ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ୟାଙ୍କ ଆକାଉଣ୍ଟ୍‌ ଖୋଲିବା କିମ୍ବା ସିମ୍ କାର୍ଡ ନେବା ସମୟରେ ବାଧ୍ୟତାମୂଳକ ନୁହେଁ ଆଧାର କାର୍ଡ। ଦାବି କଲେ ଜରିମାନା ଓ ଜେଲ୍।

ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି କୌଣସି ବ୍ୟାଙ୍କରେ ଆକାଉଣ୍ଟ୍‌ ଖୋଲିବା ହେଉ ବା ସିମ୍ କାର୍ଡ ନେବା ସମୟରେ ବାଧ୍ୟତାମୂଳକ ନୁହେଁ ଆଧାର କାର୍ଡ। ଏହା ଆପଣଙ୍କ ଇଛା ଉପରେ ନିର୍ଭର କରେ ଆପଣ ନିଜର ଆଧାର କାର୍ଡ ଦେଖାଇବାକୁ ଚାହୁଁଛନ୍ତି କି ନାହିଁ। ମାତ୍ର କେତେକ ଟେଲିକମ୍‌ କମ୍ପାନି ଓ ବ୍ୟାଙ୍କ ଗ୍ରାହକମାନଙ୍କୁ ଏବେ ମଧ୍ୟ ଆଧାର ବାଧ୍ୟତାମୂଳକ ବୋଲି କହୁଥିବା ଅଭିଯୋଗ ହେଉଛି। ଏପରି ଟେଲିକମ୍‌ କମ୍ପାନି ଓ ବ୍ୟାଙ୍କଙ୍କୁ ଦଣ୍ଡିତ କରିବା ଲାଗି ନୂଆ ଆଇନ ଆଣିଛନ୍ତି କେନ୍ଦ୍ର ସରକାର।

ଯେଉଁ ଟେଲିକମ୍‌ କମ୍ପାନି ଗ୍ରାହକଙ୍କୁ ମୋବାଇଲ ସଂଯୋଗ ଦେବା ଲାଗି ଆଧାର ମାଗିବେ କିମ୍ବା ଯେଉଁ ବ୍ୟାଙ୍କ କେଓ୍ଵାଇସି ନାମରେ ଗ୍ରାହକଙ୍କଠାରୁ ଆଧାର ମାଗିବେ ସେମାନେ ୧ କୋଟି ଟଙ୍କା ଜରିମାନା ଦେବେ। କେବଳ ସେତିକି ନୁହେଁ ୩ରୁ ୧୦ ବର୍ଷ ଜେଲଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିପାରେ।

କେନ୍ଦ୍ର କ୍ୟାବିନେଟ୍‌ରେ ଏଭଳି ଏକ ପ୍ରସ୍ତାବ ଆସିଛି। ପ୍ରସ୍ତାବ ଅନୁସାରେ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ଯାଇ ପରିଚୟ ଓ ବାସସ୍ଥାନ ପ୍ରମାଣ ଲାଗି ଆଧାର ମାଗୁଥିବା ସଂସ୍ଥାଙ୍କୁ ଦଣ୍ଡିତ କରାଯିବ।

ସରକାରୀ ସୂତ୍ରରୁ ପ୍ରକାଶ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଇଣ୍ଡିଆନ୍‌ ଟେଲିଗ୍ରାଫ୍‌ ଆକ୍ଟ ଏବଂ ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟରେ ପରିବର୍ତ୍ତନ ଅଣାଯାଇଛି। ସଂଶୋଧିତ ଆଇନ ଅନୁସାରେ କେବଳ ଜନମଙ୍ଗଳ କାର୍ଯ୍ୟକ୍ରମ କ୍ଷେତ୍ରରେ ଆଧାର ବାଧ୍ୟତାମୂଳକ, ଯେଉଁଠାରୁ ହିତାଧିକାରୀ ସରକାରୀ ଅର୍ଥ ଗ୍ରହଣ କରୁଛନ୍ତି।

Comment