ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୧୮ ବର୍ଷରେ ରାଜ୍ୟ ରାଜନୀତିରେ ଅନେକ ଘଟଣା ଘଟିଯାଇଛି। ହେଲେ ଏଭଳି କିଛି ଘଟଣା ହୋଇଛି ଯାହା ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଥିଲା। ଜାନୁଆରୀ ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ରାଜ୍ୟ ରାଜନୀତି ବେଶ୍‌ ସରଗରମ ରହିଥିଲା। ୨୦୧୯ ପାଇଁ ତିନି ରାଜନୈତିକ ଦଳ ବିଜେଡି, କଂଗ୍ରେସ ଏବଂ ବିଜେପି ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି। କିନ୍ତୁ ରାଜ୍ୟ ରାଜନୀତିରେ ୨୦୧୮ରେ ଘଟିଥିବା ଚର୍ଚ୍ଚିତ ଘଟଣାବଳି ମଧ୍ୟ ୧୯ ନିର୍ବାଚନରେ ପ୍ରଭାବ ପକାଇବ ଆଶା କରାଯାଉଛି।

ବିଜେଡିରୁ ଦାମ ରାଉତ ଓ ବୈଜୟନ୍ତ ପଣ୍ଡା ବିଦା ହୋଇଥିଲାବେଳେ ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ଇସ୍ତଫା ଦେଇଥିଲେ। ସେହିପରି ବର୍ଷ ଶେଷକୁ ପ୍ରଶାସକରୁ ରାଜନେତା ପାଲଟିଥିଲେ ଅପରାଜିତା ଷଡ଼ଙ୍ଗୀ। ଆସନ୍ତୁ ନଜର ପକାଇବା ୨୦୧୮ର ରାଜନୈତିକ ଘଟଣାବଳି ଉପରେ।

ବିଜେଡିରୁ ଦାମ ରାଉତ ବିଦା

ଓଡ଼ିଶା ରାଜନୀତିର ଚର୍ଚ୍ଚିତ ବ୍ୟକ୍ତି ହେଉଛନ୍ତି ଡାକ୍ତର ଦାମୋଦର ରାଉତ। ସେ ୭ ଥର ବିଧାୟକ ହେବା ସହ ବହୁବାର ମନ୍ତ୍ରୀ ଥିଲେ। ଏରସମାରୁ ୫ଥର ଏବଂ ପାରାଦୀପରୁ ୨ ବିଧାୟକ ହୋଇ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ବିଜୁ ପଟ୍ଟନାୟକଙ୍କ ସହ ସେ ରାଜନୀତିରେ ପାଦଦେଇଥିଲେ। ତେବେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଗଠନ ହୋଇଥିବା ବିଜୁ ଜନତା ଦଳରେ ସେ ପ୍ରଥମେ ସାମିଲ ହୋଇନଥିଲେ। ମୂଳ ଜନତା ଦଳରେ ସେ ରହିଥିଲେ। ତେବେ କିଛିବର୍ଷ ପରେ ବିଜେଡିରେ  ସାମିଲ ହୋଇଥିଲେ।

ରାଜନୀତିର ଏହି ଚର୍ଚ୍ଚିତ ବ୍ୟକ୍ତି ଗତ ସେପ୍ଟେମ୍ବର ୧୨ ତାରିଖରେ ବିଜେଡିରୁ ବହିଷ୍କୃତ ହୋଇଥିଲେ। ବିଭିନ୍ନ ବୟାନ ଦେଇ ରାଜ୍ୟସରକାରଙ୍କୁ ଅଡ଼ୁଆରେ ପକାଇବା ସହ କେତେକ ବିଭାଗର ଦୁର୍ନୀତି ସମ୍ପର୍କରେ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ। ବିଶେଷକରି ସମବାୟ, ଓମ୍‌ଫେଡ୍‌ ଓ ଚାରା ଦୁର୍ନୀତିକୁ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ। ଏପରିକି ଦଳର କେତେକ ନେତାଙ୍କ ବିରୋଧରେ ମଧ୍ୟ ଟିପ୍ପଣୀ ଦେଉଥିଲେ। ବ୍ରାହ୍ମଣମାନଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରାଯାଇଥିଲା। ଏହାପରେ ଦଳର ଉପସଭାପତି ଓ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ତାଙ୍କୁ ହଟାଇ ଦିଆଯାଇଥିଲା।

ବିଜେଡିରୁ ବିଦା ହେବା ପରେ ପାରାଦୀପ ବିଧାୟକ ଦାମୋଦର ରାଉତ ବିଜୁ ସମତା କ୍ରାନ୍ତି  ନାଁରେ ଦଳ ଘୋଷଣା କରିଥିଲେ। ନଭେମ୍ବର ୨୩ରେ ଯଜ୍ଞେଶ୍ୱର ବାବୁ ଏବଂ ବ୍ରଜ କିଶୋର ତ୍ରିପାଠୀଙ୍କ ଉପସ୍ଥିତିରେ ଏହି ନୂଆ ଦଳର ନାଁ ଘୋଷଣା କରିଥିଲେ ଦାମ ରାଉତ। ତେବେ ଦାମଙ୍କ ନୂଆ ଦଳରେ ସେମିତି କୌଣସି ପରିଚିତ ଚେହେରା ସାମିଲ ହୋଇନାହାନ୍ତି କିନ୍ତୁ ପରେ ଦାମୋଦର ରାଉତଙ୍କ ନେତୃତ୍ୱରେ ଜନ୍ମ ନେବାକୁ ଥିବା ‘ବିଜୁ ସମତା କ୍ରାନ୍ତି’ ଦଳର ଏବେ ଅକାଳ ମୃତ୍ୟୁ ଘଟିଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି। କାରଣ ବ୍ରଜଙ୍କ ସମତା କ୍ରାନ୍ତି ଦଳକୁ ‘ବିଜୁ ସମତାକ୍ରାନ୍ତି ଦଳ’ରେ ବିଲୀନ କରିବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ସେହି ବିଲୀନ ପ୍ରକ୍ରିୟା ଓ ନୂଆ ଦଳ ଗଠନ ପାଇଁ ନିର୍ବାଚନ କମିଶନଙ୍କ ପାଖରେ କୌଣସି ଆବେଦନ ହୋଇନାହିଁ। ନିର୍ବାଚନକୁ ଆଉ କିଛି ମାସ ବାକି ଥିବାବେଳେ ଦଳ ପକ୍ଷରୁ ସେଭଳି କାର୍ଯ୍ୟପନ୍ଥା ନିଆଯାଇନଥିବାରୁ ଦାମଙ୍କ ଆଗାମୀ ରଣନୀତି ସମ୍ପର୍କରେ ଜଣାପଡ଼ିନି। ତେବେ ୨୦୧୯ ନିର୍ବାଚନରେ ଦାମ ରାଉତଙ୍କ ରଣନୀତି କ’ଣ ରହିଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

 ବିଜେପକିୁ ବିଜୟ ମହାପାତ୍ରଙ୍କ ବାଏ ବାଏ 

୨୦୧୮ ନଭେମ୍ବର ୩୦ରେ ବିଜେପିରୁ ଇସ୍ତଫା ଦେଇଥିଲେ ହେଭିୱେଟ ନେତା ବିଜୟ ମହାପାତ୍ର। ୨୦୦୯ ମସିହାରେ ବିଜେପିରେ ଯୋଗ ଦେଇଥିବା ବିଜୟ ୯ବର୍ଷର ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଛନ୍ତି। ଦୀର୍ଘ ଦୁଇ ବର୍ଷ ଧରି ବିଜୟ ମହାପାତ୍ର ଓ ବିଜେପି ମଧ୍ୟରେ ସମ୍ପର୍କ ଭଲ ନଥିଲ। ଗୋଟିଏ ପଟେ ଧର୍ମେନ୍ଦ୍ର ପ୍ରଧାନ ଓ ବିଜୟ ମହାପାତ୍ରଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଶୀତଳ ଯୁଦ୍ଧ ଚାଲିଥିଲା। ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରୁନଥିଲା ଦଳ। ଅନ୍ୟପଟେ ବିଜେପିର କାର୍ଯ୍ୟକ୍ରମରେ ଯୋଗନଦେଇ ବିଭିନ୍ନ ସମୟରେ ଦଳକୁ ଟାର୍ଗେଟ କରୁଥିଲେ ବିଜୟ ମହାପାତ୍ର।

ଅପରପକ୍ଷେ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ଓ ଯୋଜନାକୁ ମଧ୍ୟ ଟାର୍ଗେଟ କରୁଥିଲେ ବିଜୟ ମହାପାତ୍ର। ରାଜ୍ୟ ସ୍ୱାର୍ଥ ପାଇଁ ବିଜେପିର ଆନ୍ତରିକତା ନାହିଁ ଏବଂ ବହୁ ତରବରିଆ ଭାବେ ବିଜେପିରେ ଯୋଗଦେଇଥିଲି ବୋଲି ଇସ୍ତଫା ସମୟରେ କହିଥିଲେ। ୨୦୧୯ ନିର୍ବାଚନକୁ ଆଉ ଅଳ୍ପ ସମୟ ଥିବାବେଳ ଏପର୍ଯ୍ୟନ୍ତ କୌଣସି ଦଳ ସହିତ ବିଜୟ ଆଲୋଚନା କରିନଥିବା ଜଣାପଡ଼ିଛି। ସେ ଆଗକୁ କେଉଁ ଦଳରେ ମିଶିବେ ଏବଂ ଆଗକୁ କ’ଣ ସବୁ ପଦକ୍ଷପ ନେବେ ସେନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ବିଜୟ ମହାପାତ୍ର କେନ୍ଦ୍ରାପଡ଼ା ପାଟକୁରା ଆସନରୁ ଲଗାତାର ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ଦିନେ ବିଜୁ ବାବୁଙ୍କ ଅନୁଗତ ଥିଲେ। ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିଲେ। ବିଜେଡି ଗଠନ ପରେ ବିଭିନ୍ନ ରାଜନୈତିକ କାରଣ ଯୋଗୁଁ ସେ ଦଳରୁ ବାଦ ପଡ଼ିଥିଲେ। ବିଜେଡିରୁ ବାଦ୍‌ ପଡ଼ିବା ପରେ ବିଜୟ ମହାପାତ୍ର ଓଡ଼ିଶା ଗଣପରିଷଦ ନାମରେ ଏକ ଦଳ ଗଠନ କରିଥିଲେ। ଓଡ଼ିଶା ଗଣପରିଷଦ ବନ୍ଦ ହେବା ପରେ ସେ ବିଜେଡିରେ ଯୋଗଦେଇଥିଲେ।

ବିଜେପିରୁ ଦିଲ୍ଲୀପ ରାୟଙ୍କ ଇସ୍ତଫା

୨୦୧୮ ନଭେମ୍ବର ୩୦ରେ ବିଜେପିରୁ ଇସ୍ତଫା ଦେଇଥିଲେ ହେଭିୱେଟ ନେତା ଦିଲ୍ଲୀପ ରାୟ। ବାଚସ୍ପତିଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରି ବିଧିବଦ୍ଧଭାବେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣରେ ବିଳମ୍ବ ଏବଂ ଆଇଜିଏଚକୁ ସୁପରସ୍ପେଶାଲିଷ୍ଟ ହସ୍ପିଟାଲ ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ କରିଥିଲେ। ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସତ୍ତ୍ୱେ କାର୍ଯ୍ୟକାରୀ ହୋଇନଥିଲା ନିର୍ମାଣ କାର୍ଯ୍ୟ। ରାଉକେଲାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଇସ୍ତଫା ଦେଇଥିଲେ ଦିଲ୍ଲୀପ ରାୟ। ଇସ୍ତଫା ପରଠାରୁ ବିଦେଶରେ ଥିବାରୁ ବର୍ତ୍ତମାନର ରାଜନୈତିକ କାର୍ଯ୍ୟକ୍ରମ ବିଷୟରେ କିଛି ସ୍ପଷ୍ଟ ହୋଇପାରିନି। ୨୦୧୯ ନିର୍ବାଚନକୁ ପାଖେଇ ଆସୁଥିବାବେଳ ଆଗକୁ ସେ କେଉଁ ଦଳରେ ମିଶିବେ ଏବଂ କି ପଦକ୍ଷପ ନେବେ ସେନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ପ୍ରଶାସିକାରୁ ରାଜନେତା ଅପରାଜିତା  

ପ୍ରଶାସିକାରୁ ରାଜନେତା ହୋଇଥିବା ଅପରାଜିତା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଦିଲ୍ଲୀ ବାସଭବନରେ ଦଳରେ ଯୋଗ ଦେଇଥିଲେ। ଇତି ମଧ୍ୟରେ ବିଜେପିରେ ଯୋଗଦେବାର ତିନି ସପ୍ତାହ ପୂରିଥିଲେ ବି ଅନ୍ୟ ଦଳ ତ ଦୂରରକଥା ଖୋଦ ବିଜେପି ନେତାମାନେ ତାଙ୍କ ରଣନୀତିର ଆଦି ଅନ୍ତ ପାଉନାହାନ୍ତି। ଅପରାଜିତାଙ୍କ ଗୋଟିଏ ଗୋଟିଏ ବାକ୍ୟ ବାଣରେ ରାଜ୍ୟ ସରକାର ଘାଇଲା ହେଉଥିବାବେଳେ ସରକାରୀଦଳ ବି ତାଙ୍କର ଉଦ୍ଦେଶ୍ୟକୁ ଠଉରାଇ ପାରୁନଥିବା ଲକ୍ଷ୍ୟ କରାଯାଉଛି।

ଗଣମାଧ୍ୟମରେ ମାପିଚୁପି ଉତ୍ତର ଦେଉଥିବା ଅପରାଜିତା କୌଣସି ରାଜନେତା କିମ୍ୱା ଅଫିସରଙ୍କ ସମ୍ପର୍କରେ ପଚରାଯାଇଥିବା ବ୍ୟକ୍ତିଗତ ପ୍ରଶ୍ନକୁ ସିଧାସଳଖ ଏଡ଼ାଇ ଯାଉଛନ୍ତି। ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ କୌଣସି ଆକ୍ଷେପ କରୁନାହାନ୍ତି କିନ୍ତୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ କଡ଼ା ସମାଲୋଚନା କରୁଛନ୍ତି।

ସବୁଠାରୁ ବଡ଼ କଥା ହେଲା ଅପରାଜିତା ଆସିବାପରେ ବିଜେପିରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥିତ୍ୱ ନେଇ ସରଗରମ ଲାଗି ରହିଥିବାବେଳେ ନିଜକୁ ଜଣେ ଶୃଙ୍ଖଳିତ କର୍ମୀଟିଏ କହି ସମସ୍ତ କଥାକୁ ସେ ଏଡ଼ାଇ ଯାଉଛନ୍ତି। ହେଲେ ରାଜ୍ୟ ବିଜେପିର ଟିକିନିଖି ଖବର ନେଇ ସେ ଅମିତ ଶାହ ଓ ମୋଦିଙ୍କ ସହିତ ଆଲୋଚନାର କରୁଥିବାର ଚର୍ଚ୍ଚା ତାଙ୍କର କ୍ଷମତା କେତେ ଅଧିକ ତାହାକୁ ପ୍ରତିପାଦନ କରୁଛି। ତେଣୁ ମୋଟାମୋଟି ଭାବେ ୧୧ବର୍ଷର ଆଇଏଏସ ଚାକିରିକୁ ଛାଡ଼ି କରି ଅପରାଜିତା ରାଜନୀତିରେ ପାଦଥାପି ଯେଭଳି ଅଭିଜ୍ଞ ରାଜନେତା ଭଳି ଆଚରଣ କରୁଛନ୍ତି ସେଥିଯୋଗୁଁ ତାଙ୍କର ଭବିଷ୍ୟତର ଏଜେଣ୍ଡା ସଂକ୍ରାନ୍ତରେ କେହି କିଛି ଟେର ପାଇପାରୁ ନାହାନ୍ତି। ଏଭଳି ଆଚରଣ ଓଡ଼ିଶା ରାଜନୀତିରେ ତାଙ୍କୁ ଆଗକୁ ବଢ଼ିବାକୁ ଦେଉଛି ନା ନାହିଁ ତାହା ଉପରେ ଏବେ ସମସ୍ତଙ୍କ ନଜର।

ବିଜେଡିରୁ ବୈଜୟନ୍ତ ପଣ୍ଡା ଆଉଟ୍

ଜାନୁଆରୀ ୨୪ରେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ କେନ୍ଦ୍ରାପଡ଼ା ସାଂସଦଙ୍କୁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଥିଲା। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ସାଂସଦ ବୈଜୟନ୍ତଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ବୈଜୟନ୍ତ ଦଳକୁ ସମାଲୋଚନା କରିବା  ସହ ଗତ ପଞ୍ଚାୟତ ନିର୍ବାଚନରେ ଦଳ ବିରୋଧୀ ପ୍ରାର୍ଥୀଙ୍କୁ ସହାୟତା କରିଥିବା ଅଭିଯୋଗ ଥିଲା। ଏହି ସବୁ ଅଭିଯୋଗ ଆସିବା ପରେ ଦଳର କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାରୀ ପ୍ରମିଳା ମଲ୍ଲିକ ଏବଂ କଟକ ଜିଲ୍ଲା ପ୍ରଭାରୀ ଉଷା ଦେବୀଙ୍କୁ ଅଭିଯୋଗର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା। ଏହି ରିପୋର୍ଟ ଆଧାରରେ ଦଳର ସଭାପତି କାର୍ଯ୍ୟାନୁଷ୍ଠାନ ନେଇଥିଲେ।

ଏହାର ୫ ମାସ ପରେ ଅର୍ଥାତ ମେ’ ୨୮ରେ ବୈଜୟନ୍ତ ପଣ୍ଡା ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ନିଜ ଇସ୍ତଫାପତ୍ର ସେ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଥିଲେ। ତାଙ୍କ ବାପା ବଂଶୀଧର ପଣ୍ଡାଙ୍କ ଦେହାନ୍ତର ଦୁଃଖଦ ମୁହୂର୍ତ୍ତରେ ବିଜେଡିରୁ ଜଣେ ହେଲେ ବି କେହି ତାଙ୍କ ଶେଷ ଦର୍ଶନ ପାଇଁ ନ ଆସିବା ଏହା ତାଙ୍କୁ ଗଭୀର ଭାବରେ ମର୍ମାହତ କରିଛି ବୋଲି ବୈଜୟନ୍ତ ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ କରିଥିଲେ। ବିଜେଡିରୁ ଇସ୍ତଫା ଦେଇଥିଲେ ମଧ୍ୟ ବୈଜୟନ୍ତ କୌଣସି ଦଳ ସହ ଯୋଗାଯୋଗରେ ଥିବା ଜଣାପଡ଼ିନି।

୨୦୧୯ରେ ଲୋକେ ଚାହିଁଲେ ନିଶ୍ଚୟ ନିର୍ବାଚନ ଲଢ଼ିବି ବୋଲି ଗତ କିଛି ଦିନ ତଳେ ସାମ୍ବାଦିକଙ୍କ ପ୍ରଶ୍ନରେ କହିଛନ୍ତି ବୈଜୟନ୍ତ। ଆହୁରି ସେ କହିଛନ୍ତି, “ଯେ ପର୍ଯ୍ୟନ୍ତ ମୋ ନିଷ୍ପତ୍ତି ଫାଇନାଲ୍ କରିନି, ତାରିଖ ବିଷୟରେ ଆଲୋଚନା କରି କିଛି ଲାଭନାହିଁ।”

ଓଡ଼ିଶାରେ ମୁଁ କିଛି ପରିବର୍ତ୍ତନ ଆଣିବାକୁ ଚାହୁଁଛି ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ କହିଥିଲେ ବୈଜୟନ୍ତ।

Comment