରୁଥିବା କଳାକାରଙ୍କ ସହ ଜଡ଼ିତ ଅନେକ କାହାଣୀ ବି ଆଲୋଚନାକୁ ଆସୁଛି। ସେହି କଳାକାରମାନଙ୍କ ମଧ୍ୟରୁ ଜଣେ ହେଲେ ‘ମହାଭାରତ’ର ଅର୍ଜୁନ। ବି ଆର୍‌ ଚୋପ୍ରାଙ୍କ ମହାଭାରତରେ ଅଭିନେତା ଫିରୋଜ ଖାନ ଅର୍ଜୁନ ଭୂମିକାରେ ଅଭିନୟ କରିଥିଲେ।

‘ମହାଭାରତ’ରେ ଅର୍ଜୁନ ଭୂମିକାରେ ଅଭିନୟ କରିବା ପରେ ଫିରୋଜ ଖାନ ଉଲ୍ଲେଖନୀୟ ଲୋକପ୍ରିୟତା ହାସଲ କରିଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ନିର୍ମାତାଙ୍କୁ ‘ମହାଭାରତ’ରେ ଅର୍ଜୁନ ଭୂମିକା ପାଇଁ କଳାକାର ଖୋଜିବାକୁ କଠିନ ସଂଘର୍ଷ କରିବାକୁ ପଡ଼ିଥିଲା। ଏହି ଭୂମିକା ପାଇଁ ପ୍ରାୟ ୨୩ ହଜାର ଲୋକ ଅଡିସନ ଦେଇଥିଲେ। କିନ୍ତୁ ଏହି ଭୂମିକାରେ ଫିରୋଜ ଖାନ ଅଭିନୟ କରିଥିଲେ।

ଏକ ସାକ୍ଷାତକାରରେ ଫିରୋଜ ଖାନ କହିଥିଲେ ଯେ ଅର୍ଜୁନ ଭୂମିକାରେ ପ୍ରଥମେ ଅଭିନେତା ଜ୍ୟାକି ଶ୍ରଫଙ୍କୁ ଚୟନ କରାଯାଇଥିଲା। କିନ୍ତୁ କୌଣସି କାରଣରୁ ସେ ମନା କରିଥିଲେ। ଏହାପରେ ସେ ନିଜେ ବି.ଆର ଚୋପ୍ରାଙ୍କ ଅଫିସକୁ ଯାଇ ଅଡିସନ ଦେଇଥିଲେ। କିଛି ଦିନ ପରେ ସେ ଏହି ଭୂମିକା ପାଇଁ ମନୋନୀତ ହୋଇଛନ୍ତି ବୋଲି କୁହାଯାଇଥିଲା।

ଫିରୋଜ ଖାନ ‘ଜିଗର’, ‘ତ୍ରିରଙ୍ଗା’, ‘ଆଦମୀ’, ‘ଫୁଲ ଅର ଅଙ୍ଗାରେ’, ‘ମିଷ୍ଟର ଆଜାଦ’ ଏବଂ ‘କରଣ-ଅର୍ଜୁନ’ ଭଳି ଅନେକ ଫିଲ୍ମରେ କାମ କରିଛନ୍ତି।

Comment